ରାଜ୍ୟର ସବୁ ଗାଁରୁ ସଂଗ୍ରହ ହେବ ପ୍ଲାଷ୍ଟିକ୍‌ ବର୍ଜ୍ୟ

ଭୁବନେଶ୍ବର : (ସଂକେତ୍ ଟିଭି) ସାରା ରାଜ୍ୟରେ ଗୋଟିଏ ଥର ବ୍ୟବହାର ଯୋଗ୍ୟ ପ୍ଲାଷ୍ଟିକ୍‌ ନିଷିଦ୍ଧ ଆଇନକୁ କଡ଼ାକଡ଼ି ଭାବେ ଲାଗୁ କର । ସ୍ୱତନ୍ତ୍ର ସ୍କ୍ୱାର୍ଡ୍‌ ମାଧ୍ୟମରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ନିଷିଦ୍ଧ ପ୍ଲାଷ୍ଟିକ୍‌ ଉକ୍ସଊାଦନ ଓ ବ୍ୟବହାରକାରୀ ଦୋକାନୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଅ । ଏଥିପାଇଁ ଗ୍ରାମ ପଞ୍ଚାୟତ ଏବଂ ସହରାଞ୍ଚଳ ମଧ୍ୟରେ ସମନ୍ୱୟକୁ ଅଧିକ ଦୃଢ଼ିଭୂତ କର। ପ୍ଲାଷ୍ଟିକ୍‌ ବର୍ଜ୍ୟ ସଂଗ୍ରହ ଓ ପରିଚାଳନା ବୈଠକରେ ଏମିତି କହିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ।

ଏହାସହ ପର୍ଯ୍ୟାୟକ୍ରମେ ସମସ୍ତ ପଞ୍ଚାୟତ ଓ ଗ୍ରାମକୁ ପ୍ଲାଷ୍ଟିକ୍‌ ବର୍ଜ୍ୟ ସଂଗ୍ରହ ଏବଂ ପରିଚାଳନା କାର୍ଯ୍ୟକ୍ରମ ସହ ସଂଯୋଜିତ କରିବା ନିମନ୍ତେ ମୁଖ୍ୟ ସଚିବ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ । ଶୁକ୍ରବାର ଲୋକସେବା ଭବନରେ ଡିଜିଟାଲ ମୋଡରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଟାକ୍ସ ଫୋର୍ସ କମିଟି ବୈଠକରେ ଶ୍ରୀ ମହାପାତ୍ର ଅଧ୍ୟକ୍ଷତା କରିଥିଲେ । ଏବେ ସୁଦ୍ଧା ନିଆଯାଇଥିବା ପଦକ୍ଷେପ ଗୁଡ଼ିକର ସମୀକ୍ଷା କରି ଆଇନକୁ କଡାକଡି ଭାବେ ଲାଗୁ କରିବା ପାଇଁ ଶ୍ରୀ ମହାପାତ୍ର ଜିଲ୍ଲାପାଳ, ଡିଏଫ୍‌ଓ ଏବଂ ସମ୍ପୃକ୍ତ ବିଭାଗର କ୍ଷେତ୍ରସ୍ତରୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଥରେ ବ୍ୟବହାର ଯୋଗ୍ୟ ନିଷିଦ୍ଧ ପ୍ଲାଷ୍ଟିକ୍‌ ଉତ୍ପାଦନ ୟୁନିଟ୍‌ ଓ ବିକ୍ରୀ କରୁଥିବା ଦୋକାନୀମାନଙ୍କ ବିରୁଦ୍ଧରେ କଡା ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କୁହାଯାଇଛି । ନିଜ ନିଜ ଜିଲ୍ଲା ଓ ବନଖଣ୍ଡରେ ହାଟ ବଜାର, ପର୍ଯ୍ୟଟନସ୍ଥଳୀ, ସାଧାରଣ ସମାଗମ ସ୍ଥାନ ଆଦିରେ ପ୍ଲାଷ୍ଟିକ୍‌ ବ୍ୟବହାର ବାରଣର ଅନୁପାଳନ ସମ୍ପର୍କରେ ପ୍ରତି ମାସରେ ରିପୋର୍ଟ୍‌ ଦେବା ପାଇଁ ଜିଲ୍ଲାପାଳ ଏବଂ ବନଖଣ୍ଡ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ବର୍ଜ୍ୟ ପୃଥକୀକରଣ ଏବଂ ପୁନଃ ବ୍ୟବହାର କେନ୍ଦ୍ର ଏବଂ ପ୍ଲାଷ୍ଟିକ୍‌ ରୂପାନ୍ତରଣ ୟୁନିଟ୍‌ ଗୁଡ଼ିକର ଦକ୍ଷତା ବଢ଼ାଇବା ପାଇଁ ମଧ୍ୟ ବୈଠକରେ ନିଷ୍ପତ୍ତି ହୋଇଛି ।

