୧୩ ଜାତୀୟ ରାଜପଥର ଜମି ଅଧିଗ୍ରହଣ ପାଇଁ ୩୦୯ କୋଟି ଟଙ୍କା ମଞ୍ଜୁର

ଭୁବନେଶ୍ବର : (ସଂକେତ୍ ଟିଭି) ଭାରତ ସରକାରଙ୍କର ସଡକ ପରିବହନ ଓ ରାଜମାର୍ଗ ମନ୍ତ୍ରାଳୟ ତରଫରୁ ଓଡ଼ିଶାରେ ପୂର୍ତ ବିଭାଗ ଦ୍ୱାରା କାର୍ଯ୍ୟକ୍ଷମ ହେଉଥିବା ସମସ୍ତ ଜାତୀୟ ରାଜପଥର ଜମି ଅଧିଗ୍ରହଣ ସଂପର୍କିତ ସମୀକ୍ଷା ବୈଠକ ଓଡିଶା ରାଜ୍ୟ ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଭାରତ ସରକାରଙ୍କର ସଡକ ପରିବହନ ଓ ରାଜମାର୍ଗ ମନ୍ତ୍ରାଳୟ, ପୂର୍ତ୍ତ ବିଭାଗ, ରାଜସ୍ୱ ବିଭାଗର ବରିଷ୍ଠ ଅଧିକାରୀଙ୍କ ସମେତ ସମସ୍ତ କ୍ଷେତ୍ରାଧିକାରୀମାନେ ଯୋଗ ଦେଇଥିଲେ ।

ବୈଠକରେ ସମସ୍ତ ନିର୍ମାଣାଧୀନ ଜାତୀୟ ରାଜପଥ ପ୍ରକଳ୍ପ, ସମସ୍ତ ଅନୁମୋଦିତ ପ୍ରକଳ୍ପ ଓ ଅନ୍ୟାନ୍ୟ ଜାତୀୟ ରାଜପଥ ପ୍ରକଳ୍ପର ତ୍ୱରିତ ଜମି ଅଧିଗ୍ରହଣ ଉପରେ ଗୁରୁତ୍ୱାରୋପ କରାଯାଇଥିଲା । ଏହା ବ୍ୟତୀତ ଗତ ତିନି ମାସ ମଧ୍ୟରେ ବହୁ ଦାଖଲ ଖାରଜ ମାମଲା ହୋଇ ରେକର୍ଡ କରେକ୍ସନ ହୋଇ ଜାତୀୟ ରାଜପଥ ପ୍ରାଧିକରଣକୁ ଜମି ହସ୍ତାନ୍ତର କରାଯାଇଛି । ସେହିପରି ଜାତୀୟ ରାଜପଥ ୨୬ରେ ନବରଙ୍ଗପୁରରୁ ବୋରିଗୁମ୍ମା ଓ ବରଗଡରୁ ବରପାଲି, ଜାତୀୟ ରାଜପଥ ୫୯ରେ ମୁଣ୍ଡମରାଇରୁ ରତନପୁର, ବ୍ରହ୍ମୁର ବାଇପାସ, ଜାତୀୟ ରାଜପଥ ୪୯ରେ ଝାରସୁଗୁଡ଼ାରୁ ଭୋଜପୁର, ଜାତୀୟ ରାଜପଥ ୧୫୭ରେ ଭଞ୍ଜନଗରରୁ ଆସ୍କା, ଜାତୀୟ ରାଜପଥ ୫୭ରେ ନୟାଗଡରୁ ଖୋର୍ଦ୍ଧା ଓ ସୋନପୁରରୁ ମାଧପୁର, ଜାତୀୟ ରାଜପଥ ୨୨୦ରେ ତିରିଙ୍ଗରୁ ରାଇରଙ୍ଗପୁର, ଜାତୀୟ ରାଜପଥ ମାଲକାନଗିରିରୁ ମୋଟୁ ମଧ୍ୟରେ ସମସ୍ତ ଜମି ଅଧିଗ୍ରହଣ କାର୍ଯ୍ୟ ସମ୍ପୂର୍ଣ ହୋଇ ଜାତୀୟ ରାଜପଥ କାର୍ଯ୍ୟ ଆଗେଇ ଚାଲିଛି ।

ବିଗତ ସମୀକ୍ଷା ବୈଠକ ପରେ ରାଜ୍ୟରେ ଜାତୀୟ ରାଜପଥର ଜମି ଅଧିଗ୍ରହଣ ନିମନ୍ତେ ଜମି ମାଲିକମାନଙ୍କୁ ପାଖାପାଖି ୮୮ କୋଟି ଟଙ୍କା କ୍ଷତିପୂରଣ ବାବଦରେ ଦିଆଯାଇଛି । ସେହିପରି ୧୪ ପ୍ରକଳ୍ପର ହାରାହାରି ୩୦୦ ହେକ୍ଟର ଜମି ଅଧିଗ୍ରହଣ ନିମନ୍ତେ ବିଜ୍ଞପ୍ତି ପ୍ରକାଶ ପାଇସାରିଛି ଏବଂ ୧୩ ଜାତୀୟ ରାଜପଥ ପ୍ରକଳ୍ପର ଆକଳନ ସମାପ୍ତ ହୋଇ ୨୨୫ ହେକ୍ଟର ପାଇଁ ୩୦୯ କୋଟି ଟଙ୍କା ମଂଜୁର ହୋଇସାରିଛି । ବିଭିନ୍ନ କ୍ଷେତ୍ରାଧିକାରୀମାନଙ୍କୁ ଜାତୀୟ ରାଜପଥର ଲଘୁ ଖଣିଜ ସମ୍ପଦର ଆବଶ୍ୟକତା ନିମନ୍ତେ ସାମୟିକ ଭାବେ ଲଘୁ ଖଣିଜ ଉତ୍ସ ଯୋଗାଇଦେବାକୁ ନିର୍ଦ୍ଦେଶ ଦିଆଯାଇଥିଲା ।

ଏତଦବ୍ୟତୀତ, ଜାତୀୟ ରାଜପଥ ନିର୍ମାଣ କରୁଥିବା କଣ୍ଟ୍ରାକ୍ଟରମାନଙ୍କୁ ବେଆଇନ ଲଘୁ ଖଣିଜ ସମ୍ପଦ ବ୍ୟବହାର ନ କରିବାକୁ ସଚେତନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଜମି ଅଧିଗ୍ରହଣ ସମ୍ପୂର୍ଣ୍ଣ ପରେ ଅଧିକାରୀମାନେ ତୁରନ୍ତ କାମ ଆରମ୍ଭ ଓ ତ୍ୱରାନ୍ୱିତ କରିବାକୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ଅତିରିକ୍ତ ମୁଖ୍ୟ ଶାସନ ସଚିବ ହିତାଧିକାରୀଙ୍କୁ ନିୟମ ଅନୁଯାୟୀ ପ୍ରାପ୍ୟ ବଣ୍ଟନ ପରେ ତତ୍କାଳ ଦାଖଲ ଖାରଜ ଫଇସଲା କରି ଜମି ହସ୍ତାନ୍ତର ଉପରେ ଗୁରୁତ୍ୱାରୋପ କରିଥିଲେ ।