ରାଜନୀତି ଛାଡିଦେବାକୁ ଇଚ୍ଛା ହେଉଛି: ମମତା ବାନାର୍ଜୀ

କୋଲକାତା (ସଂକେତ ଟିଭି) ‘ଯଦି ମୁଁ ପୂର୍ବରୁ ଜାଣିଥାନ୍ତି ଯେ ରାଜନୀତି ଏଭଳି ଖରାପ ହୋଇଯିବ ତେବେ ମୁଁ କେବେ ବି ରାଜନୀତିକୁ ଆସିନଥାନ୍ତି’। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହା କହିଛନ୍ତି । କେନ୍ଦ୍ରୀୟ ତଦନ୍ତ ଏଜେନ୍ସିଙ୍କ ଦ୍ବାରା ବାରମ୍ବାର ଟାର୍ଗେଟ୍‌ କରାଯାଉଥିବାରୁ ଦିଦି ବିତୃଷ୍ଣାଭାବ ପ୍ରକାଶ କରି ଏହା କହିଛନ୍ତି ।

ସୂଚନା ଅନୁସାରେ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ମଙ୍ଗଳବାର ମମତା ବାନାର୍ଜୀଙ୍କ ପୁତୁରା ତଥା ଟିଏମସି ସାଂସଦ ଅଭିଷେକ ବାନାର୍ଜୀଙ୍କୁ ସମନ ଜାରି କରାଯାଇଥିଲା । କୋଇଲା ଘୋଟାଲା ମାମଲାରେ ପଚରାଉଚରା ପାଇଁ ତାଙ୍କୁ ଡକାଯାଇଥିବା ଜଣାପଡିଛି । ଯାହାକୁ ନେଇ ମମତା ପ୍ରତିକ୍ରିୟାଶୀଳ ହୋଇପଡିଛନ୍ତି ।

ପୂର୍ବରୁ ସିବିଆଇର କାର୍ଯ୍ୟାନୁଷ୍ଠାନକୁ ନେଇ ମଧ୍ୟ ଅତିଷ୍ଠ ହେବା ସହିତ ବାରମ୍ବାର କେନ୍ଦ୍ରର ନରେନ୍ଦ୍ର ମୋଦି ସରକାରକୁ ଟାର୍ଗେଟ୍‌ କରିଥିଲେ । ଏବେ ଇଡିର ନୋଟିସ ପରେ ଦିଦି କହିଛନ୍ତି, ‘ଏଭଳି କାର୍ଯ୍ୟାନୁଷ୍ଠାନ ଖୋଲାଖୋଲି ଭାବେ ହିଂସା’ ।

ନିକଟରେ ଦିଦି ମୋଦିଙ୍କୁ ଟାର୍ଗେଟ୍‌ କରି କହିଥିଲେ ଯେ, ‘୨୦୨୪ ଲଢେଇ ମୋର ଶେଷ ଲଢେଇ ହେବ । ୨୦୨୪ ଲୋକସଭା ନିର୍ବାଚନରେ ମୋଦିଙ୍କୁ କ୍ଷମତାରୁ ହଟାଇବା ମୋର ଶେଷ ଲଢେଇ’। ଦିଦି କହିଛନ୍ତି, କେନ୍ଦ୍ରୀୟ ଏଜେନ୍ସିଗୁଡିକର ଏହା କେବଳ ପ୍ରତିଶୋଧ ନୁହେଁ ବରଂ ଖୋଲାଖୋଲି ହିଂସା । ଯଦି ମୋତେ ଆଗରୁ ଜଣାଥାନ୍ତା ଯେ ରାଜନୀତି ଏତେ ଖରାପ ହୋଇଯିବ ଏତେ ତଳ ସ୍ତରକୁ ଖସିଯିବ ତେବେ ମୁଁ କେବେ ବି ରାଜନୀତିକୁ ଆସିନଥାନ୍ତି।

ମମତା ବାନାର୍ଜୀ ଆହୁରି ମଧ୍ୟ କହିଛନ୍ତି, ଆପଣ ସବୁବେଳେ ସମସ୍ତଙ୍କୁ ବୋକା ବନାଇପାରିବେ ନାହିଁ । ଯେଉଁଭଳି ଭାବେ ବିନା ପ୍ରମାଣରେ ଆମକୁ ଗଣମାଧ୍ୟମରେ ବଦନାମ କରାଯାଉଛି, ଯେଉଁଭଳି ଭାଷା ପ୍ରୟୋଗ କରାଯାଉଛି ଏବଂ ସୂତ୍ରର ଦ୍ବାହି ଦିଆଯାଉଛି ଆପଣଙ୍କୁ ଭାବିବା ଦରକାର ଯେ ଯଦି ଆପଣଙ୍କ ସହ ବି ଏଭଳି କରାଯିବ ତେବେ କଣ ହେବ।