‘ସିରିଏଲ କିଲର’ ଭାବେ ନିର୍ବାଚିତ ସରକାରଙ୍କୁ ହତ୍ୟା କରୁଛି ବିଜେପି : ଅରବିନ୍ଦ କେଜରୀୱାଲ

ନୂଆଦିଲ୍ଲୀ : (ସଂକେତ୍ ଟିଭି) ବିଜେପି ଓ ଆପ୍‌ ମଧ୍ୟରେ ବିବାଦ ତୀବ୍ର ହେଉଛି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍‌ ମୁଖ୍ୟ ଅରବିନ୍ଦ କେଜରୀୱାଲ ବିଜେପିକୁ ସରକାରଙ୍କ ସିରିଏଲ କିଲର ଭାବେ ଆଖ୍ୟା ଦେଇଛନ୍ତି । ଏହାଛଡା ସୋମବାର ଦିଲ୍ଲୀର ଆପ୍‌ ସରକାର ବିଧାନସଭାରେ ଆସ୍ଥା ଭୋଟ୍‌ ଲୋଡିବ ବୋଲି ସେ କହିଛନ୍ତି ।

ଅରବିନ୍ଦ କେଜରୀୱାଲ କହିଛନ୍ତି ଯେ ସେ ଆସ୍ଥା ଭୋଟ୍‌ ଆଣିବେ ଏବଂ ଏହା ପ୍ରମାଣିତ କରିବେ ଯେ ଆପ୍‌ର ଜଣେ କେହି ବିଧାୟକଙ୍କୁ ବିଜେପି ଭାଙ୍ଗିପାରିନାହିଁ । ବିଜେପିର ଅପରେସନ୍‌ ଲୋଟସ୍‌ ଏବେ ଅପରେସନ୍‌ କିଚଟ୍‌ (କାଦୁଅ) ହୋଇଛି ବୋଲି ସେ କହିଛନ୍ତି । ବିଜେପିର ଅପରେସନ୍‌ ଲୋଟସ୍‌ ଅରବିନ୍ଦ କେଜରୀୱାଲ ସରକାରକୁ ଭାଙ୍ଗିବା ପାଇଁ କରାଯାଇଥିଲା । ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଶ ସିସୋଦିଆଙ୍କୁ ମଦ ନୀତିର ଦୁର୍ନୀତି ଅଭିଯୋଗରେ ଜେରା କରାଯାଇଛି ।

ସିସୋଦିଆ କହିଥିଲେ ଯେ ତାଙ୍କୁ ବିଜେପିରେ ଯୋଗ ଦେବାକୁ ପ୍ରସ୍ତାବ ମିଳିଛି । ବିଜେପିରେ ଯୋଗଦେଇ ତାଙ୍କ ନାମରେ ହୋଇଥିବା ମାମଲାକୁ ପ୍ରତ୍ୟାହାର କରାଯିବ । ଶ୍ରୀ କେଜରୀୱାଲ କହିଛନ୍ତି ଯେ ସିବିଆଇ ଅନେକ କିଛି ଖୋଜିବାକୁ ଚେଷ୍ଟା କରିଛି ମାତ୍ର ସିସୋଦିଆଙ୍କ ଘରୁ ୨୫ ପଇସାଟେ ବି ପାଇନାହିଁ । ତା’ ପରଦିନ ବିଜେପି ପକ୍ଷରୁ ମନୀଶଙ୍କୁ ଅନୁରୋଧ କରାଯାଇଥିଲା ଯେ ତାଙ୍କୁ ମୁଖ୍ୟମନ୍ତ୍ରୀ କରାଯିବ । ସେ ଆପ୍‌ ଭାଙ୍ଗି ବିଧାୟକମାନଙ୍କୁ ଆଣନ୍ତୁ । ପ୍ରତି ବିଧାୟକଙ୍କୁ ୨୦ କୋଟି ଟଙ୍କା ଦିଆଯିବ । ୪୦ ବିଧାୟକ ଭାଙ୍ଗିବା ପାଇଁ ଯୋଜନା କରାଯାଇଥିଲା ।

ବିଜେପି ଏବେ ସିରିଏଲ କିଲର ଭାବେ ଦେଶର ଅନ୍ୟାନ୍ୟ ରାଜ୍ୟରେ ନିର୍ବାଚିତ ସରକାରଙ୍କୁ ଭାଙ୍ଗିବାରେ ଲାଗିଛି । ଏହିବର୍ଷ ବିଜେପି ୨୭୭ ବିଧାୟକ ଆଣିଛି । ଅପରେସନ୍‌ ଲୋଟସରେ ୫ ହଜାର ୫୦୦ କୋଟି ଖର୍ଚ୍ଚ କରାଯାଇଛି । ଦିଲ୍ଲୀ ପାଇଁ ୮୦୦ କୋଟି ଟଙ୍କାର ବଜେଟ୍‌ କରାଯାଇଥିଲା ।