ଭାରତର ସଫଳତାକୁ ସହିପାରୁନି ଚୀନ

ନୂଆଦିଲ୍ଲୀ : (ସଂକେତ୍ ଟିଭି) ଭାରତ ହାସଲ କରୁଥିବା ସଫଳତାକୁ ଚୀନ ସହିପାରୁ ନାହିଁ । ନୌସେନାରେ ସ୍ୱଦେଶୀ ନିର୍ମିତ ଅତ୍ୟାଧୁନିକ ବିମାନ ବାହକ ଯୁଦ୍ଧପୋତ ସାମିଲ କରିବା ହେଉ କିମ୍ବା ବ୍ରିଟେନକୁ ଟପି ଭାରତ ବିଶ୍ୱର ପଞ୍ଚମ ବୃହତ୍‌ ଅର୍ଥନୀତିରେ ପରିଣତ ହେବାକୁ ଏହି ଦେଶ ସହଜରେ ଗ୍ରହଣ କରିପାରୁ ନାହିଁ । ଆଇଏନଏସ ବିକ୍ରାନ୍ତକୁ ନେସେନାରେ ସାମିଲ ନେଇ ବିଜେପି ପକ୍ଷରୁ କରାଯାଇଥିବା ଟ୍ୱିଟରେ ଖପ୍ପା ହୋଇ ଚୀନ ଗ୍ଲୋବାଲ ଟାଇମ୍ସର ଜଣେ ସାମ୍ବାଦିକ ସେହି ଟ୍ୱିଟର ଫଟୋ ସେୟାର କରିଥିଲେ । ଏଥିସହିତ ଭାରତ ଉପରେ ବିଷ ଓଗାରିଥିଲେ ।

ସେହିଭଳି ଭାରତ ବିଶ୍ୱର ବିଶ୍ୱର ପଞ୍ଚମ ବୃହତ୍‌ ଅର୍ଥନୀତିରେ ପରିଣତ ହେବା ପରେ ବିଜେପିର ଟ୍ୱିଟ ଉପରେ ମଧ୍ୟ ଗ୍ଲୋବାଲ ଟାଇମ୍ସର ସାମ୍ବାଦିକ ଖପ୍ପା ହୋଇଛନ୍ତି । ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠିର ରିପୋର୍ଟ ଆଧାରରେ ଭାରତ ଉପରେ ଏବେ ଆମେରିକା, ଚୀନ, ଜାପାନ ଏବଂ ଜର୍ମାନୀ ରହିଛନ୍ତି । ଭାରତ ବିଶ୍ୱର ପଞ୍ଚମ ବୃହତ୍‌ ଅର୍ଥନୀତି ହେବା ଦେଶର ଆର୍ଥିକ ପ୍ରଗତିର ଶେଷ୍ଠ ଉଦାହରଣ ବୋଲି କୁହାଯାଇଛି । କିନ୍ତୁ ଚୀନକୁ ଏହା ଲଙ୍କାଗୁଣ୍ଡ ମାରିବା ଭଳି ଲାଗିଛି ।

ଗ୍ଲୋବାଲ ଟାଇମ୍ସର ସାମ୍ବାଦିକ ହୁ ସିଜିନ ଏକ ଟ୍ୱିଟ କରି କହିଛନ୍ତି, ଭାରତ ବ୍ରିଟେନକୁ ନିଜର ଉପନିବେଶରେ ପରିଣତ କରିବା ଉଦ୍ୟମ ଜାରି ରଖିବ । ଏପରିକି ବ୍ରିଟେନକୁ ଭାରତୀୟକରଣ କରିପାରେ । ଦିନେ ଭାରତୀୟ ଉଚ୍ଚାରଣ ଯୁକ୍ତ ଇଂରାଜୀ ବିଶ୍ୱରେ ସବୁଠୁ ମାନକ ଉଦାହରଣ ହୋଇଯିବ ଏବଂ ଇଂରାଜୀ ଶିଖୁଥିବା ବିଦେଶୀମାନେ ଭାରତୀୟ ଉଚ୍ଚାରଣ ଶିଖିବେ । ଲାଗି ରୁହ ଭାରତ ବୋଲି ସେ କହିଛନ୍ତି । ଏଥିରୁ ଆର୍ଥିକ, ରାଜନେତିକ, କରୋନା ଏବଂ ଜନସଂଖ୍ୟା ଜନିତ ସମସ୍ୟା ଭିତରେ ଗତି କରୁଥିବା ଚୀନ ଭାରତର ଅଗ୍ରଗତିରେ ଖପ୍ପା ହେବା ବୁଝାପଡ଼ୁଛି ।

ଏକ ଦଶନ୍ଧି ପୂର୍ବେ ଭାରତ ବିଶ୍ୱର ଏକାଦଶ ବୃହତ୍‌ ଅର୍ଥନୀତି ଥିଲା । ସେହି ସମୟରେ ବ୍ରିଟେନ ପଞ୍ଚମ ସ୍ଥାନରେ ଥିଲା । କିନ୍ତୁ ଏହି ସମୟ ମଧ୍ୟରେ ଭାରତ ବହୁ ଆଗକୁ ଚାଲିଯାଇଛି ଏବଂ ବ୍ରିଟେନ ଷଷ୍ଠ ସ୍ଥାନକୁ ଖସିଛି । ବିଶ୍ୱରେ ସବୁଠୁ ଅଧିକ ବେଗରେ ବଢ଼ୁଥିବା ଭାରତୀୟ ଅର୍ଥନୀତି ଆଗାମୀ ଦିନରେ ବ୍ରିଟେନଠାରୁ ଆହୁରି ଅଧିକ ଆଗକୁ ଯିବା ସମ୍ଭାବନା ରହିଛି ।