ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମିଳିଲା ଲାଇଫ୍ ଟାଇମ୍ ଆଚିଭମେଣ୍ଟ ଆୱାର୍ଡ

ନୂଆଦିଲ୍ଲୀ : (ସଂକେତ୍ ଟିଭି) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଲାଇଫ୍ ଟାଇମ୍ ଆଚିଭମେଣ୍ଟ ଆୱାର୍ଡ ବା ଜୀବନବ୍ୟାପୀ ସାଧନା ସମ୍ମାନରେ ସମ୍ମାନିତ ହୋଇଛନ୍ତି । ଆଜି ନୂଆଦିଲ୍ଲୀର ଇଣ୍ଡିଆ ଇଣ୍ଟରନ୍ୟାସନାଲ ସେଣ୍ଟରରେ କ୍ୟାପିଟାଲ ଫାଉଣ୍ଡେସନ ସୋସାଇଟି ପକ୍ଷରୁ ଆୟୋଜିତ ଉତ୍ସବରେ ମୁଖ୍ୟମନ୍ତ୍ରୀଙ୍କୁ ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ କରାଯାଇଛି । ନିଜର ଉଲ୍ଲେଖନୀୟ ନେତୃତ୍ବ ପାଇଁ ତାଙ୍କୁ ଏହି ସମ୍ମାନ ମିଳିଛି । ସୁପ୍ରିମକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଏନ.ଭି ରମଣାଙ୍କ ଠାରୁ ନବୀନ ଜୀବନବ୍ୟାପୀ ସାଧନା ପୁରସ୍କାର ଗ୍ରହଣ କରିଛନ୍ତି ।

ଏହି ଅବସରରେ ଦିଲ୍ଲୀରେ ବିଜେଡିର କିଛି ବରିଷ୍ଠ ନେତା ମଧ୍ୟ ଉପସ୍ଥିତ ଅଛନ୍ତି । ସେପଟେ ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧିତ କରିବା ପାଇଁ ସବୁ ଜିଲ୍ଲା ଯୁବ ଓ ଛାତ୍ର ସଭାପତିଙ୍କୁ ଦିଲ୍ଲୀ ନିଆଯାଇଛି । ପାରମ୍ପରିକ ନାଚ, ଗୀତ ଆଦିର ବ୍ୟବସ୍ଥା କରାଯାଇଛି । ଆସନ୍ତା ୬ ତାରିଖରେ ମୁଖ୍ୟମନ୍ତ୍ରୀ ଓଡ଼ିଶା ଫେରିବେ । ତେବେ ଦିଲ୍ଲୀ ଦରବାର ଓ ଭୁବନେଶ୍ବର ବିମାନ ବନ୍ଦରରେ ଭବ୍ୟ ସ୍ବାଗତ କରିବା ଆଳରେ ବିଜେଡି ଶକ୍ତି ପ୍ରଦର୍ଶନ କରିବ ।ଏନେଇ ଦଳ ପକ୍ଷରୁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇସାରିଛି । ସମସ୍ତ ବ୍ୟବସ୍ଥା କରିବା ପାଇଁ ଏକାଧିକ ହେବିୱେଟ ବିଧାୟକଙ୍କୁ ଦାୟିତ୍ବ ଦିଆଯାଇଛି ।