ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଏକ ଡ୍ରାମାବାଜୀ, ଏହା କିଣା ଆୱାର୍ଡ

ଭୁବନେଶ୍ବର : (ସଂକେତ୍ ଟିଭି) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ଜୀବନବ୍ୟାପୀ ସାଧନା ସମ୍ମାନ’ ପାଇବା ଏବଂ ଏହାକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରାଯିବାକୁ ନେଇ ବିରୋଧୀ ବିଜେପି ଏବଂ କଂଗ୍ରେସ ତୀବ୍ର ସମାଲୋଚନା କରିଛନ୍ତି ।

ଏ ନେଇ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର କହିଛନ୍ତି, ସ୍ୱାଗତ ସମ୍ବର୍ଦ୍ଧନା ଏକ ପ୍ରହସନ, ଏହା କିଣା ଆୱାର୍ଡ। ଏହି ଆୱାର୍ଡ କେତେ ଟଙ୍କାରେ କିଣିଛନ୍ତି, ଜଣାନାହିଁ, ଏହା ନୂଆ କଥା ନୁହେଁ, ଯେଉଁ ସଂସ୍ଥାକୁ କେହି ଜାଣି ନାହାନ୍ତି, ସିଏ ସେବା ସାଧକ ଆୱାର୍ଡ ଦେଉଛନ୍ତି। ନିର୍ବାଚନ ଆସିଲେ ନବୀନ ବାବୁ ଏମିତି ଆୱାର୍ଡ କିଣନ୍ତି। ଏସବୁ ଡ୍ରାମାକୁ ଲୋକେ ବୁଝିଛନ୍ତି।

ସେହିଭଳି ବିରୋଧୀ କଂଗ୍ରେସ ଏନେଇ ବିଜେଡିକୁ ଟାର୍ଗେଟ କରିଛି । ଏହାକୁ ଏକ ଡ୍ରାମାବାଜୀ ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ବିଧାୟକ ସୁର ରାଉତରାୟ । ସେ କହିଛନ୍ତି, “ନବୀନ ବାବୁଙ୍କ ଏହା ଏକ କର୍ମୀ ସମ୍ମିଳନୀ । ଏ ସବୁ ସାଧାରଣ ପୁରସ୍କାର । ଗାଁ ଗାଁରୁ ଲୋକଙ୍କୁ ଅଣା ଯାଇଛି ଖୁଆଇ ପିଆଇ ଛାଡ଼ିବେ । ଆମେ କଂଗ୍ରେସ ଦଳ ଆଣୁ, ବିଜେପି ଆଣେ । ଏହାର ଅସ୍ତିତ୍ବ କିଛି ନାହିଁ । କର୍ମୀଙ୍କୁ ଏକାଠି କରି ଶକ୍ତି ପଦର୍ଶନ କରାଯାଉଛି । ୨୦୨୪ ନିର୍ବାଚନ ପାଇଁ ଏହାଏକ ପ୍ରାୟୋଜିତ କାର୍ଯ୍ୟକ୍ରମ ।”

ସୂଚନା ଅନୁସାରେ, ‘ଜୀବନବ୍ୟାପୀ ସାଧନା ସମ୍ମାନ’ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶା ଫେରିଛନ୍ତି । ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରିବାକୁ ବିଜେଡି ପକ୍ଷରୁ ସ୍ୱତନ୍ତ୍ର ଆୟୋଜନ କରାଯାଇଥିଲା । ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ କରିବା ପାଇଁ ରାଜ୍ୟ ମନ୍ତ୍ରିମଣ୍ଡଳର ଅଧିକାଂଶ ସଦସ୍ୟ, ବିଜେଡି ବିଧାୟକ ଓ ସାଂସଦଙ୍କ ସମେତ ହଜାର ହଜାର ବିଜେଡି କର୍ମୀ ଭୁବନେଶ୍ବର ଆସିଥିଲେ। ୨୦୧୯ ନିର୍ବାଚନରେ ନବୀନ ପଟ୍ଟନାୟକଙ୍କ ପ୍ରଚାର ପାଇଁ ଯେଉଁ ବସର ବ୍ୟବସ୍ଥା କରାଯାଇଥିଲା ସେହି ବସରେ ମୁଖ୍ୟମନ୍ତ୍ରୀ ବିମାନବନ୍ଦରରୁ ନବୀନ ନିବାସ ଯାଇଥିଲେ।