ଦିଲ୍ଲୀରୁ ୧୨୦୦ କୋଟି ମୂଲ୍ୟର ଡ୍ରଗ୍ସ ଜବତ, ୨ ଆଫଗାନ ନାଗରିକ ଗିରଫ

ନୂଆଦିଲ୍ଲୀ : (ସଂକେତ୍ ଟିଭି) ଦିଲ୍ଲୀର କାଲିନ୍ଦି କୁଞ୍ଜ ମେଟ୍ରୋ ଷ୍ଟେସନ ନିକଟ ମିଥାପୁର ଅଞ୍ଚଳରୁ ୩୧୨.୫ କେଜି ମିଥାମଫେଟାମାଇନ ଡ୍ରଗ୍ସ ଏବଂ ୧୦ କେଜି ହେରୋଇନ ଜବତ ହୋଇଛି । ଜବତ ଡ୍ରଗ୍ସର ଆନୁମାନିକ ମୂଲ୍ୟ ଅନ୍ତର୍ଜାତୀୟ ବଜାରରେ ପ୍ରାୟ ୧୨୦୦ କୋଟି ଟଙ୍କା ହେବ ବୋଲି ସୂଚନା ମିଳିଛି ।

ଏହି ଘଟଣାରେ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍ ଦୁଇ ଜଣ ଆଫଗାନିସ୍ତାନ ନାଗରିକଙ୍କୁ ଗିରଫ କରିଛି । ଅଭିଯୁକ୍ତମାନେ ହେଲେ ୨୩ ବର୍ଷୀୟ ମୁସ୍ତାଫା ଷ୍ଟାନିକଜା ଏବଂ ୪୪ ବର୍ଷୀୟ ରହିମୁଲ୍ଲା ରହିମ୍ ।

ସୂଚନା ଅନୁଯାୟୀ, ଏହି ଦୁଇ ଆଫଗାନିସ୍ତାନ ନାଗରିକ ୨୦୧୬ ମସିହାରୁ ଭାରତରେ ରହିଆସୁଥିଲେ । ବିଦେଶୀରୁ କାର୍ଯ୍ୟ କରୁଥିବା ଏକ ବଡ ଧରଣର ଡ୍ରଗ୍ସ ସିଣ୍ଡିକେଟ ଦିଲ୍ଲୀ ଦେଇ ବିପୁଳ ପରିମାଣର ଡ୍ରଗ୍ସ ଚାଲାଣ କରିବାକୁ ଯୋଜନା କରୁଥିବାର ପୋଲିସ ଖବର ପାଇଥିଲା । ଏହାପରେ ଏକ ଟିମ୍ ଗଠନ କରାଯାଇ ଗତକାଲି ଦୁଇ ଆଫଗାନିସ୍ତାନ ନାଗରିକଙ୍କୁ ଗିରଫ କରାଯାଇଥିଲା । ସେମାନଙ୍କ ନିକଟରୁ ୧୨୦୦ କୋଟି ମୂଲ୍ୟର ୩୧୨.୫ କେଜି ମିଥାମଫେଟାମାଇନ ଡ୍ରଗ୍ସ ଜବତ ହୋଇଛି । ତେବେ ଏତେ ପରିମାଣର ମିଥାମଫେଟାମାଇନ ଡ୍ରଗ୍ସ ଜବତ ହେବା ଭାରତ ଇତିହାସରେ ପ୍ରଥମ ଘଟଣା ।

ଏକ ରିପୋର୍ଟ ଅନୁସାରେ, ଆଫଗାନିସ୍ତାନର ଡ୍ରଗ୍ସ ବେପାରୀ ଏଫେଡ୍ରାଇନ ନାମକ ଡ୍ରଗ୍ସ ଉତ୍ପାଦନ ପାଇଁ ସ୍ଥାନୀୟ ରୂପ ମିଳୁଥିବା ଏଫେଡ୍ରା ଗଛକୁ ବ୍ୟବହାର କରୁଥିଲେ । ଏଫେଡ୍ରାଇନ ଏକ କେମିକାଲ ଅଟେ ଯେଉଁଥିରୁ ମିଥାମଫେଟାମାଇନ ତିଆରି ହୋଇଥାଏ । ହେଲେ ରିପୋର୍ଟ ମୁତାବକ, ଆଫଗାନିସ୍ତାନରେ ତାଲିବାନ କବ୍‌ଜା ପରେ ଏଫେଡ୍ରା ଚାଷକୁ ଦେଶରେ ବ୍ୟାନ କରାଯାଇଥିଲା । ଆଫଗାନରେ ଏଫେଡ୍ରା ଚାଷ ବ୍ୟାନ ହେବା ଦ୍ବାରା ଅନ୍ତର୍ଜାତୀୟ ସ୍ତରରେ ଡ୍ରଗ୍ସର ଡିମାଣ୍ଡ ଆହୁରି ଅଧିକ ବଢିଥିଲା ।