ସେ କହିଛନ୍ତି, ଥରେ ବ୍ୟବହାର ଯୋଗ୍ୟ ନିଷିଦ୍ଧ ପ୍ଲାଷ୍ଟିକ୍‌, ପଲିଥିନ୍‌ ବ୍ୟାଗ୍‌, କ୍ୟାରି ବ୍ୟାଗ୍‌, ପ୍ଲାଷ୍ଟିକ୍‌ ଗ୍ଲାସ୍‌ ଆଦି ବ୍ୟବହାର ନକରିବା ପାଇଁ ସଚେତନତା କାର୍ଯ୍ୟକ୍ରମକୁ ଅଧିକ ବ୍ୟାପକ ଓ ସଘନ କରିବା ନିମନ୍ତେ ବୈଠକରେ ନିଷ୍ପତ୍ତି ହୋଇଛି । ବିଦ୍ୟାଳୟମାନଙ୍କରେ ଗଠନ ହୋଇଥିବା ଇକୋ-କ୍ଲବ୍‌, ସାମ୍ବାଦିକ, ବରିଷ୍ଠ ନାଗରିକ, ସମ୍ମାନଷ୍ପଦ ବ୍ୟକ୍ତି ବିଶେଷ, ନିର୍ବାଚିତ ପ୍ରତିନିଧି, ବାର୍‌ ଆସୋସିଏସନ୍‌, ରୋଟାରୀ ଓ ଲାୟନ୍ସ କ୍ଲବ ଏବଂ ସ୍ଥାନୀୟ ସେ୍ୱଚ୍ଛାସେବୀ ଅନୁଷ୍ଠାନମାନଙ୍କୁ ଅଭିଯାନରେ ସକ୍ରିୟଭାବେ ସାମିଲ୍‌ କରିବା ପାଇଁ ପରାମର୍ଶ ଦିଆଯାଇଛି । ୨୦୨୧-୨୨ ବର୍ଷରେ ପ୍ରାୟ ବର୍ତ୍ତମାନ ସୁଦ୍ଧା ପ୍ରାୟ ୮୬ ଟନରୁ ଉଦ୍ଧ୍ୱର୍ ପ୍ଲାଷ୍ଟିକ୍‌ ବର୍ଜ୍ୟ ଗ୍ରାମାଞ୍ଚଳରୁ ସଂଗ୍ରହ କରାଯାଇ ନିକଟତମ ସହରାଞ୍ଚଳ ବର୍ଜ୍ୟ ପରିଚାଳନା କେନ୍ଦ୍ରରେ ପହଞ୍ଚା ଯାଇଛି । ଏହା ବ୍ୟତୀତ ପ୍ରାୟ ୧୯୦୦ ବର୍ଜ୍ୟ ଏକତ୍ରୀକରଣ ସଂସ୍ଥା ଇତି ମଧ୍ୟରେ ୨୩୦୧ ଟନ୍‌ ପ୍ଲାଷ୍ଟିକ୍‌ ବର୍ଜ୍ୟ ସଂଗ୍ରହ କରିଥିବାର ଜଣାଇଛନ୍ତି । ସଂଗୃହିତ ପ୍ଲାଷ୍ଟିକକୁ ପୁନଃ-ବ୍ୟବହାର ପୂର୍ବବର୍ତ୍ତୀ ପ୍ରକ୍ରିୟାକରଣ ନିମନ୍ତେ ଘରୋଇ ନିବେଶ ସହଭାଗିତାରେ ସ୍ୱତନ୍ତ୍ର ୟୁନିଟମାନ ପ୍ରତିଷ୍ଠା କରାଯାଇଛି ।

