ଆମେରିକାରେ ପିଏମ୍ ମୋଦି ଓ ଆଦାନୀଙ୍କ ବିରୋଧରେ ମାମଲା ରୁଜୁ

ନୂଆଦିଲ୍ଲୀ (ସଂକେତ ଟିଭି) ଆମେରିକା କୋର୍ଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି,ଶିଳ୍ପପତି ଗୌତମ ଆଦାନୀ ଓ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କ ବିରୋଧରେ ଏକ ମାମଲା ଦାୟର କରାଯାଇଛି। ତେବେ ଏହି ମାମଲା ଦୁର୍ନୀତି ଓ ପେଗାସସ ଗୁଇନ୍ଦାଗିରି ପ୍ରସଙ୍ଗରେ ରୁଜୁ ହୋଇଛି । କଲମ୍ବିୟା ଡିଷ୍ଟିକ୍ଟ କୋର୍ଟ ଏହି ତିନି ଜଣଙ୍କ ସହ ଆହୁରି ଅନେକଙ୍କୁ ସମନ ଜାରି କରିଛନ୍ତି ।

ନ୍ୟୁୟର୍କରେ ଥିବା ଭାରତୀୟ-ଆମେରିକୀୟ ଆଇନଜୀବୀ ରବି ବାତ୍ରା ଏହାକୁ ବ୍ୟର୍ଥ ଓ ଫାଲତୁ ମାମଲା କହିଛନ୍ତି । ଏହି ମାମଲାରେ ବିଶ୍ୱ ଇକୋନୋମିକ୍ ଫୋରମର ଚେୟାରମ୍ୟାନ୍ ପ୍ରଫେସର କ୍ଲାସ୍ ଏମ୍ ଶ୍ୱାବଙ୍କ ନାଁ ବି ରହିଛି । ପ୍ରଧାନମନ୍ତ୍ରୀ ମୋଦୀ, ମୁଖ୍ୟମନ୍ତ୍ରୀ ଜଗନମୋହନଙ୍କ ବିରୋଧରେ ଏହି ମାମଲା ଆନ୍ଧ୍ରପ୍ରଦେଶର ଭାରତୀୟ-ଆମେରିକୀୟ ଜଣେ ଡାକ୍ତର (ଗ୍ୟାଷ୍ଟ୍ରୋଆଣ୍ଟିରୋଜଲୋଜିଷ୍ଟ୍) ଲୋକେଶ ବ୍ୟୁୟୁରୁ ରୁଜୁ କରିଛନ୍ତି । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ ବିନା କୌଣସି ପ୍ରମାଣ ଓ ଦସ୍ତାବିଜରେ ଡାକ୍ତରଜଣଙ୍କ ଏହି ମାମଲା ଦାଖଲ କରିଛନ୍ତି ।

ଡାକ୍ତର ଜଣକ ଅଭିଯୋଗ କରିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦି, ଜଗନ ମୋହନ ଏବଂ ଆଦାନୀଙ୍କ ସମେତ ଅନେକ ଲୋକ ଦୁର୍ନୀତି ଏବଂ ରାଜନୈତିକ ବିରୋଧୀଙ୍କ ବିରୋଧରେ ପେଗାସସ ସ୍ପାଏୱେୟାର ବ୍ୟବହାରରେ ଜଡିତ ଅଛନ୍ତି। ଆମେରିକାରେ ବିପୁଳ ପରିମାଣରେ ନଗଦ ଟଙ୍କା ପଠାଇବା ବିଷୟରେ ମଧ୍ୟ ସେ ଉଲ୍ଲେଖ କରିଛନ୍ତି। ମେ ୨୪ ରେ ଏହି ମକଦ୍ଦମା ଦାୟର କରାଯାଇଥିଲା।

ବତ୍ରା କହିଛନ୍ତି ଯେ ଆମେରିକାର ସହଯୋଗୀଙ୍କ ପକ୍ଷରୁ ଭାରତକୁ ବଦନାମ କରିବା ପାଇଁ ୫୩ ପୃଷ୍ଠାର ଅଭିଯୋଗ ଦାଖଲ କରାଯାଇ ଫେଡେରାଲ କୋର୍ଟଙ୍କର ଅପବ୍ୟବହାର ହୋଇଛି।