ଚୀନର ମୁକାବିଲା ପାଇଁ ତାଇୱାନକୁ ୧.୧ବିଲିୟନ ଡଲାର ଅସ୍ତ୍ରଶସ୍ତ୍ର ଦେବ ଆମେରିକା

ନୂଆଦିଲ୍ଲୀ : (ସଂକେତ୍ ଟିଭି) ମୁହାଁମୁହିଁ ପରିସ୍ଥିତିରେ ତାଇୱାନ୍ ଓ ଚୀନ୍ । ଦୁଇ ଦେଶ ମଧ୍ୟରେ ଲାଗି ରହିଛି ଅଶାନ୍ତ ପରିସ୍ଥିତି । ତାଇୱାନ୍ ଉପରେ ନିଜ ଆଧିପତ୍ୟ ବିସ୍ତାର କରିବା ପାଇଁ ପ୍ରାୟସ ଚଲାଇଛି ଚୀନ୍ । କେତେବେଳେ ମିସାଇଲ୍ ଛାଡୁଛି ତ ଆଉ କେତେବେଳେ ସମାରାଭ୍ୟାସ । ଏଭଳି ବାରମ୍ବାର କରି ତାଇୱାନକୁ ଡରାଇବାକୁ ଚେଷ୍ଟା କରୁଛି ଚୀନ୍ । ଏହାରି ଭିତରେ ଡ୍ରାଗନକୁ ଉସକାଇଛି ଆମେରିକା । ବେଜିଂ ସହିତ ଉତ୍ତେଜନା ବୃଦ୍ଧି ପାଉଥିବା ବେଳେ ତାଇୱାନର ସୁରକ୍ଷା ପାଇଁ ବଡ ସହାୟତା ଘୋଷଣା କରିଛି ଆମେରିକା ।

ଯୁକ୍‌ତରାଷ୍ଟ୍ର ଆମେରିକା ୧.୧ ବିଲିୟନ୍‌ ଡଲାର୍ ମୂଲ୍ୟର ଅସ୍ତ୍ରଶସ୍ତ୍ର ତାଇୱାନ୍କୁ ଯେଗାଇବା ପାଇଁ ଘୋଷଣା କରିଛି । ଚୀନର ମୁକାବିଲା କରିବା ଲାଗି ଯୁକ୍ତରାଷ୍ଟ୍ର ଆମେରିକା ଘୋଷଣା କରିଥିବା ଅସ୍ତ୍ରଶସ୍ତ୍ର ପ୍ୟାକେଜରେ ରହିଛି ୬୦ଟି ଯୁଦ୍ଧପୋତ ବିରୋଧୀ ଅତ୍ୟାଧୁନିକ ହାର୍ପୁନ୍ କ୍ଷେପଣାସ୍ତ୍ର । ଏଥିସହ ୧୦୦ଟି ଆକାଶରୁ ଆକାଶକୁ ନିକ୍ଷେପ କରାଯାଉଥିବା କ୍ଷେପଣାସ୍ତ୍ର । ତାଇୱାନ୍ ପ୍ରତି ନିକ୍ଷେପ କରାଯାଉଥିବା କ୍ଷେପଣାସ୍ତ୍ରଗୁଡ଼ିକ ଉପରେ ନଜର ରଖିବା ପାଇଁ ଉକ୍ତ ପ୍ୟାକେଜରେ ୬୬୫ ବିଲିୟନ୍‌ ଡଲାର୍ ମୂଲ୍ୟର ଏକ”ଆର୍ଲି ରାଡାର୍‌ ୱାର୍ଣ୍ଣିଙ୍ଗ୍ ସିଷ୍ଟମ୍‌’ ମଧ୍ୟ ରହିଛି ।

ସେହିପରି, କ୍ଷେପଣାସ୍ତ୍ର ପ୍ୟାକେଜ୍‌ ପାଇଁ ରହିଛି ୩୫୫ ବିଲିୟନ୍‌ ଡଲାର୍ ଅର୍ଥରାଶି । ବେଦେଶିକ ବିଭାଗର ଜଣେ ମୁଖପାତ୍ର ସୂଚନା ମୁତାବକ, ଏହି ପ୍ୟାକେଜ୍ ତାଇୱାନ୍ର ସୁରକ୍ଷା ପାଇଁ ଅତ୍ୟାବଶ୍ୟକ । ତାଇୱାନ୍ ଉପରେ ସାମରିକ, କୂଟନେତିକ ଏବଂ ଆର୍ଥିକ ଚାପ ପ୍ରୟୋଗ ବନ୍ଦ କରି ତାଇୱାନ୍‌ ସହିତ ଫଳପ୍ରସୂ ଆଲୋଚନା କରିବା ଲାଗି ଆମେ ବେଜିଂକୁ ଅନୁରୋଧ କରୁଛୁ ।

ସେପଟେ ଏହାକୁ ନେଇ ୱାଶିଂଟନ୍ ସ୍ଥିତ ଚୀନା ଦୂତାବାସ ଲିୟୁ ପେଙ୍ଗ୍ୟୁ କହିଛନ୍ତି, ଏହି ସମ୍ଭାବ୍ୟ ଅସ୍ତ୍ରଶସ୍ତ୍ର ବିକ୍ରୟ ଆମେରିକା-ଚୀନ୍ ସମ୍ପର୍କକୁ ଅତ୍ୟନ୍ତ ବିପଜ୍ଜନକ କରି ପକାଇବ । ପରିସ୍ଥିତି ପ୍ରତି ଦୃଷ୍ଟି ଦେଇ ଚୀନ୍ ମଧ୍ୟ ଅନୁରୂପ ପଦକ୍ଷେପ ଗ୍ରହଣ କରିବ । କିଛି ଦିନ ହେବ ଏହି ପ୍ୟାକେଜ୍ ବିଚାରାଧୀନ ଥିଲା । ତାଇୱାନ୍ ଏବଂ ଆମେରିକାର ସାଂସଦମାନଙ୍କ ସହିତ ପରାମର୍ଶ କରାଯିବା ପରେ ଚୂଡ଼ାନ୍ତ ନିଷ୍ପତ୍ତି ଗ୍ରହଣ କରାଯାଇଛି ବୋଲି ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ପ୍ରଶାସନ କହିଛି ।

ଉଲ୍ଲେଖଯୋଗ୍ୟ, ଚୀନ୍ ନାନ୍ସି ପେଲୋସିଙ୍କ ଗସ୍ତକୁ ବିରୋଧ କରି ଚୀନ୍ ଆମେରିକା ଏବଂ ତାଇୱାନକୁ ଭୟଙ୍କର ପରିଣାମର ଧମକ ଦେଇଥିଲା । କେବଳ ଏତିକି ନୁହେଁ ଚୀନ୍‌ ପରଦିନ ତାଇୱାନ ସୀମାରେ ସମରାଭ୍ୟାସ ଆରମ୍ଭ କରିଥିଲା । ଏବେବି ଚୀନ୍ ଏବଂ ତାଇୱାନ ମଧ୍ୟରେ ତିକ୍‌ତତା ଲାଗି ରହିଛି । ଯେକୌଣସି ସମୟରେ ଯୁଦ୍ଧ ହେବାର ସମ୍ଭାବନା ରହିଛି । ଏହି ବିପଦ ମଧ୍ୟରେ ଆମେରିକାର ଏହି ସାହାଯ୍ୟ ତାଇୱାନ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ପ୍ରମାଣିତ ହୋଇପାରେ ବୋଲି ଆଶଙ୍କା କରାଯାଉଛି ।