କୋଇଲା ଦୁର୍ନୀତି ମାମଲାରେ ପଶ୍ଚିମବଙ୍ଗ ଆଇନ ମନ୍ତ୍ରୀଙ୍କ ଘରେ ସିବିଆଇ ଚଢାଉ

ନୂଆଦିଲ୍ଲୀ : (ସଂକେତ୍ ଟିଭି) କୋଇଲା ଦୁର୍ନୀତି ମାମଲାରେ ବରିଷ୍ଠ ଟିଏମସି ନେତା ତଥା ପଶ୍ଚିମବଙ୍ଗ ଆଇନ ମନ୍ତ୍ରୀ ମଳୟ ଘଟକଙ୍କ ଘରେ ସିବିଆଇ ଚଢାଉ ହୋଇଛି। ଆଜି ସକାଳେ ସିବିଆଇର ସ୍ବତନ୍ତ୍ର ଟିମ୍ କୋଲକାତାର ୫ଟି ସ୍ଥାନରେ ଏବଂ ଆଇନ ମନ୍ତ୍ରୀଙ୍କ ଆସନସୋଲ ସ୍ଥିତ ବାସଭବନରେ ରେଡ୍ କରିଥିବା ସୂଚନା ମିଳିଛି ।

ସୂଚନା ଅନୁସାରେ, ପଶ୍ଚିମବଙ୍ଗ ମନ୍ତ୍ରୀଙ୍କ ଆସନସୋଲ ସ୍ଥିତ ଆପକାର ଗାର୍ଡେନ ନିକଟ ନୂଆ ଘର ଏବଂ ଅଫିସରେ ସିବିଆଇର ଏକ ସ୍ବତନ୍ତ୍ର ଟିମ୍ ଛାପା ମାରିଛି । ଅନ୍ୟପଟେ ଆଉ ଏକ ଟିମ୍ ମନ୍ତ୍ରୀଙ୍କ କୋଲକାତା ସ୍ଥିତ ବାସଭବନରେ ଚଢାଉ କରିଛି । ଏହାବ୍ୟତୀତ ନିର୍ବାଚନ ସମୟରେ ଟିଏମସି ନେତ୍ରୀ ତଥା ଅଭିନେତ୍ରୀ ସାୟୋନି ଘୋଷଙ୍କ ପାଇଁ ନିଆଯାଇଥିବା ବାସଭବନରେ ମଧ୍ୟ ଚଢାଉ ହୋଇଛି ।

ଗୋରୁ ଚୋରା ଚାଲାଣ ଅଭିଯୋଗରେ ଗିରଫ ହୋଇଥିବା ପଶ୍ଚିମବଙ୍ଗ ଟିଏମସି ନେତା ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଘନିଷ୍ଠ ସହଯୋଗୀ ଅନୁବ୍ରତ ମଣ୍ଡଳ ଆଜି ଆସନସୋଲ କୋର୍ଟରେ ହାଜର ହେବାକୁ ଥିବାବେଳେ ମନ୍ତ୍ରୀ ମଳୟ ଘଟକଙ୍କ ଘରେ ସିବିଆଇ ଚଢାଉ କରିଛି ।