ସରକାରୀବାବୁମା‌‌ନେ ଦେଉନାହାଁନ୍ତି ସମ୍ପତ୍ତି ତାଲିକା, ପୁଣି ଘୁଞ୍ଚିଲା ତାଲିକା ଦାଖଲ ଅବଧି

ଭୁବନେଶ୍ବର : (ସଂକେତ୍ ଟିଭି) ଅଧିକରୁ ଅଧିକ ସରକାରୀ କର୍ମଚାରୀ ଦୁର୍ନୀତିଗସ୍ତ ହେବାପରେ ରାଜ୍ୟ ସରକାର ଗ୍ରୁପ୍‌-ଏ ରୁ ଗ୍ରୁପ୍-ଡି ପର୍ଯ୍ୟନ୍ତ ସମସ୍ତ କର୍ମଚାରୀ ଯେପରି ତାଙ୍କର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ତାଲିକା ଘୋଷଣା କରିବେ ସେନେଇ ‘ଓଡ଼ିଶା ସରକାରୀ କର୍ମଚାରୀ ଆଚରଣ (ସଂଶୋଧନ) ନିୟମ,୨୦୨୧ ଆଣିଥିଲେ। ପ୍ରତିବର୍ଷ ଜାନୁଆରି ୧ରୁ ଜାନୁଆରି ୩୧ ମଧ୍ୟରେ କର୍ମଚାରୀମାନେ ସେମାନଙ୍କ ସମ୍ପତ୍ତି ତାଲିକା ରାଜ୍ୟ ସରକାରଙ୍କ ମାନବ ସମ୍ବଳ ପରିଚାଳନା ସିଷ୍ଟମ (ଏଚ୍‌ଆର୍‌ଏମ୍‌ଏସ୍‌) ପୋର୍ଟାଲରେ ଦେବେ। ଏହି ନିୟମ ଅନୁଯାୟୀ ଜୁନଆରି ୧, ୨୦୨୧ରୁ ଡିସେମ୍ବର ୩୧, ୨୦୨୧ ସୁଦ୍ଧା ତାଙ୍କର ଥିବା ସମସ୍ତ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ତାଲିକା ଜାନୁଆରି ୩୧,୨୦୨୨ ସୁଦ୍ଧା ଦେବା ପାଇଁ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଥିଲା।

ବିଡମ୍ବନାର ବିଷୟ ଧାର୍ଯ୍ୟ ସମୟ ପରେ ୭ମାସ ବିତିଯାଇଥିଲେ ବି ସରକାରୀ ଅଧିକାରୀମା‌‌ନେ ସମ୍ପତ୍ତି ତାଲିକା ଦେଉନାହାନ୍ତି। ଆହୁରି ଚକିତ ଭଳି କଥା ହେଉଛି କିଛି ସରକାରୀ କର୍ମଚାରୀ ଜାଣିଶୁଣି ସମ୍ପତ୍ତି ତାଲିକା ଦେବାକୁ ବାହନା ଖୋଜୁଥିବାବେଳେ ରାଜ୍ୟ ସରକାର ତାଙ୍କୁ ସହଯୋଗ କରିବାକୁ ଯାଇ ବାରମ୍ବାର ସମ୍ପତ୍ତି ଘୋଷଣା ଅବଧି ଘୁଞ୍ଚାଇ ଚାଲିଛନ୍ତି। ଏପରିକି ଗତ ୭ମାସ ମଧ୍ୟରେ ଏହାକୁ ୪ଥର ଘୁଞ୍ଚାଗଲାଣି। ତଥାପି ବି ବାବୁମାନେ ସମ୍ପତ୍ତି ତାଲିକା ଦେଉନାହାନ୍ତି। ଯେଉଁମାନେ ସମ୍ପତ୍ତି ତାଲିକା ଦେଉନାହାନ୍ତି ତାଙ୍କ ଉପରେ ରାଜ୍ୟ ସରକାର କାହିଁକି କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି ତାହାକୁ ନେଇ ପ୍ରଶ୍ନ ଉଠିଲାଣି। ବରଂ ପ୍ରତିଥର ଅବଧି ଘୁଞ୍ଚାଇବାବେଳେ କହୁଛନ୍ତି ଯେ ବିଭିନ୍ନ କର୍ମଚାରୀଙ୍କ ଅନୁରୋଧ ଯୋଗୁଁ ଅବଧି ଘୁଞ୍ଚିଲା।

ସାଧାରଣ ପ୍ରଶାସନ ବିଭାଗର ଜଣେ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଜାନୁଆରି ୩୧, ୨୦୨୨ ସୁଦ୍ଧା କୌଣସି କର୍ମଚାରୀ ସମ୍ପତ୍ତି ତାଲିକା ନଦେବାରୁ ଏହାକୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଘୁଞ୍ଚାଯାଇଥିଲା। ତଥାପି ବି ଦେଲେନି। ଏହାପରେ ପର୍ଯ୍ୟାୟକ୍ରମେ ଏପ୍ରିଲ ୩୦, ଜୁନ୍‌ ୩୦ ଯାଏଁ ଘୁଞ୍ଚାଯାଇଥିଲା। ଏପରିକି ଜୁଲାଇ ୧୩ରେ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଚିଠି କରି କୁହାଯାଇଥିଲା ଯେ ଆଉ ସୁଯୋଗ ଦିଆଯିବନି। କିନ୍ତୁ ଏବେ ପୁଣି କର୍ମଚାରୀଙ୍କ ଅନୁରୋଧକ୍ରମେ ଏହାକୁ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ଘୁଞ୍ଚାଯାଇଛି। ଏହି ତାରିଖ ସୁଦ୍ଧା ସମସ୍ତ କର୍ମଚାରୀ ସମ୍ପତ୍ତି ତାଲିକା ଦେବାକୁ ସମସ୍ତ ସରକାରୀ ବିଭାଗ, ଆର୍‌ଡିସି, ଜିଲ୍ଲାପାଳମାନଙ୍କୁ ଚିଠି କରାଯାଇଛି।