୫ଜି ସେବା ଆରମ୍ଭ ବିଷୟରେ ମୁକେଶ ଅମ୍ବାନୀଙ୍କ ବଡ ଘୋଷଣା

ମୁମ୍ବାଇ :(ସଂକେତ୍ ଟିଭି) ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ବାର୍ଷିକ ସାଧାରଣ ବୈଠକ (ଏଜିଏମ)ରେ ୫ଜି ସେବା ଆରମ୍ଭ ବିଷୟରେ ମୁକେଶ ଅମ୍ବାନୀ ଏକ ବଡ ଘୋଷଣା କରିଛନ୍ତି। ଆସନ୍ତା ଦୀପାବଳି ସୁଦ୍ଧା ୫ଜି ସେବା ପ୍ରଦାନ କରିବ ବୋଲି ସେ ଘୋଷଣା କରିଛନ୍ତି । ଏହାସହ କମ୍ପାନି ଜିଓ ଫୋନ ୫ଜି ବାବଦରେ ମଧ୍ୟ ଘୋଷଣା କରିଛି। କମ୍ପାନି ଏହାକୁ ଗୁଗଲ ସହ ପାର୍ଟନରଶିପ କରି ନିର୍ମାଣ କରିବ।

ମୁକେଶ ଅମ୍ବାନୀ କହିଛନ୍ତି ଯେ ଚଳିତ ବର୍ଷ ଦୀପାବଳୀଠାରୁ ଦେଶରେ ଜିଓ ୫ଜି ସେବା ଆରମ୍ଭ ହେବ। ପ୍ରାରମ୍ଭରେ କମ୍ପାନି ଦିଲ୍ଲୀ, ମୁମ୍ବାଇ, କୋଲକାତା ଏବଂ ଚେନ୍ନାଇରେ ଜିଓ ୫ଜି ସେବା ଆରମ୍ଭ କରିବ। ଡିସେମ୍ବର ୨୦୨୩ସୁଦ୍ଧା ସାରା ଦେଶରେ ଜିଓ ୫ଜି ଇଣ୍ଟରନେଟ୍ ସେବା ଆରମ୍ଭ କରିବାକୁ କମ୍ପାନି ଲକ୍ଷ୍ୟ ରଖିଥିବା କହିଛନ୍ତି ମୁକେଶ ଅମ୍ବାନୀ।

ମୁକେଶ ଅମ୍ବାନୀ କହିଛନ୍ତି ଯେ ଜିଓ ୫ଜି ଅତି ସୁଲଭ ମୂଲ୍ୟରେ ବହୁତ ଭଲ ଗୁଣର ଇଣ୍ଟରନେଟ୍ ସଂଯୋଗ ଯୋଗାଇବ । ଜିଓ ୫ଜି ଦୁନିଆର ସବୁଠାରୁ ବଡ ଏବଂ ଉନ୍ନତ ୫ଜି ନେଟୱାର୍କ ହେବ। ଅନ୍ୟ ଅପରେଟର୍ସମାନେ ନନ୍-ଷ୍ଟାଣ୍ଡ୍ ଏଲୋନ ୫ଜି ସେବା ଦେଉଥିବାା ବେଳେ ଜିଓ ଉପଭୋକ୍ତାମାନଙ୍କୁ ସର୍ବୋତ୍ତମ ୫ଜି ଅଭିଜ୍ଞତା ଦେବା ପାଇଁ ଅତ୍ୟାଧୁନିକ ଷ୍ଟାଣ୍ଡ ଏଲୋନ ୫ଜି ସେବା ପ୍ରଦାନ କରିବାକୁ ଯାଉଛି। ଏହି ଇଭେଣ୍ଟରେ ଉପଭୋକ୍ତା ଏବଂ ଅଂଶୀଦାରମାନଙ୍କୁ ସମ୍ବୋଧିତ କରି ମୁକେଶ ଅମ୍ବାନୀ ଜିଓ ୫ଜିକୁ ଟ୍ରୁ ୫ଜି ବୋଲି କହିଥିଲେ।

ଜିଓ ଫୋନ୍ ୫ଜି କୁ ନେଇ ଅଧିକ ସୂଚନା ଦିଆଯାଇ ନାହିଁ। କିନ୍ତୁ ଏହାକୁ ନେଇ ପୂର୍ବରୁ ମଧ୍ୟ ଏକ ରିପୋର୍ଟ ସାମନାକୁ ଆସି ସାରିଛି। ଜିଓ ଫୋନ ୫ଜି ଶସ୍ତାରେ ଲୋକଙ୍କୁ ମିଳିପାରିବ ବୋଲି ରିପୋର୍ଟରେ ଦାବି କରାଯାଇଥିଲା।

ଏକ ରିପୋର୍ଟ ଅନୁସାରେ, ଜିଓ ଫୋନ୍ ୫ଜି ରେ କମ୍ପାନି Qualcomm Snapdragon ୪୮୦ ପ୍ରୋସେସର ବ୍ୟବହାର କରିପାରେ। ଏଥିରେ ୪ ଜିବି ରାମ ଏବଂ ୩୨ ଜିବି ଯାଏଁ ଇଣ୍ଟରନାଲ ମେମୋରୀ ରହିବ। ଜିଓ ଫୋନ ୫ଜିରେ ୬.୫ ଇଞ୍ଚର HD+ IPS LCD ସ୍କ୍ରିନ ମିଳିପାରେ। ଜିଓ ଫୋନ୍ ୫ଜିର ମୂଲ୍ୟ ୧୨,୦୦୦ ହଜାର ଟଙ୍କାରୁ କମ ହୋଇପାରେ। ତେବେ ଚଳିତ ବର୍ଷ ଦୀପାବଳିରେ ଏହାର ପ୍ରଥମ ଝଲକ ଦେଖିବାକୁ ମିଳିପାରେ ।