ବାଲେଶ୍ୱରରୁ ୩୦ ଲକ୍ଷ ଟଙ୍କା ଠକେଇ ମାମଲା ନାଇଜେରୀୟ ସ୍ବାମୀ-ସ୍ତ୍ରୀ ଗିରଫ

ବାଲେଶ୍ବର : (ସଂକେତ୍ ଟିଭି) ଦାମୀ ଉପହାର ପଠାଇବାର ପ୍ରଲୋଭନ ଦେଖାଇ ବାଲେଶ୍ବର ସହରର ବାଲିଆ ଅଞ୍ଚଳର ଜଣେ ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କଠାରୁ ୩୦ ଲକ୍ଷ ଟଙ୍କା ଲୁଟ ଘଟଣାରେ ନୂଆଦିଲ୍ଲୀରୁ ଆଉ ୨ ଜଣ ଗିରଫ ହୋଇଛନ୍ତି। ଦୁହେଁ ସ୍ୱାମୀ-ସ୍ତ୍ରୀ ହୋଇଥିବା ଜଣାପଡ଼ିଛି । ଗିରଫ ଦୁଇ ଜଣ ହେଲେ ଏମାଉନେଲ ନାମମାନି କେଲଭିନ ଓଟୁସୋରୋ ନାମନା ଓ ପତ୍ନୀ ଟି.ସୁଚିମ ଟିଖୀର । ସେମାନଙ୍କଠାରୁ ଗୋଟିଏ କାର୍, ୨ଟି ଲାପଟପ୍, ଦୁଇଟି ନକଲି ପାସପୋର୍ଟ, ୭ଟି ମୋବାଇଲ, ସୁନାଗହଣା ଜବତ କରାଯାଇଛି। ୬ ଅଗଷ୍ଟରେ ନାଇଜେରିଆର ଜଣେ ଅଭିଯୁକ୍ତ ସାମସନ୍ ଏମେକେ ଅଲିକା (୩୯)କୁ ପୋଲିସ ଗିରଫ କରିଥିଲା ।

ସୂଚନା ଅନୁସାରେ, ଅନଲାଇନରେ ବିଦେଶୀ ମହିଳାଙ୍କ ନାଁରେ ଫେସବୁକ, ହ୍ବାଟସଆପ ଆକାଉଣ୍ଟ ଖୋଲି ଏହି ଅଭିଯୁକ୍ତମାନେ ନାନା ପ୍ରଲୋଭନ ଦେଖାଇ ଲକ୍ଷ ଲକ୍ଷ ଟଙ୍କା ଠକି ନେଉଥିଲେ । ଏପରିକି ମହିଳାଙ୍କ ଫଟୋ ସହ ଆପତ୍ତିଜନକ ଫଟୋ ଦେଖାଇ ବନ୍ଧୁତା ସ୍ଥାପନ କରି ନାନା ଆଳରେ ବିଭିନ୍ନ ଲୋକଙ୍କଠାରୁ ଅର୍ଥ ଲୁଟୁଥିଲେ।

ବାଲେଶ୍ବର ସହର ସହଦେବଖୁଣ୍ଟା ଥାନା ବାଲିଆ ଅଞ୍ଚଳର ଜଣେ ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ସହ ଅଭିଯୁକ୍ତ ଏକ ନକଲି ଫେସବୁକ୍ ଆକାଉଣ୍ଟ ଜରିଆରେ ବନ୍ଧୁତା ସ୍ଥାପନ କରିଥିଲେ। ପରେ ତାଙ୍କ ହ୍ବାଟ୍ସଆପ୍ ନମ୍ବର ସଂଗ୍ରହ କରି କିଛି ଦିନ ଚାଟିଂ କରିବା ସହ ଲଣ୍ଡନରୁ ରୋଲେକ୍ସ ଘଡ଼ି ଓ ଆଇଫୋନ୍ ଭଳି ଦାମୀ ଉପହାର ପଠାଇବ ବୋଲି ଲୋଭ ଦେଖାଇଥିଲେ। କିଛିଦିନ ପରେ ଅଭିଯୁକ୍ତମାନେ ନିଜକୁ ଦିଲ୍ଲୀ ଅନ୍ତର୍ଜାତୀୟ ବିମାନବନ୍ଦରର କଷ୍ଟମ୍ ଅଧିକାରୀ ଭାବେ ପରିଚୟ ଦେଇ ତାଙ୍କର କିଛି ସାମଗ୍ରୀ ବିଦେଶରୁ ଆସିଛି, କଷ୍ଟମ୍ ଚାର୍ଜ ପୈଠ କଲେ ସାମଗ୍ରୀ ପଠାଇବେ ବୋଲି କହିଥିଲେ। ଅଭିଯୋଗକାରୀ ମଧ୍ୟ ତାଙ୍କ କଥାରେ ଭଳିଯାଇ ଟଙ୍କା ପଠାଇଥିଲେ। ଭିନ୍ନଭିନ୍ନ ଆକାଉଣ୍ଟକୁ ପ୍ରାୟ ୩୦ ଲକ୍ଷ ଟଙ୍କା ପଠାଇ ସାରିବା ପରେ ସେପଟୁ କୌଣସି ସାମଗ୍ରୀ ନଆସିବାରୁ ଓ ଯୋଗାଯୋଗ ନହେବାରୁ ସେ ଠକାମୀର ଶିକାର ହୋଇଥିବା ଜାଣିପାରିଥିଲେ।

ବାଲେଶ୍ବର ସାଇବର ଥାନାରେ ଏନେଇ ଅଭିଯୋଗ ହେବା ପରେ ଟଙ୍କା ଜମା ହୋଇଥିବା ଅଭିଯୁକ୍ତଙ୍କ ଆକାଉଣ୍ଟକୁ ଫ୍ରିଜ କରିଥିଲେ । ଏହା ସହିତ ଅଭିଯୁକ୍ତର ଫୋନ ନମ୍ବର ଓ ଫେସବୁକ ଏକାଉଣ୍ଟ ଖୋଳତାଡ଼ କରିବା ପରେ ଗୋଟିଏ ନମ୍ବରକୁ ଟ୍ରାକ କରି କିଛି ତଥ୍ୟ ହାତେଇ ଥିଲେ। ଅଭିଯୋଗକାରୀଙ୍କ ନିକଟକୁ ଆସିଥିବା କଲ୍, ହ୍ବାଟ୍ସଆପ୍ ମେସେଜ୍, ବ୍ୟାଙ୍କ ଆକାଉଣ୍ଟ ଆଦିକୁ ଖୋଳତାଡ଼ କରିବା ସହ ଶେଷରେ ପୋଲିସ ଏହି ନାଇଜେରୀୟ ଠକ ପାଖରେ ପହଞ୍ଚିଥିଲା।