୫୯ ବୟସରେ ୯ ବର୍ଷର ସାନ ବିଜେପି ନେତ୍ରୀଙ୍କୁ ବାହାହେଲେ ଜଜ୍

ପାଟନା : (ସଂକେତ୍ ଟିଭି) ଗୋଖାଦ୍ୟ ଦୁର୍ନୀତି ଦୁଇଟି ମାମଲାରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ଯାଦବଙ୍କୁ ଦୋଷୀ ସାବ୍ୟସ୍ତ କରିଥିବା ପୂର୍ବତନ ସ୍ୱତନ୍ତ୍ର ସିବିଆଇ ଜଜ୍ ୫୯ ବର୍ଷୀୟ ଶିବ ପାଲ ସିଂହ ନିଜଠାରୁ ୯ ବର୍ଷ ସାନ ଜଣେ ଓକିଲ ତଥା ବିଜେପି ନେତ୍ରୀ ନୂତନ ତିୱାରୀଙ୍କୁ ବିବାହ କରିଛନ୍ତି । କିଛି ଦିନ ତଳେ ଉଭୟ ଦୁମ୍‌କା ଜିଲ୍ଲାର ପ୍ରସିଦ୍ଧ ବାସୁକୀନାଥ ମନ୍ଦିରରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିବା ସୂଚନା ମିଳିଛି ।

ବିଚାରପତି ସିଂହ ଝାଡ଼ଖଣ୍ଡର ଗୋଡ୍ଡା ଜିଲ୍ଲା କୋର୍ଟରେ ବିଗତ ୩ ବର୍ଷ ହେଲା ଅତିରିକ୍ତ ଜିଲ୍ଲା ଓ ସେସନ୍‌ସ ବିଚାରପତି-୧ ଭାବେ କାର୍ଯ୍ୟ କରୁଛନ୍ତି । ନୂତନ ତିୱାରୀ ଗୋଡ୍ଡା ଜିଲ୍ଲା କୋର୍ଟରେ ଓକିଲାତି ପ୍ରାକ୍ଟିସ୍ କରୁଛନ୍ତି ।

୨୦୦୬ ମସିହାରେ ବିଚାରପତି ଶିବ ପାଲ ସିଂହଙ୍କର ପତ୍ନୀ ବିୟୋଗ ହୋଇଥିଲା । ତାଙ୍କର ଜଣେ ପୁଅ ଓ ଝିଅ ଅଛନ୍ତି । ସେହିପରି ନୂତନ କିଛି ବର୍ଷ ତଳେ ଏକ ସଡ଼କ ଦୁର୍ଘଟଣାରେ ନୂତନ ତାଙ୍କର ସ୍ୱାମୀଙ୍କୁ ହରାଇଥିଲେ । ତାଙ୍କର ଜଣେ ଝିଅ ଅଛନ୍ତି । ଉଭୟଙ୍କର ପିଲାମାନେ ଓ ପରିବାର ଲୋକେ ସେମାନଙ୍କ ବିବାହ ଲାଗି ସମ୍ମତି ଦେବା ପରେ ସେମାନେ ଏକାଠି ସାରା ଜୀବନ ବିତାଇବାକୁ ନିଷ୍ପତ୍ତି ନେଇଛନ୍ତି ।

ସେମାନଙ୍କର ବିବାହ ଉଭୟ ବିହାର ଓ ଝାଡ଼ଖଣ୍ଡରେ ଚର୍ଚ୍ଚାର ବିଷୟ ପାଲଟିଛି । ସରକାରୀ ରେକର୍ଡ ଅନୁସାରେ, ଉତ୍ତରପ୍ରଦେଶର ବାସିନ୍ଦା ବିଚାରପତି ସିଂହ ଆସନ୍ତାବର୍ଷ ମାର୍ଚ୍ଚ ୩୧ ତାରିଖରେ ୬୦ ବର୍ଷରେ ଉନ୍ନୀତ ହେବା ପରେ ଝାଡ଼ଖଣ୍ଡ ନ୍ୟାୟିକ ସେବାରୁ ଅବସର ନେବେ । ରାଞ୍ଚି ଜିଲ୍ଲା କୋର୍ଟରେ ସ୍ପେଶାଲ ସିବିଆଇ ବିଚାରପତି ଭାବେ ତାଙ୍କର ପୋଷ୍ଟିଂ ସମୟରେ ସିଂହ ଲାଲୁ ଯାବଙ୍କୁ ଚାରା ଦୁର୍ନୀତିର ୨ଟି ମାମଲାରେ ଦୋଷୀ ସାବ୍ୟସ୍ତ କରିଥିଲେ ।