ଦେଶର ପ୍ରଧାନ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ୍ ୟୁୟୁ ଲଳିତ

ନୂଆଦିଲ୍ଲୀ : (ସଂକେତ୍ ଟିଭି) ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଭାବେ ଜଷ୍ଟିସ୍ ଉଦୟ ଉମେଶ ଲଳିତ ଶପଥ ନେଇଛନ୍ତି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ରାଷ୍ଟ୍ରପତି ଭବନର ଦରବାର ହଲ୍ ଠାରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହୋଇଥିଲା ।

ଜଷ୍ଟିସ୍ ୟୁୟୁ ଲଳିତଙ୍କ ଘର ମହାରାଷ୍ଟ୍ରରେ । ତାଙ୍କର ୯୦ ବର୍ଷୀୟ ଜେଜେବାପା ରଙ୍ଗନାଥ ଲଳିତ୍ ଜଣେ ଆଇନଜୀବୀ ଥିଲେ । ଭାରତ ସ୍ବାଧୀନ ହେବା ପୂର୍ବରୁ ସେ ସୋଲାପୁରରେ ଓକିଲାତି କରୁଥିଲେ । ନିଜ ରାଜ୍ୟରେ ଦୀର୍ଘ ଦିନ ଧରି ଓକିଲାତି କରିବା ପରେ ସେ ହାଇକୋର୍ଟରେ ବିଚାରପତି ଭାବେ ନିଯୁକ୍ତ ହୋଇଥିଲେ । ତାଙ୍କ ପିତା ଉମେଶ ରଙ୍ଗନାଥ ଲଲିତ୍ ମଧ୍ୟ ସୋଲାପୁରରେ ଓକିଲାତି ଆରମ୍ଭ କରିଥିଲେ । ଜଷ୍ଟିସ୍‌ ଲଳିତଙ୍କ ପତ୍ନୀ ଅମିତା ଲଳିତ୍ ଜଣେ ଶିକ୍ଷାବିତ୍ ଅଟନ୍ତି । ସେ ନୋଏଡା ଠାରେ ଏକ ସ୍କୁଲ ପରିଚାଳିତ କରୁଛନ୍ତି । ତାଙ୍କର ଦୁଇଟି ପୁଅ ମଧ୍ୟ ଅଛନ୍ତି । ବଡ ପୁଅ ଶ୍ରେୟାସ୍ ଲଳିତ୍ ଇଞ୍ଜିନିୟରିଂ ପରେ ଓକିଲାତି କରୁଥିବା ବେଳେ ତାଙ୍କର ପତ୍ନୀ ମଧ୍ୟ ଓକିଲ ଅଟନ୍ତି । ସାନ ପୁଅ ହର୍ଷଦ ୟୁଏସରେ ରିସର୍ଚ୍ଚ ଭାବେ କାର୍ଯ୍ୟ କରୁଛନ୍ତି । ଅର୍ଥାତ୍ ୟୁୟୁ ଲଳିତଙ୍କ ଜେଜେବାପାଙ୍କ ଠାରୁ ଆରମ୍ଭ କରି ବାପା ଓ ପୁଅ ମଧ୍ୟ ଆଇନ କ୍ଷେତ୍ର ସହ ଜଡିତ ଅଛନ୍ତି ।

ୟୁୟୁ ଲଳିତ୍ ଦିଲ୍ଲୀରେ ଅପରାଧିକ ମାମଲା ଲଢି ଟପ୍‌ କ୍ରିମିନାଲ ଲୟର ଭାବେ ବେଶ୍ ଖ୍ୟାତି ଅର୍ଜନ କରିଥିଲେ । ଏହାପରେ ତାଙ୍କୁ ସୁପ୍ରିମକୋର୍ଟରେ ବରିଷ୍ଠ ଆଇନଜୀବୀ ଭାବେ ସୁଯୋଗ ମିଳିଥିଲା । ୨୦୧୪ରେ ସେ ଜଣେ ଆଇନଜୀବୀରୁ ସେ ସିଧାସଳଖ ସୁପ୍ରିମକୋର୍ଟ ବିଚାରପତି ରୂପେ ନିଯୁକ୍ତ ହୋଇଥିଲେ ।

ସୂଚନାଥାଉକି, ଗତକାଲି ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଏନଭି ରମଣା ବିଦାୟ ନେଇଥିଲେ । ଏହାପରେ ଜଷ୍ଟିସ୍ ୟୁୟୁ ଲଳିତଙ୍କୁ ୪୯ତମ ପ୍ରଧାନ ବିଚାରପତି ଭାବେ ଭାବେ ଦାୟିତ୍ବ ଅର୍ପଣ କରାଯାଇଛି ।