ବିମାନ ବନ୍ଦରରୁ ୯୯ କୋଟି ଟଙ୍କାର ଡ୍ରଗ୍ସ ସହ ଶିକ୍ଷକ ଗିରଫ

ବେଙ୍ଗାଲୁରୁ : (ସଂକେତ୍ ଟିଭି) ବେଙ୍ଗାଲୁରୁର ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦରରୁ ବଡ ଧରଣର ଡ୍ରଗ୍ସ ଜବତ କରାଯାଇଛି । ଶନିବାର ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ (ଡିଆରଆଇଃ) ଅଧିକାରୀ ଏକ ବଡ଼ ଧରଣର ହେରୋଇନ ଜବତ କରିଛନ୍ତି ।
ତେବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେଉଁ ବ୍ୟକ୍ତିଙ୍କ ଠାରୁ ଡ୍ରଗ୍ସ ଜବତ କରାଯାଇଛି ସେ ଜଣେ ଶିକ୍ଷକ । ଜବତ ହେରୋଇନର ପରିମାଣ ୧୪ କିଲୋ ଗ୍ରାମ ହୋଇଥିବା ବେଳେ ଏହାର ବଜାର ମୂଲ୍ୟ ପ୍ରାୟ ୯୯ କୋଟି ଟଙ୍କା ବୋଲି ଜଣାପଡିଛି ।

ଡିଆରଆଇକୁ ଗୁଇନ୍ଦା ସୂଚନା ମିଳିବା ପରେ ଏକ ଟିମ ଗଠନ କରାଯାଇଥିଲା । ବ୍ୟକ୍ତି ଜଣଙ୍କ ବେଙ୍ଗାଲୁରୁ ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଅଟକ ରଖାଯାଇଥିଲା । ଅଭିଯୁକ୍ତ ଶିକ୍ଷକ ଇଥୋପିଆନ ଏୟାର ଲାଇନ୍ସ ଆଡିସ ଅବାବାରୁ ବେଙ୍ଗାଲୁରୁ ପହଞ୍ଚିଥିଲେ । ଗିରଫ ଶିକ୍ଷକଙ୍କୁ ଜେରା କରିବା ପରେ ତାଙ୍କ ନିକଟରୁ ଏକ ଟିକଟ ମିଳିଥିଲା । ଟିକଟ ଅନୁସାରେ ବ୍ୟକ୍ତି ଜଣଙ୍କ ବେଙ୍ଗାଲୁରୁରେ ଓହ୍ଲାଇବା ପରେ ଦିଲ୍ଲୀ ଯାତ୍ରା କରିଥାନ୍ତେ । ସେଠାରେ ଏହି ଡ୍ରଗ୍ସ ଗୁଡିକୁ ଜଣେ ରିସିଭରକୁ
ହସ୍ତାନ୍ତର କରିଥାନ୍ତେ । ବ୍ୟକ୍ତି ଜଣକ ଏକ ଘରୋଇ ସ୍କୁଲରେ ଶିକ୍ଷକ ଥିଲେ କିନ୍ତୁ କରୋନା ସମୟରେ ତାଙ୍କ ଚାକିରି ଚାଲି ଯାଇଥିବା ତଦନ୍ତରୁ ଜଣାପଡିଛି । ଏବେ ଗିରଫ ଶିକ୍ଷକଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି ।
ବ୍ୟକ୍ତିଙ୍କୁ ବେଙ୍ଗାଲୁରୁ ସେଣ୍ଟ୍ରାଲ ପଠାଯାଇଛି ।