ଇଡିର କ୍ଷମତା ପ୍ରସଙ୍ଗ, ନିଜ ରାୟର ତର୍ଜମା କରିବେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : (ସଂକେତ୍ ଟିଭି) ମନି ଲଣ୍ଡରିଂ ଆଇନ୍‌ ଉପରେ କେନ୍ଦ୍ରୀୟ ଏଜେନ୍ସିଗୁଡ଼ିକର ସବୁ କ୍ଷମତାକୁ ଗତ କିଛି ଦିନ ତଳେ କାଏମ ରଖିଥିବା ସୁପ୍ରିମକୋର୍ଟ ପୁଣି ଥରେ ନିଜ ରାୟର ବିଚାର କରିବାକୁ ଯାଉଛନ୍ତି । ପ୍ରଧାନ ବିଚାରପତି ଜଷ୍ଟିସ ଏନ୍‌.ଭି.ରମନ୍ନାଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏହି ଆଇନ୍‌ରେ ରହିଥିବା ୨ଟି ବ୍ୟବସ୍ଥାର ପୁନଃବିଚାର କରାଯିବାର ଆବଶ୍ୟକତା ଥିବା ମତ ଦେଇଛନ୍ତି ।

ପୂର୍ବରୁ ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ ଏ.ଏମ୍‌.ଖାନ୍‌ୱିଲକରଙ୍କ ଖଣ୍ଡପୀଠ ମନିଲଣ୍ଡରିଂ ଆଇନ୍‌କୁ ଚ୍ୟାଲେଞ୍ଜ କରି ହୋଇଥିବା ଆବେଦନକୁ ଅଗ୍ରାହ୍ୟ କରିବା ସହ ଇଡିର ସବୁ କ୍ଷମତାକୁ କାଏମ ରଖିଥିଲେ । ତେବେ ଏହି ରାୟର ପୁନଃବିଚାର କରିବା ପାଇଁ କଂଗ୍ରେସ ନେତା କାର୍ତ୍ତି ଚିଦାମ୍ବରମ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ ଯାହାକୁ ପ୍ରଧାନ ବିଚାରପତିଙ୍କ ଖଣ୍ଡପୀଠ ଗ୍ରହଣ କରିଛନ୍ତି । ତଦନ୍ତକାରୀ ସଂସ୍ଥା ଜଣେ ଅଭିଯୁକ୍ତକୁ ଦୋଷୀ ବୋଲି ପ୍ରମାଣ କରିବା ଜରୁରୀ ନୁହେଁ । ଅଭିଯୁକ୍ତ ନିଜେ ନିଜକୁ ନିର୍ଦ୍ଦୋଷ ପ୍ରମାଣିତ କରିବାକୁ ପଡ଼ିବ ବୋଲି ମନି ଲଣ୍ଡରିଂ ଆଇନ୍‌ରେ ଥିବା ବ୍ୟବସ୍ଥାର ବିଚାର କରିବାକୁ ସୁପ୍ରିମକୋର୍ଟ ରାଜି ହୋଇଛନ୍ତି ।

ଜଷ୍ଟିସ ରମନ୍ନା କହିଛନ୍ତି ଯେ, ଏହି ୨ ଆଇନଗତ ବ୍ୟବସ୍ଥାର ପୁନଃବିଚାର କରାଯିବାର ଆବଶ୍ୟକତା ଥିବା ଖଣ୍ଡପୀଠ ଅନୁଭବ କରୁଛନ୍ତି । ଏଥିପାଇଁ ଅଦାଲତ ଜବାବ ରଖିବା ପାଇଁ କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି କରିଛନ୍ତି । ତେବେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜବାବ ସୁଆଲ କରୁଥିବା ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ପୁନଃବିଚାର ଆବେଦନକୁ ବିରୋଧ କରିଥିଲେ । ସେ କହିଥିଲେ, କେବଳ ଏହି ୨ଟି ପ୍ରସଙ୍ଗରେ ହିଁ ନୋଟିସ କରାଯିବାର ଆବଶ୍ୟକତା ରହିଛି । ତେବେ ଆବେଦନକାରୀଙ୍କ ଓକିଲ କପିଲ ଶିବଲ ପୂରା ରାୟର ସମୀକ୍ଷା କରିବା ପାଇଁ ନିବେଦନ କରିଥିଲେ । ଅଭିଯୁକ୍ତକୁ ଗିରଫ, ସମ୍ପତ୍ତି ଜବତ, ବିନା ୱାରେଣ୍ଟରେ ଅଭିଯୁକ୍ତର ବିଭିନ୍ନ ଠିକଣାରେ ରେଡ୍ ଓ ଜେରାବେଳେ ଅଭିଯୁକ୍ତ ଦେଉଥିବା ବୟାନକୁ ପ୍ରମାଣ ଭାବେ କୋର୍ଟରେ ଉପସ୍ଥାପନ କରାଯାଇପାରିବ ବୋଲି ପିଏମ୍‌ଏଲ୍‌ଏମ୍‌ରେ ଥିବା ଅନ୍ୟ ବ୍ୟବସ୍ଥାଗୁଡ଼ିକୁ ପୁନଃବିଚାର କରାଯିବ ନାହିଁ ।

ସୂଚନାଯୋଗ୍ୟ ଯେ, ଗତ ମାସରେ ଏହି ମାମଲାର ଶୁଣାଣି ବେଳେ ସର୍ବୋଚ୍ଚ ଅଦାଲତ ପିଏମ୍‌ଏଲ୍‌ଏମ୍‌ରେ ଥିବା ସବୁ ବ୍ୟବସ୍ଥାକୁ କାଏମ ରଖିଥିଲେ । ଏପରିକି ବିନା ସୂଚନାରେ ଅଭିଯୁକ୍ତକୁ ଗିରଫ କରାଯିବା ଏବଂ ସେମାନଙ୍କୁ ଅଭିଯୋଗ ସଂକ୍ରାନ୍ତ କପି ନଦେବାକୁ ନେଇ ଆବେଦନକାରୀ ଚ୍ୟାଲେଞ୍ଜ କରିଥିଲେ ।