କଂଗ୍ରେସ ଛାଡିଲେ ବରିଷ୍ଠ ନେତା ଗୁଲାମ ନବୀ ଆଜାଦ, ଗଢ଼ିବେ ନିଜ ଦଳ

ନୂଆଦିଲ୍ଲୀ : (ସଂକେତ୍ ଟିଭି) ବରିଷ୍ଠ ନେତା ଗୁଲାମ ନବୀ ଆଜାଦ ଆଜି କଂଗ୍ରେସର ପ୍ରାଥମିକ ସଦସ୍ୟ ପଦ ସମେତ ସମସ୍ତ ପଦପଦବୀରୁ ଇସ୍ତଫା ଦେଇଛନ୍ତି । ସେ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ୫ ପୃଷ୍ଠାର ଇସ୍ତଫା ପତ୍ର ପଠାଇଛନ୍ତି । ଏହାପୂର୍ବରୁ କିଛି ଦିନ ତଳେ ଗୁଲାମ ନବୀ ଜମ୍ମୁ-କାଶ୍ମୀର ପ୍ରଚାର କମିଟି ଅଧ୍ୟକ୍ଷ ଭାବେ ନିଯୁକ୍ତି ପାଇବାର କିଛି କ୍ଷଣ ମଧ୍ୟରେ ଏଥିରୁ ଇସ୍ତଫା ଦେଇଥିଲେ । ସ୍ବାସ୍ଥ୍ୟଗତ ସମସ୍ୟା ପାଇଁ ଜମ୍ମୁ-କଶ୍ମୀର ପ୍ରଚାର କମିଟି ପଦକୁ ଅଗ୍ରାହ୍ୟ କରି ଦେଇଥିବା କୁହାଯାଉଥିଲା । ସେବେଠୁ ସେ କଂଗ୍ରେସ ଛାଡିବା ନେଇ ଚର୍ଚ୍ଚା ଜୋର ଧରିଥିଲା ।

ଇସ୍ତଫା ଦେବା ପରେ ସେ ଜମ୍ମୁ-କାଶ୍ମୀର ଫେରି ଯାଇ ନିଜର ରାଜନୈତିକ ଦଳ ଗଢିବେ ବୋଲି କହିଛନ୍ତି। ତେବେ ଆଜାଦ ବିଜେପିରେ ଯୋଗ ଦେଉଥିବା ନେଇ ଖବରକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି ଯେ ମୋ ବିରୋଧୀମାନେ ଗତ ୩ ବର୍ଷ ହେଲା ମୁଁ ବିଜେପିକୁ ଯାଉଥିବା କହି ଆସୁଛନ୍ତି, ଏପରିକି ସେମାନେ ମୋତେ ଦେଶର ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ମଧ୍ୟ କରିଛନ୍ତି। ବିଜେପି ନେତାଙ୍କ ଫୋନ ଆସୁଛି କି ବୋଲି ପଚରା ଯିବାରେ ସେମାନଙ୍କ ଫୋନ କାହିଁକି ଆସିବ ବୋଲି ସେ ଓଲଟି ପଚାରିଛନ୍ତି।

ଗୁଲାମ ନବୀ ନିଜର ଇସ୍ତଫା ପତ୍ରରେ ରାହୁଲ ଗାନ୍ଧୀଙ୍କ ପ୍ରତି କଡା ମନ୍ତବ୍ୟ ଦେଇଛନ୍ତି । କଂଗ୍ରେସ ନେତୃତ୍ବ ସମାଲୋଚନା କରି ସେ କହିଛନ୍ତି, ”ରାହୁଲ ଗାନ୍ଧୀ ରାଜନୀତିରେ ପ୍ରବେଶ କଲା ପରେ ସେ ସର୍ବେସର୍ବା ପାଲଟିଛନ୍ତି । ୨୦୧୩ରେ ରାହୁଲ ଉପସଭାପତି ହେବା ପରେ ସବୁ ନଷ୍ଟ କରିଦେଲେ । କଂଗ୍ରେସର ଥିବା ମତ ବିନିମୟ ବ୍ୟବସ୍ଥାକୁ ସେ ଶେଷ କରିଦେଇଛନ୍ତି । ବରିଷ୍ଠ ନେତାମାନଙ୍କୁ ଅଣଦେଖା କରାଯାଉଛି । ୟୁପିଏ ସରକାରର ଅଖଣ୍ଡତାକୁ ଧ୍ବଂସ କରିଥିବା ରିମୋଟ କଣ୍ଟ୍ରୋଲ ମଡେଲ ଏବେ କଂଗ୍ରେସରେ ଲାଗୁ ହୋଇଛି । ସମସ୍ତ ନିଷ୍ପତ୍ତି ରାହୁଲ ଗାନ୍ଧୀ ନେଉଛନ୍ତି । ଯାହାକି ଅତ୍ୟନ୍ତ ଦୁର୍ଭାଗ୍ୟଜନକ ।’

୧୯୭୦ ମସିହାରେ କଂଗ୍ରେସରେ ଯୋଗ ଦେଇଥିଲେ ଗୁଲାମ ନବୀ ଆଜାଦ । କଂଗ୍ରେସ କ୍ଷମତାରେ ଥିବା ସମୟରେ ଗୁଲାମ ନବୀ କେନ୍ଦ୍ରମନ୍ତ୍ରୀ ସମେତ ବହୁ ଗୁରୁତ୍ବପୂର୍ଣ୍ଣ ପଦ ପଦବୀରେ ରହିଥିଲେ । ଦଳର ଜି-୨୩ ଗୋଷ୍ଠୀର ସେ ଅନ୍ୟତମ ସଦସ୍ୟ ଥିଲେ । ଜି-୨୩ ଅସନ୍ତୁଷ ନେତା ଭାବେ ସେ ଆଗରେ ରହିଥିଲେ । କିଛି ଦିନ ହେଲା ସେ ଦଳୀୟ କାର୍ଯ୍ୟଶୈଳୀ ଓ ନିଷ୍ପତ୍ତିକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ । ଦୀର୍ଘ ଦିନର ଅସନ୍ତୋଷ ପରେ ଶେଷରେ କଂଗ୍ରେସ ସହ ୫୦ ବର୍ଷର ସମ୍ପର୍କ ତୁଟାଇଛନ୍ତି ଏହି ବରିଷ୍ଠ ନେତା ।

ଏହାପୂର୍ବରୁ କଂଗ୍ରେସର ଅନ୍ୟ ଜଣେ ବରିଷ୍ଠ ନେତା କପିଲ ସିବଲ ଦଳରୁ ଇସ୍ତଫା ଦେଇଛନ୍ତି । ତାଙ୍କୁ ରାଜ୍ୟସଭାକୁ ପଠାଇଛି ସପା । ପ୍ରଚାର କମିଟିର ସଭାପତି ହେବାର ଘଣ୍ଟାରେ ପରେ ଅଭିଯାନ ସମିତି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ । ସେତେବେଳେ ସେ ଦଳ ଉପରେ ନାଖୁସ ଥିବା ସ୍ପଷ୍ଟ ବାରି ହୋଇପଡିଥିଲା ।