ଅମିତାଭ ବଚ୍ଚନଙ୍କ ଭଏସ୍ ନୋଟ୍ ଶୁଣି ଫେରିଲା ରାଜୁ ଶ୍ରୀବାସ୍ତବଙ୍କ ଚେତା

ନୂଆଦିଲ୍ଲୀ : (ସଂକେତ୍ ଟିଭି) ପ୍ରସିଦ୍ଧ ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆସୁଛି । ଡାକ୍ତରଖାନାରେ ଭର୍ତ୍ତି ହେବାର ୧୫ ଦିନ ପରେ ତାଙ୍କର ଚେତା ଫେରିଛି ।

ରାଜୁଙ୍କ ପର୍ସନାଲ ସେକ୍ରେଟେରୀ କହିଛନ୍ତି ଯେ, ‘ରାଜୁ ଶ୍ରୀବାସ୍ତବଙ୍କର ଚେତା ଫେରିଛି । ଏହା ପରେ ଡାକ୍ତରଙ୍କ ଟିମ୍ ସକାଳେ ରାଜୁଙ୍କ ଅବସ୍ଥା ଯାଞ୍ଚ କରିଥିଲେ । ୧୦ ଅଗଷ୍ଟରେ ହୃଦଘାତ ହୋଇଥିଲା ଏବଂ ସେବେଠାରୁ ତାଙ୍କୁ ଦିଲ୍ଲୀର ଏମସ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ରାଜୁ ପ୍ରାୟ ୧୫ ଦିନ ଚେତାଶୂନ୍ୟ ହୋଇପଡିଥିଲେ ଏବଂ ତାଙ୍କ ଅବସ୍ଥା ଗୁରୁତର ରହିଥିଲା । ବର୍ତ୍ତମାନ ସଦ୍ୟତମ ରିପୋର୍ଟ ଅନୁଯାୟୀ ତାଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆସିଛି ।

ଏହା ପୂର୍ବରୁ କୁହାଯାଉଥିଲା କି, ରାଜୁ ଶ୍ରୀବାସ୍ତବଙ୍କ ସ୍ୱାସ୍ଥ୍ୟରେ କୌଣସି ସୁଧାର ନ ଦେଖିବାରୁ ଡାକ୍ତରମାନେ ତାଙ୍କ ଚିକିତ୍ସା ପାଇଁ ନ୍ୟୁରୋଫିସିଓଥେରାପି ବ୍ୟବହାର କରିବା ଆରମ୍ଭ କରିଛନ୍ତି । ନ୍ୟୁରୋଫିସିଓଥେରାପି ଅର୍ଥ ହେଉଛି ରୋଗୀଙ୍କୁ ସେମାନଙ୍କ ହୃଦୟର ଅତି ନିକଟତର ଲୋକଙ୍କ ସ୍ୱର ଶୁଣାଇବା । ସେମାନଙ୍କ ସ୍ୱରରୁ ଶୀଘ୍ର ଚେତା ଫେରିବାର ସମ୍ଭାବନା ବଢିବାକୁ ଲାଗେ । ବର୍ତ୍ତମାନ ଡାକ୍ତରମାନେ ଅମିତାଭ ବଚ୍ଚନଙ୍କର ସ୍ବର ଶୁଣାଉଛନ୍ତି ।

ସୂଚନା ଅନୁସାରେ, ରାଜୁ ଶ୍ରୀବାସ୍ତବଙ୍କ ଅବସ୍ଥା ଜାଣିବା ପରେ ଅମିତାଭ ବଚ୍ଚନ ତାଙ୍କୁ ଏକ ଭଏସ୍ ନୋଟ୍ ପଠାଇଥିଲେ, ଯାହା ପରେ ଡାକ୍ତରମାନେ ସେହି ସ୍ବରରୁ ରାଜୁ ଶ୍ରୀବାସ୍ତବଙ୍କ କାନରେ ପହଞ୍ଚାଇବାକୁ ଚେଷ୍ଟା କରିଥିଲେ । ସେହି ଅଡିଓରେ ଅମିତାଭ ବଚ୍ଚନ କହୁଛନ୍ତି, ରାଜୁ ଉଠ …ବହୁତ ହୋଇଗଲା… ଏବେ ଲୋକଙ୍କୁ ପୁଣି ହସିବାକୁ ଶିଖାଓ …।

ଡାକ୍ତର ରାଜୁଙ୍କ ପରିବାରକୁ କହିଛନ୍ତି କି, ହୁଏତ ରାଜୁ ଆଖପାଖର କଥାକୁ ଶୁଣିପାରୁଥିବେ, ଆଉ ଯଦି ତାଙ୍କ ପ୍ରିୟ ଲୋକଙ୍କର ସ୍ୱର ଶୁଣିବେ ତେବେ ମସ୍ତିଷ୍କ ଅଧିକ ସକ୍ରିୟ ହୋଇପାରେ । ବ୍ରେନ୍‌ କିଛି ପରିମାଣରେ କାମ କରିପାରେ । ହୁଏତ ନିଜ ଆଦର୍ଶ ଅମିତାଭ ବଚ୍ଚନଙ୍କ ସ୍ୱର ଶୁଣି କିଛି ପ୍ରତିକ୍ରିୟା ଦେଇପାରନ୍ତି । ତାଙ୍କ ପରିବାର ସଦସ୍ୟଙ୍କୁ ଅମିତାଭ ବଚ୍ଚନଙ୍କ ଅଫିସରୁ ଫୋନ କରି ରାଜୁଙ୍କ ବିଷୟରେ ପଚରାଉଚରା କରାଯାଉଥିବେଳେ ତାଙ୍କୁ ମେସେଜ ପଠାଇବା କଥା କୁହାଯାଇଛି ।