କେସିଆର-ନୀତୀଶ ଭେଟ, କହିଲେ କେନ୍ଦ୍ରରେ ଗଠନ ହେବ ବିଜେପି ମୁକ୍ତ ସରକାର

ପାଟନା (ସଂକେତ ଟିଭି) ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ମୁଖ୍ୟମନ୍ତ୍ରୀ ବିହାରର ରାଜଧାନୀ ପାଟନାରେ ନୀତୀଶ କୁମାରଙ୍କୁ ଭେଟିଛନ୍ତି । ଏହି ଅବସରରେ ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ରାଓ କହିଛନ୍ତି ଯେ ନିତିଶ କୁମାର ଆମ ଦେଶର ଜଣେ ବରିଷ୍ଠ ନେତା । ଆମେ ଦେଶରେ ସମସ୍ତ ବିରୋଧୀ ଦଳଙ୍କୁ ଏକଜୁଟ କରିବା ପାଇଁ ଚେଷ୍ଟା କରିବୁ । ଏବଂ ଦେଶରେ ଏକ ବିଜେପି ମୁକ୍ତ ସରକାର ଗଠନ କରିବୁ ।

ଗୁରୁବାର ସକାଳେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ବିହାରର ରାଜଧାନୀ ପାଟନା ପହଞ୍ଚିଛନ୍ତି। ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ତାଙ୍କୁ ସ୍ବାଗତ କରିଛନ୍ତି। ଦୁଇ ମୁଖ୍ୟମନ୍ତ୍ରୀଙ୍କ ଭେଟ ନେଇ ଭାଜପା ନେତା ତଥା ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦୀ କଟାକ୍ଷ କରି କହିଛନ୍ତି ଯେ, ଏହା ହେଉଛି ଦୁଇ ଦିବାସ୍ବପ୍ନ ଦେଖୁଥିବା ନେତାଙ୍କ ସାକ୍ଷାତ।

ଉଭୟ ନେତା ନିଜ ନିଜ ରାଜ୍ୟରେ ସମର୍ଥନ ଆଧାର ହରାଉଛନ୍ତି ଏବଂ ପ୍ରଧାନମନ୍ତ୍ରୀ ହେବାକୁ ଦିନରେ ବି ସ୍ବପ୍ନ ଦେଖୁଛନ୍ତି। ଗଣମାଧ୍ୟମ ପ୍ରତିନିଧିମାନଙ୍କ ସହ କଥାବାର୍ତ୍ତା କରି ସେ ପ୍ରକାଶ କରିଛନ୍ତି ଏହି ଦୁଇ ନେତାଙ୍କର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସାମ୍ନାରେ କୌଣସି ସ୍ଥିତି ହିଁ ନାହିଁ। ସେ ଦୁଇ ମୁଖ୍ୟମନ୍ତ୍ରୀଙ୍କ ସାକ୍ଷାତକୁ ବିରୋଧୀ ଏକତାର ସର୍ବଶେଷ କମେଡି ଶୋ ବୋଲି କହିଛନ୍ତି।

ନିକଟରେ ନୀତୀଶ କୁମାର ନ୍ୟାଶନାଲ ଡେମୋକ୍ରାଟିକ ଆଲାଇନ୍ସରୁ ବିଦାୟ ନେଇ ଭାଜପାରୁ ବିଚ୍ଛିନ୍ନ ହୋଇ ପରେ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି), କଂଗ୍ରେସ ଏବଂ ବାମ ଦଳ ସହ ହାତ ମିଳାଇ ରାଜ୍ୟରେ ମହାମେଣ୍ଟ ସରକାର ଗଠନ କରିଥିଲେ। ଏହି ରାଜନୈତିକ ଓଲଟପାଲଟକୁ ଭାଜପା ଜନସାଧାରଣଙ୍କ ପ୍ରତି ବିଶ୍ୱାସଘାତକତା ଏବଂ ଜନାଦେଶକୁ ଅପମାନ ବୋଲି କହିଛି।