ହୀରାକୁଦ ଡ୍ୟାମରେ ଫାଟ !

ଭୁବନେଶ୍ବର : (ସଂକେତ୍ ଟିଭି) ହୀରାକୁଦ ଡ୍ୟାମକୁ କୁହାଯାଏ ବିଶ୍ୱର ସବୁଠାରୁ ବଡ ମାଟିବନ୍ଧ । ମହାନଦୀରେ ବନ୍ୟା ନିୟନ୍ତ୍ରଣ ପାଇଁ ୬୦ ଦଶକରେ ତିଆରି ହୋଇଥିବା ଏହି ଡ୍ୟାମର ସ୍ଥିତି ନେଇ ଏବେ ପୁଣିଥରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ସ୍ପିଲୱେ ରେ ଫାଟକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି ଡ୍ୟାମ ସେଫଟି ମୁଖ୍ୟଯନ୍ତ୍ରୀ ଶିବାଶିଷ ପାଢ଼ୀ । ତୁରନ୍ତ ଏକ୍ସପର୍ଟ ପ୍ୟାନେଲ ଦ୍ୱାରା ହୀରାକୁଦ ଡ୍ୟାମ୍ ନିରୀକ୍ଷଣ କରିବାକୁ ମହାନଦୀ ବେସିନ୍ ମୁଖ୍ୟଯନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ।

ହୀରାକୁଦ ବନ୍ଧର ସୁରକ୍ଷା ନେଇ ଡ୍ୟାମ ସେଫଟି ଚିଫ୍ ଇଂଜିନିୟର ହୀରାକୁଦ କର୍ତ୍ତୃପକ୍ଷଙ୍କୁ ରିପୋର୍ଟ ତଲବ କରିଛନ୍ତି । ମୁଖ୍ୟଯନ୍ତ୍ରୀ ତାଙ୍କ ଚିଠିରେ ଲେଖିଛନ୍ତି, ସ୍ପିଲ୍‌ୱେରେ ଫାଟ ଚିନ୍ତାର ବିଷୟ ଏବଂ ଏହାକୁ ନେଇ ଅନୁଧ୍ୟାନ କରାଯିବାର ଆବଶ୍ୟକତା ରହିଛି । ଜଳଭଣ୍ଡାରର ଅନେକଗୁଡ଼ି଼ଏ ସ୍ଥାନରେ ଫାଟ ଥିବା ନେଇ ଚର୍ଚ୍ଚା ଜୋର ଧରିଛି ଅପରେସନ ଗ୍ୟାଲେରି, ଫାଉଣ୍ଡେସନ ଗ୍ୟାଲେରିରେ ଫାଟ ସୃଷ୍ଟି ହୋଇଛି । ସେହିପରି ଉଭୟ ବାମ ଓ ଦକ୍ଷିଣ ସ୍ପିଲୱେ ଗେଟ୍ ସାଫ୍ଟ, ସ୍ଲୁଇସ୍ ବ୍ୟାରେଲରେ ମଧ୍ୟ ଫାଟ ଦେଖାଯାଉଛି । ଏବେ ଏହି ବିଷୟ ବେଶ ଗୁରୁତ୍ୱୂର୍ଣ୍ଣ ହୋଇ ଯାଇଛି । ତେଣୁ ହିରାକୁଦ ଡ୍ୟାମ ସୁରକ୍ଷାକୁ ନେଇ ମହାନଦୀ ଅବବାହିକା ଦାୟିତ୍ୱରେ ଥିବା ମୁଖ୍ୟ ଇଂଜିନିୟରଙ୍କୁ ଚିଠି ଲେଖି ରିପୋର୍ଟ ତଲବ କରିଛନ୍ତି ଡ୍ୟାମ୍ ସେଫର୍ଟି ଚିଫ୍‌ ଇଂଜିନିୟର । ଆଉ ହୀରାକୁଦର ସ୍ଥିତିକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ପୂର୍ବତନ ଯନ୍ତ୍ରୀ ।

୨୦୨୦ ମସିହା ଜାନୁଆରୀ ମାସରେ ଡ୍ୟାମ୍ ସିକ୍ୟୁରିଟି ରିଭ୍ୟୁ ପ୍ୟାନେଲ ହୀରାକୁଦ ଡ୍ୟାମ୍ ପରିଦର୍ଶନ କରି ଏହାର ସ୍ଥିତି ପରଖିଥିଲେ । ୧୯୯୯ ପରଠାରୁ ପ୍ରତି ୫ ବର୍ଷରେ ଥରେ ହୀରାକୁଦ ଡ୍ୟାମର ସର୍ଭେ କରିବା ପାଇଁ ସ୍ଥିର ହୋଇଥିଲା । କିନ୍ତୁ ସେ ସମୟଠାରୁ ଥରେ ମାତ୍ର ସର୍ଭେ କରାଯାଇ ନାହିଁ । ଏସଡିଏସଓ (ଷ୍ଟେଟ୍ ଡ୍ୟାମ୍ ସେଫ୍ଟି ଅର୍ଗାନାଇଜେସନ୍‌) ଡ୍ୟାମର ସର୍ଭେକ୍ଷଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହାକୁ ନେଇ ଡ୍ରୋନ୍ ଓ ସ୍‌ତନ୍ତ୍ର ରୋବର୍ଟ କ୍ୟାମେରା ଜରିଆରେ ହୀରାକୁଦ ଡ୍ୟାମର ଭିଡିଓଗ୍ରାଫି କରାଯାଇଥିଲା । ହେଲେ ବର୍ତ୍ତମାନ ସୁଦ୍ଧା ଏହାର ତଥ୍ୟ ସରକାରଙ୍କୁ ହସ୍ତାନ୍ତର କରାଯାଇନାହିଁ । ଏବେ ଏକ ବଡ ବନ୍ୟାକୁ ଦେଖିଛି ଓଡିଶା ଆଉ ଏହାପରେ ଡ୍ୟାମ ସେଫଟି ଚିଫ୍‌ ଇଂଜିନିୟର ଡ୍ୟାମ ନେଇ ଚିନ୍ତା ପ୍ରକଟ କରିଛନ୍ତି । ସେପଟେ ହୀରାକୁଦର ସୁରକ୍ଷାକୁ ନେଇ ସରକାରଙ୍କ ଆନ୍ତରିକତା ଉପରେ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ ।