ଆଇପିଏଲରୁ ଅବସର ନେଇ ଘୋଷଣା କଲେ ସୁରେଶ ରୈନା

ନୂଆଦିଲ୍ଲୀ : (ସଂକେତ୍ ଟିଭି) ପୂର୍ବରୁ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିବା ସୁରେଶ ରୈନା ଆଜି ଆଇପିଏଲରୁ ଅବସର ନେଇ ଘୋଷଣା କରିଛନ୍ତି । ଏହା ସହ ସେ ସମସ୍ତ କ୍ରିକେଟ ଫର୍ମାଟରୁ ସନ୍ୟାସ ନେଇଛନ୍ତି । ଏ ନେଇ ରୈନା ଟ୍ବିଟ କରି ସୂଚନା ଦେଇଛନ୍ତି ।

ଟ୍ବିଟ କରି ରୈନା କହିଛନ୍ତି, ”ମୋ ରାଜ୍ୟ ଉତ୍ତରପ୍ରଦେଶ ଓ ଦେଶପାଇଁ କ୍ରିକେଟ ଖେଳିବା ମୋ ପାଇଁ ଗର୍ବର ବିଷୟ । ମୁଁ ସମସ୍ତ କ୍ରିକେଟ ଫର୍ମାଟରୁ ଅବସର ଘୋଷଣା କରୁଛି । ମୋତେ ସମର୍ଥନ ଓ ବିଶ୍ବାସ କରିଥିବାରୁ ବିସିସିଆଇ, ୟୁପିସିଏ କ୍ରିକେଟ, ଆଇପିଏଲ, ଚେନ୍ନାଇ ସୁପରକିଙ୍ଗ୍ସ, ଏବଂ ମୋ ଫ୍ୟାନ୍ସଙ୍କୁ ଅନେକ ଅନେକ ଧନ୍ୟବାଦ ।”

ସୂଚନା ଅନୁସାରେ, ୧୫ ଅଗଷ୍ଟ ୨୦୨୦ରେ ଧୋନିଙ୍କ ସହ ରୈନା ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଅବସର ନେଇଥିଲେ । ବର୍ତ୍ତମାନ ଘରୋଇ କ୍ରିକେଟ୍‌ରୁ ମଧ୍ୟ ନିଜକୁ ଅଲଗା କରିବାକୁ ନିଷ୍ପତ୍ତି ନେଇଛନ୍ତି । ଆଇପିଏଲ୍ କ୍ୟାରିୟରରେ ରୈନା ୨୦୫ଟି ମ୍ୟାଚ୍ ଖେଳିଛନ୍ତି। ସେ ୫୫୨୮ ରନ୍ ସ୍କୋର କରିବାରେ ସଫଳ ହୋଇଥିଲେ ମିଷ୍ଟର ଆଇପିଏଲ । ରୈନା ଆଇପିଏଲରେ ସିଏସ୍‌କେ ଟିମ୍‌ ପାଇଁ ଖେଳୁଥିଲେ । ହେଲେ ଆଇପିଏଲ୍‌-୨୦୨୨ର ନିଲାମରେ CSK ତାଙ୍କୁ କିଣିନଥିଲା । ଏଥିସହ ଅନ୍ୟ କୌଣସି ଫ୍ରାଞ୍ଚାଇଜ୍‌ ମଧ୍ୟ ତାଙ୍କୁ କିଣିନଥିଲେ ।

ସେପ୍ଟେମ୍ବର ୧୦ରୁ ସେ ସଡକ ସୁରକ୍ଷା ବିଶ୍ୱ ସିରିଜର ଏକ ଅଂଶ ମଧ୍ୟ ହେବେ ବୋଲି ରୈନା ନିଶ୍ଚିତ କରିଛନ୍ତି । ସେ ସପ୍ତାହ ହେବ ଅଭ୍ୟାସ କରୁଛନ୍ତି । ଦକ୍ଷିଣ ଆଫ୍ରିକା, ଶ୍ରୀଲଙ୍କା ଏବଂ ୟୁଏଇର ଟି-୨୦ ଲିଗ୍ ପାଇଁ ତାଙ୍କୁ ଯୋଗାଯୋଗ କରାଯାଇଥିବା ସୁରେଶ ରୈନା ସୂଚନା ଦେଇଛନ୍ତି ।