ଗ୍ରାମ ପଞ୍ଚାୟତ ଓ ସ୍ୱଚ୍ଛ ଭାରତ ଅଭିଯାନର ସହଯୋଗିତାରେ ଗ୍ରାମସ୍ତରୀୟ ବର୍ଜ୍ୟ ମହଜୁଦ ସେଡ୍‌ମାନ ମଧ୍ୟ ନିର୍ମାଣ କରାଯାଇଛି ।ସେହିପରି ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ପୁର୍ତ୍ତ, ଗ୍ରାମ ଉନ୍ନୟନ, ଗୃହ ଓ ନଗର ଉନ୍ନୟନ ବିଭାଗ ଯନ୍ତ୍ରୀ ଓ ବିଶେଷଜ୍ଞ ମାନଙ୍କ ସହ ବୈଠକ କରି ରାସ୍ତା ନିର୍ମାଣରେ ପ୍ଲାଷ୍ଟିକର ନିୟମିତ ଯୋଗାଣ ଓ ବ୍ୟବହାର ନିଶ୍ଚିତ କରାଇବା ନିମନ୍ତେ ମୁଖ୍ୟ ଶାସନ ସଚିବ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସିମେଣ୍ଟ ପ୍ରସ୍ତୁତିରେ ଅଧିକ ପ୍ଲାଷ୍ଟିକ୍‌ ବର୍ଜ୍ୟ ବ୍ୟବହାର ନିମନ୍ତେ ନିଜ ନିଜ ପ୍ଲାଣ୍ଟର ଦକ୍ଷତା ବଢ଼ାଇବାକୁ ସଂପୃକ୍ତ କମ୍ପାନୀମାନଙ୍କୁ କୁହାଯାଇଛି ।

ବର୍ତ୍ତମାନ ସୁଦ୍ଧା ୧୧,୬୯୩ ଟି ଗ୍ରାମରେ ପ୍ଲାଷ୍ଟିକ୍‌ ବର୍ଜ୍ୟ ପରିଚାଳନା ନିମନ୍ତେ ଆବଶ୍ୟକୀୟ ଭିତ୍ତିଭୂମି ତିଆରି ହୋଇଛି । ୩୦୯୭ ଗ୍ରାମ ପଞ୍ଚାୟତରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଦ୍ୱାରା କଠିନ ବର୍ଜ୍ୟବସ୍ତୁ ଏବଂ ପ୍ଲାଷ୍ଟିକ ବର୍ଜ୍ୟ ପରିଚାଳନା କରାଯାଉଛି । ୧୩୦୬ ଗ୍ରାମରେ ଘରକୁ ଘର ପ୍ଲାଷ୍ଟିକ୍‌ ବର୍ଜ୍ୟ ସଂଗ୍ରହ ବ୍ୟବସ୍ଥା ଆରମ୍ଭ ହୋଇଛି । ୧୩,୮୩୪ ଟି ବର୍ଜ୍ୟ ପୃଥକୀକରଣ ସ୍ଥାନ ତିଆରି କରାଯାଇଛି । ପ୍ରାୟ ୧୩,୪୫୫ ତିନି ଚକିଆ ଗାଡ଼ିକୁ ଗ୍ରାମାଞ୍ଚଳରେ କଠିନ ବର୍ଜ୍ୟବସ୍ତୁ ସଂଗ୍ରହ ଓ ପରିବହନ କାର୍ଯ୍ୟରେ ନିୟୋଜିତ କରାଯାଇଛି ।