ଦିଲ୍ଲୀରେ ଅପରେସନ ଲୋଟସ୍ ଫେଲ୍, ଆସ୍ଥା ଭୋଟ ଜିତିଲେ କେଜ୍ରିୱାଲ

ନୂଆଦିଲ୍ଲୀ(ସଂକେତ ଟିଭି)ଦିଲ୍ଲୀ ବିଧାନସଭାରେ ମୁଖ୍ଯମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲ ଆସ୍ଥା ଭୋଟ୍‌ରେ ଜିତିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସମେତ ୫୮ ଜଣ ସଦସ୍ୟ ବିଶ୍ୱାସ ମତ ପ୍ରସ୍ତାବକୁ ସମର୍ଥନ କରୁଥିବାବେଳେ କେହି ଏହାକୁ ବିରୋଧ କରିନାହାଁନ୍ତି।

ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାକୁ ନେଇ ଦିଲ୍ଲୀରେ ଆପ ଏବଂ ବିଜେପି ମଧ୍ୟରେ ଲଢ଼େଇ ଚାଲିଛି। ଆପର ୨୦-୨୫ ବିଧାୟକ ବିଜେପି ସହ ଯୋଗାଯୋଗ କରୁଥିବା ନେଇ ଦାବି କରାଯିବା ପରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବିଜେପିକୁ ଭୁଲ ପ୍ରମାଣିତ କରିବା ପାଇଁ ଆସ୍ଥା କରିବାକୁ କହିଥିଲେ। ଆଜି ବିଧାନସଭାରେ ଆସ୍ଥା ଭୋଟ କରାଯାଇଥିବା ବେଳେ କେଜ୍ରିୱାଲ ବହୁମତରେ ବିଜୟୀ ହୋଇଛନ୍ତି। ୫୮ଜଣ ବିଧାୟକ ଆସ୍ଥା ଭୋଟରେ କେଜ୍ରିୱାଲଙ୍କ ଆମ୍ ଆଦମୀ ପାର୍ଟି (ଆପ୍) ସପକ୍ଷରେ ଭୋଟ ଦେଇଥିଲେ। ୭୦ ସଦସ୍ୟ ବିଶିଷ୍ଟ ଦିଲ୍ଲୀ ବିଧାନସଭାରେ ଆପର ୬୨ଜଣ ବିଧାୟକ ଥିବାବେଳେ ବିଜେପିର ୮ଜଣ ବିଧାୟକ ଅଛନ୍ତି।

ବିଶ୍ୱାସ ମତ ପାରିତ ହେବା ପରେ କେଜ୍ରିୱାଲ କହିଛନ୍ତି,ଆମ ଆଦମୀ ପାର୍ଟିରେ ମୋଟ ୬୨ଜଣ ବିଧାୟକ ଅଛନ୍ତି। ତିନିଜଣ ବିଧାୟକ ବିଧାନସଭାରେ ଯୋଗ ଦେଇପାରି ନ ଥିଲେ। ଦୁଇଜଣ ଦେଶ ବାହାରେ, ଜଣେ ଜେଲରେ ଅଛନ୍ତି। ଚତୁର୍ଥ ସଦସ୍ୟ ହେଉଛନ୍ତି ଗୃହର ବାଚସ୍ପତି ଏବଂ ଆମ ସପକ୍ଷରେ ମୋଟ ୫୮ ଭୋଟ ଦିଆଯାଇଛି। ଆଜି ଭାଜପାର ଅପରେସନ ଲୋଟସ ଦିଲ୍ଲୀରେ ବିଫଳ ହୋଇଛି। ଏହା ପ୍ରାୟ ୧୦ଟି ରାଜ୍ୟରେ ୨୦ କୋଟିରେ ବିଧାୟକ କିଣିଛି, ଦିଲ୍ଲୀରେ ମଧ୍ୟ ୪୦ ଜଣ ବିଧାୟକ କିଣିବାକୁ ଚେଷ୍ଟା କରାଯାଇଥିଲା। କିନ୍ତୁ ଆମ ବିଧାୟକ ବିକ୍ରି ହୋଇ ନ ଥିଲେ।

ଏଥି ସହିତ, ଦିଲ୍ଲୀ ବିଧାନସଭାର ସ୍ବତନ୍ତ୍ର ଅଧିବେଶନର ପଞ୍ଚମ ଦିନର ପ୍ରକ୍ରିୟା ଆରମ୍ଭ ହେବା ମାତ୍ରେ ଉତ୍ତେଜନା ପ୍ରକାଶ ପାଇଥିଲା। ବିଧାନସଭାରେ ଦୁର୍ନୀତି ସମ୍ପର୍କରେ ଆଲୋଚନା କରିବାକୁ ଭାଜପା ବିଧାୟକ ବିଜେନ୍ଦ୍ର ଗୁପ୍ତା ଏବଂ ଉପବାଚସ୍ପତି ରାଖୀ ବିର୍ଲାଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା।