ଉଦ୍ଧବ ଠାକରେଙ୍କୁ ଉଚିତ ଶିକ୍ଷା ଦରକାର: ଅମିତ ଶାହ

ମୁମ୍ୱାଇ : (ସଂକେତ୍ ଟିଭି) : “ଉଦ୍ଧବ ଠାକରେ ବିଜେପିକୁ ଧୋକା ଦେଇଛନ୍ତି । ସେ ବିଜେପି ସହ ବେଇମାନି କରିଛନ୍ତି । ତାଙ୍କୁ ବଡ଼ ଶିକ୍ଷା ଦରକାର । ‘ କେନ୍ଦ୍ର ଗୃହମନ୍ତ୍ରୀ ତଥା ବିଜେପି ରଣନୀତିଜ୍ଞ ଅମିତ ଶାହ ଏହା କହିଛନ୍ତି । ମହାରାଷ୍ଟ୍ରରେ ଶିବସେନା ମେଣ୍ଟ ସରକାରର ପତନ ପରେ ପ୍ରଥମ ଥର ପାଇଁ ଏମିତି କହିଛନ୍ତି ଅମିତ ଶାହ । ବିଜେପି ସହ ମେଣ୍ଟ ଭାଙ୍ଗିବା ପାଇଁ ସେ ଉଦ୍ଧବ ଠାକରରେଙ୍କୁ ଦାୟୀ କରିଛନ୍ତି ।

ମୁମ୍ୱାଇରେ ଏକ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେଇ ଶାହ କହିଥିଲେ, ଆମେ ରାଜନୀତିରେ ସବୁ କିଛି ସହିପାରିବୁ । କିନ୍ତୁ ଧୋକା ବରଦାସ୍ତ କରି ।ରିବୁନି । କ୍ଷମତା ନିଶା ହିଁ ଉଦ୍ଧବଙ୍କୁ ପାଗଳ କରିଥିଲା । ସେଥିପାଇଁ ନିଜ ଦଳ ବି ଉଦ୍ଧବଙ୍କ ବିରୋଧରେ ଗଲା । ଉଦ୍ଧବ କେବଳ ବିଜେପିକୁ ଧୋକା ଦେଇନାହାନ୍ତି, ନିଜ ଦଳର ବିଚାରଧାରା ବିରୋଧରେ ଯାଇଛନ୍ତି ।

ସେ ଆହୁରି କହିଥିଲେ, ମହାରାଷ୍ଟ୍ରର ଜନମତକୁ ଉଦ୍ଧବ ଅପମାନିତ କରିଛନ୍ତି । ଏବେ ତାଙ୍କ ପାର୍ଟି ବୁଡ଼ିଯାଇଛି । କେବଳ କ୍ଷମତା ଲୋଭ ତାଙ୍କ ଦଳକୁ ଆଜି ବରବାଦ କରିଦେଇଛି । ମୁଁ ଆଜି ଖୋଲି କରି କହୁଛି, ଆମେ କେବେ ଉଦ୍ଧବ ଠାକରେଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ ପ୍ରତିଜ୍ଞା କରି ନଥିଲୁ । ଆମେ ବନ୍ଦ ଘରେ ରାଜନୀତି କରୁନା । ଆମେ ଖୋଲା ରାଜନୀତି କରୁ । ଏହି ଅବସରରେ ଶାହ ମିଶନ ୧୫୦ର ଆହ୍‌ୱାନ ଦେଇଥିଲେ ।

ଶ୍ରୀ ଶାହ କହିଥିଲେ, ଆଗକୁ ମୁମ୍ୱାଇର ପୌର ନିର୍ବାଚନ ଆସୁଛି । ମହାରାଷ୍ଟ୍ରରେ ବ୍ରିହାନମୁମ୍ୱାଇ ପରିଷଦ ହେଉଛି ଦେଶର ସର୍ବବୃହତ୍ତ ପୌର ସଂସ୍ଥା । ଏହି ସଂସ୍ଥାକୁ ବିଜେପି ଦୀର୍ଘ ଦିନ ଧରି ନିଜ ଅକ୍‌ତିଆରରେ ରଖି ଆସିଛି ।