ଆରଜେଡି ନେତାଙ୍କ ଘରୁ କୋଟି କୋଟି ଟଙ୍କାର ସମ୍ପତ୍ତି ଠାବ କଲା ସିବିଆଇ

ନୂଆଦିଲ୍ଲୀ : (ସଂକେତ୍ ଟିଭି) ‘ଜମି ବଦଳରେ ଚାକିରି ଦୁର୍ନୀତି ମାମଲାରେ ସିବିଆଇ ଆରଜେଡି ନେତାମାନଙ୍କ ଦିଲ୍ଲୀ, ପାଟନା ସମେତ ଏକାଧିକ ଠିକଣା ଚଢାଉ କରିଥିଲା । ଚଢାଉ ସମୟରେ ସେମାନଙ୍କ ଘରୁ କୋଟି କୋଟି ଟଙ୍କାର ସମ୍ପତ୍ତି ଠାବ ହୋଇଥିବା ଜଣାପଡିଛି । ତେବେ ଏନେଇ ସିବିଆଇ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ ।

ରେଲୱେ ଚାକିରି ଦୁର୍ନୀତି ମାମଲାରେ ଆରଜେଡି ଏମଏଲସି ସୁନୀଲ ସିଂହ, ପୂର୍ବତନ ଏମଏଲସ ସୁବୋଧ ରାୟ, ରାଜ୍ୟସଭା ସାଂସଦ ଅଶଫାକ୍ କରିମ୍ ଏବଂ ଫୈୟାଜ ଅହମ୍ମଦ ପ୍ରମୁଖ ନେତା ଏବେ ସିବିଆଇ ସ୍କାନରରେ ଅଛନ୍ତି । ଏହି ମାମଲାର ତଦନ୍ତ ପ୍ରକ୍ରିୟା ଭାବେ ବୁଧବାର ସକାଳେ ସିବିଆଇ ଟିମ୍ ପାଟନା, କଟିହାର ଏବଂ ମଧୁବନୀ ଅଞ୍ଚଳର ଅନେକ ସ୍ଥାନରେ ଚଢାଉ କରିଥିଲା । ଏହାସହିତ ସିବିଆଇ ଗୁରୁଗ୍ରାମର ସେକ୍ଟର ୭୧ ସ୍ଥିତ ଅର୍ବାନ କ୍ୟୁବସ ମଲ୍‌ରେ ମଧ୍ୟରେ ରେଡ୍ କରିଥିଲା ।

ସୂତ୍ର ଅନୁସାରେ, ଆରଜେଡି ନେତାଙ୍କ ଏକାଧିକ ଠିକଣାରେ ଚଢାଉ ସମୟରେ ୨୦୦ରୁ ଅଧିକ ଜମି କାଗଜପତ୍ର ଜବତ ହୋଇଛି । ଏହାବ୍ୟତୀତ ୨୦ କେଜିରୁ ଅଧିକ ସୁନାଗହଣା ମିଳିଛି । କେବଳ ଏତିକି ନୁହେଁ, ଆରଜେଡି ଏମଏଲସି ସୁନୀଲ କୁମାର ସିଂହଙ୍କ ବିଭିନ୍ନ ଠିକଣାରୁ ଦିଲ୍ଲୀ ଗୁରୁଗାଓଁରେ ନିର୍ମାଣାଧୀନ ମଲ୍‌ର ପେପର ମଧ୍ୟ ସିବିଆଇ ହାତରେ ଲାଗିଛି । ରେଡ୍ ବେଳେ ୨,୫୯,୬୪୦ ନଗଦ ଟଙ୍କା ତାଙ୍କ ଘରୁ ଜବତ ହୋଇଛି । ପ୍ରାୟ ୧୩ ଘଣ୍ଟା ଧରି ସିବିଆଇ ସୁନୀଲଙ୍କ ଘରେ ଖୋଳତାଡ କରିଛି । ବିହାର ବିଧାନ ପରିଷଦ ସଦସ୍ୟ ସୁନୀଲ ଆରଜେଡି ସୁପ୍ରିମ ଲାଲୁ ପ୍ରସାଦ ଯାଦବଙ୍କ ଅତ୍ୟନ୍ତ ଘନିଷ୍ଠ ଅଟନ୍ତି ।

