ଚୀନର ୨୬ଟି ବିମାନର ଉଡ଼ାଣ ବାତିଲ କରିବ ଆମେରିକା

ନୂଆଦିଲ୍ଲୀ : (ସଂକେତ୍ ଟିଭି) ଆମେରିକା ଓ ଚୀନ ମଧ୍ୟରେ ତିକ୍ତତା ବଢ଼ିବାରେ ଲାଗିଛି । ଚୀନକୁ ଉଚିତ ଜବାବ ଦେବାକୁ ଆମେରିକା ଯେସାକୁ ତେସା ନୀତି ଆପଣାଇଛି । ମହାମାରୀ କରୋନା ଆଳରେ ଚୀନ ସରକାର ଆମେରିକାର କିଛି ବିମାନ ଉଡ଼ାଣକୁ ବାତିଲ କରିଥିଲେ । ଏବେ ଆମେରିକା ମଧ୍ୟ କରୋନା ଆଳରେ ଚାଇନାର ୨୬ଟି ବିମାନ ଉଡ଼ାଣ ବାତିଲ କରିବାକୁ ନିଷ୍ପତ୍ତି ନେଇଛନ୍ତି । ବାତିଲ ହେବାକୁ ଥିବା ବିମାନଗୁଡ଼ିକ ଆମେରିକାରୁ ଚୀନ ଯିବାର ଥିଲା । ସେପ୍ଟେମ୍ବର ୫ରୁ ସେପ୍ଟେମ୍ବର ୨୮ ଯାଏ ବାତିଲ ନିୟମ କାର୍ଯ୍ୟକରିବାକୁ ଆମେରିକା ପ୍ରଶାସନ ନିଷ୍ପତ୍ତି ନେଇଛି ।

ନିଷ୍ପତ୍ତି ଅନୁଯାୟୀ, ଜିଆମେନ, ଏୟାର ଚାଇନା, ଚାଇନା ସାଉର୍ଥନ ଏୟାରଲାଇନ୍ସ ଓ ଚାଇନା ଇଷ୍ଟର୍ଣ୍ଣ ଏୟାରଲାଇନ୍ସର ୨୬ଟି ବିମାନକୁ ବାତିଲ କରାଯିବ । ନିକଟରେ ଚାଇନା କରୋନା ମାମଲା ପାଇଁ ଆମେରିକା ଏୟାରଲାଇନ୍ସ, ଡେଲଫା ଏୟାର ଲାଇନ୍ସ ଓ ୟୁନାଇଟେଡ ଏୟାରଲାଇନ୍ସର ୨୬ଟି ବିମାନର ଉଡ଼ାଣ ବାତିଲ କରିଥିଲା । ତେଣୁ ଆମେରିକା ସମାନ ପଦକ୍ଷେପ ଗ୍ରହଣ କରିଛି । ବାତିଲ ହେବାକୁ ଥିବା ବିମାନଗୁଡ଼ିକ ମଧ୍ୟରେ ୧୯ଟି ଲସ୍‌ଆଞ୍ଜେଲ୍ସ ଓ ୭ଟି ନ୍ୟୁୟର୍କରୁ ଉଡ଼ାଣ ଭରିବାର ଥିଲା । ତେବେ ଆମେରିକା ଏପରି ପଦକ୍ଷେପ ସମ୍ପର୍କରେ ୱାଶିଂଟନରେ ଅବସ୍ଥାପିତ ଚାଇନିଜ ଦୂତାବାସ ପକ୍ଷରୁ ଏଯାଏ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ ।

ଆମେରିକାର ଡିପାର୍ଟମେଣ୍ଟ ଅଫ ଟ୍ରାନ୍ସପ୍ରୋଟେନ ବା ୟୁଏସଡିଓଟି କହିଛି ଯେ ଅଗଷ୍ଟ ୭ରେ ଚାଇନିଜ ଅଧିକାରୀମାନେ ନିଜର ନୀତି ହଠାତ୍‌ ପରିବର୍ତ୍ତନ କରିଥିଲେ । ଯଦି ଚାଇନା ଯାଉଥିବା କୌଣସି ବିମାନରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ମୋଟ ଯାତ୍ରୀଙ୍କ ସଂଖ୍ୟାର ୪%ରେ ପହଞ୍ଚେ, ତା’ହେଲେ ଗୋଟିଏ ବିମାନ ବାତି କରାଯିବ । ସେହିପରି ସଂଖ୍ୟା ସଂଖ୍ୟା ୮%ରେ ପହଞ୍ଚିଥିଲେ ଦୁଇଟି ବିମାନ ବାତିଲ ହେବ ବୋଲି ନିୟମ ପ୍ରଣୟନ କରାଯାଇଛି । ଏହା ବିରୋଧରେ ଆମେରିକା ପ୍ରଶାସନ ବାରମ୍ବାର ଚାଇନା ସରକାରଙ୍କ ଆଗରେ ସ୍ୱର ଉଠାଇଥିଲା ।