ଭାରତରେ ଲଞ୍ଚ୍ ହେଲା ସର୍ଭାଇକଲ କ୍ୟାନସର୍ ଭାକସିନ୍

ନୂଆଦିଲ୍ଲୀ(ସଂକେତ ଟିଭି) ଭାରତରେ ସର୍ଭାଇକଲ କ୍ୟାନସର୍ ଭାକସିନ୍ ଲଞ୍ଚ୍ ହୋଇଛି। ଏହି ଭାକସିନ୍ ଆସନ୍ତା କିଛି ମାସରେ ବହୁତ ମାତ୍ରାରେ ଉପଲବ୍ଧ ହୋଇଯିବ ବୋଲି ସିରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ସିଇଓ ଆଦାର ପୁନାଓ୍ୱାଲା ସୂଚନା ଦେଇଛନ୍ତି ।

ସେ କହିଛନ୍ତି ପ୍ରଥମେ ଏହି ଟିକାକୁ ଦେଶରେ ପ୍ରଦାନ କରାଯିବ । ପରେ ଏହାକୁ ରପ୍ତାନୀ କରାଯିବ । ଭାକସିନର ଦାମ୍ ୨୦୦ରୁ ୪୦୦ ଟଙ୍କା ମଧ୍ୟରେ ହେବ । ତେବେ ଏଯାଏଁ ଦାମ୍ ସ୍ପଷ୍ଟ ହୋଇନାହିଁ ବୋଲି ସେ କହିଛନ୍ତି ।

ସେ କହିଛନ୍ତି, ଆଗାମୀ ଦୁଇବର୍ଷରେ ୨୦ କୋଟି ଡୋଜ୍ ପ୍ରସ୍ତୁତ କରାଯିବ । ଏହା ମେଡ୍ ଇନ୍ ଇଣ୍ଡିଆ ଭାକସିନ୍ ଅଟେ । ଏବେ ସର୍ଭାଇକଲ କ୍ୟାନସର୍ ବିରୋଧରେ ଲଢିବା ଆହୁରି ସହଜ ହୋଇଯିବ ।

ସର୍ଭାଇକଲ୍ କ୍ୟାନସର୍ ଗର୍ଭାଶୟର କୋଷରେ ସୃଷ୍ଟି ହୋଇଥାଏ । ହ୍ୟୁମାନ ପୋପିଲୋମା ଭାଇରସ୍ ସଂକ୍ରମଣରୁ ଏହା ବଢିଥାଏ । ତେବେ ଭାକସିନ୍ ୯ରୁ ୧୪ ବର୍ଷର ବାଳିକାଙ୍କୁ ଦିଆଯିବ ବୋଲି କୁହାଯାଉଛି ।

ଭାରତରେ ସର୍ଭାଇକଲ କ୍ୟାନସର୍ ମାମଲା ବଢିଛି । ରିପୋର୍ଟ ଅନୁସାରେ, ୧୫ରୁ ୪୪ ବର୍ଷର ମହିଳା ଏଥିରେ ବେଶି ପ୍ରଭାବିତ ହୋଇଥାନ୍ତି । ଟିକାକରଣ ଦ୍ୱାରା ଏହି କ୍ୟାନସରକୁ ରୋକାଯାଇପାରିବ । ସରକାର ରାଷ୍ଟ୍ରୀୟ ଟିକାକରଣ ଅଭିଯାନରେ ଏହାକୁ ସାମିଲ କରିପାରନ୍ତି । ଯାହା କ୍ୟାନସରକୁ କମାଇବାରେ ଅନେକାଂଶରେ ସଫଳ ହେବ ।