ବୁଧବାର ଭୋର୍ ୪ଟା ସମୟରେ ସିବିଆଇ ଟିମ୍ ଆରଜେଡି ରାଜ୍ୟସଭା ସାଂସଦ ଫୈୟାଜ ଅହମ୍ମଦଙ୍କ ଘରେ ମଧ୍ୟ ଚଢାଉ କରିଥିଲା । ତାଙ୍କ ଘରୁ ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ସମେତ ବିପୁଳ ନଗଦ ଟଙ୍କା ଜବତ ହୋଇଥିବା ସୂତ୍ରରୁ ସୂଚନା ମିଳିଛି । ହେଲେ ଏନେଇ ସିବିଆଇ ପକ୍ଷରୁ କୌଣସି ବୟାନ ମିଳିନାହିଁ । ବିହାରର ଉପ ମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବଙ୍କ ଗୁରୁଗ୍ରାମ ସ୍ଥିତ ମଲରେ ମଧ୍ୟ ସିବିଆଇ ଚଢାଉ କରିଥିଲା । ଏହି ମଲରେ ତେଜସ୍ବୀଙ୍କ କିଛି ଭାଗ ରହିଛି । ଏହି ମାମଲା ମଧ୍ୟ ଜମି ବଦଳରେ ଚାକିରି ଦୁର୍ନୀତି ସହ ଜଡିତ ଥିବା କୁହାଯାଉଛି ।ଲାଲୁ ଯାଦବ ରେଳମନ୍ତ୍ରୀ ଥିବା ସମୟରେ ହୋଇଥିବା ଏହି ମହାଦୁର୍ନୀତିବେଳେ ତେଜସ୍ବୀ ଯାଦବ ନାବାଳକ ଥିଲେ । ତେବେ ଜମି ବଦଳରେ ଚାକିରି ଦୁର୍ନୀତି ମାମଲାର ଛାନଭିନ୍ ଜାରି ରହିଥିବାବେଳେ ଆଗକୁ ଅନେକ ଆରେଜଡି ନେତାଙ୍କ ଦୁର୍ନୀତି ପଦାକୁ ଆସିବ ବୋଲି କୁହାଯାଉଛି । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ୨୦୦୪ରୁ ୨୦୦୯ ମଧ୍ୟରେ ରେଲୱେ ନିଯୁକ୍ତିରେ ବ୍ୟାପକ ହେରଫେର ହୋଇଥିବା ଅଭିଯୋଗ ହୋଇଥିଲା । ଏହି ସମୟରେ ଲାଲୁ ପ୍ରସାଦ ଯାଦବ ରେଳମନ୍ତ୍ରୀ ଥିଲେ ।

ଏହି ଘଟଣାର ତଦନ୍ତରୁ ସିବିଆଇ ଜାଣିବାକୁ ପାଇଥିଲା ଯେ, ରେଲୱେ ଚାକିରି ଆଶାୟୀ ଲାଲୁଙ୍କ ପତ୍ନୀ ରାବଡି ଦେବୀ ଏବଂ ଝିଅ ହେମା ଯାଦବଙ୍କୁ ଉପହାର ରୂପେ ଜମି ଦେଇଥିଲେ । ପରେ ସେହି ଆଶାୟୀଙ୍କୁ ନିଯୁକ୍ତି ମିଳିଥିଲା । ୨୦୦୪ରୁ ୨୦୦୯ ମଧ୍ୟରେ ରେଲୱେର ବିଭିନ୍ନ ଜୋନରେ ଗ୍ରୁପ ଡି ପୋଷ୍ଟରେ ନିଯୁକ୍ତି ବଦଳରେ ଲାଲୁଙ୍କ ପରିବାର ସଦସ୍ୟଙ୍କ ନାମରେ ଏକାଧିକ ଜମି ହସ୍ତାନ୍ତର ହୋଇଥିଲା । ଏହିସବୁ ନିଯୁକ୍ତି ପାଇଁ କୌଣସି ବିଜ୍ଞାପନ କିମ୍ବା ନୋଟିସ୍ ଜାରି ହୋଇନଥିବା କେନ୍ଦ୍ରୀୟ ଏଜେନ୍ସି ସୂଚନା ଦେଇଛି ।