୩୫ ବର୍ଷ ଲିଜ୍‌ ଦିଆଯିବ ରେଳବାଇ ଜମି

ନୂଆଦିଲ୍ଲୀ : (ସଂକେତ୍ ଟିଭି) ରେଳବାଇ ଜମିକୁ ଲିଜ୍‌ ଦେବା ଲାଗି କେନ୍ଦ୍ର କ୍ୟାବିନେଟ୍‌ ଆଜି ଏକ ସଂଶୋଧିତ ନୀତିକୁ ମଞ୍ଜୁରି ଦେଇଛି । ଏହାଦ୍ୱାରା ଭିତ୍ତିଭୂମି ବିକାଶ ଲାଗି ଅଧିକ ପୁଞ୍ଜିନିବେଶ ଆସିବ । ସଂଶୋଧନ ପ୍ରସ୍ତାବ ଅନୁଯାୟୀ ରେଳବାଇ ଜମିର ଲିଜ୍‌ ମୂଲ୍ୟ ବଜାର ମୂଲ୍ୟଠାରୁ ୧.୫% ହ୍ରାସ କରାଯାଇଛି । ପୂର୍ବରୁ ଏହା ୬% ଥିଲା । ସେହିଭଳି ଲିଜ୍‌ ସମୟସୀମାକୁ ୫ବର୍ଷରୁ ୩୫ବର୍ଷ ଯାଏ ବୃଦ୍ଧି କରାଯାଇଛି । ଏହାଦ୍ୱାରା ଘରୋଇକରଣ ଲାଗି ଯେଉଁ ବିଳମ୍ବ ହେଉଥିଲା ତାହା ଶୀଘ୍ର ହୋଇପାରିବ ।

ପିଏମ୍‌ ଗତିଶକ୍ତି ଯୋଜନାରେ ଆଗାମୀ ୫ବର୍ଷ ମଧ୍ୟରେ ୩୦୦ କାର୍ଗୋ ଟର୍ମିନାଲ୍‌ର ବିକାଶ ପାଇଁ ଲକ୍ଷ୍ୟ ରଖାଯାଇଛି । କ୍ୟାବିନେଟ୍‌ ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର କହିଥିଲେ ଯେ, ନୂଆ ନୀତି ୯୦ଦିନ ମଧ୍ୟରେ ଲାଗୁ କରାଯିବ । ଏହାଦ୍ୱାରା କାର୍ଗୋ ଟର୍ମିନାଲ୍‌ର ନିର୍ମାଣ ସହ ଭିତ୍ତିଭୂମି ବିକାଶ ଲାଗି ସହାୟକ ହେବ । ପିପିପି ପଦ୍ଧତିରେ ଏହାର ବିକାଶ କରାଯିବ ।

ଏହି ନୀତି ଅନୁଯାୟୀ ୧.୨୫ଲକ୍ଷ ନୂଆ ଚାକିରି ସୃଷ୍ଟି କରିବାର ଲକ୍ଷ୍ୟ ରଖାଯାଇଛି । ଏହାଦ୍ୱାରା ରେଳବାଇର ପରିବହନ ବ୍ୟବସ୍ଥା ଅଧିକ ସୁଦୃଢ ହେବ । ଏହାଛଡା ଦେଶର ଲଜିଷ୍ଟିକ୍‌ କଷ୍ଟ ସାମଗ୍ରିକ ଭାବେ ହ୍ରାସ ପାଇବ । ନୂଆ ନୀତିରେ ଯେଉଁ ରେଳବାଇ ଜମିରେ କାର୍ଗୋ ସଂକ୍ରାନ୍ତୀୟ ବ୍ୟବସ୍ଥା କରାଯିବ । ଏହାକୁ ୩୫ବର୍ଷ ଯାଏ ଲିଜ୍‌ ଦିଆଯିବ । ଏଥିପାଇଁ ମୂଲ୍ୟ ଅତ୍ୟନ୍ତ ସାମାନ୍ୟ ରଖାଯାଇଛି ।

ପ୍ରତିବର୍ଷ ଲାଗି ପ୍ରତି ବର୍ଗମିଟର ଲାଗି ୧ଟଙ୍କା ବିନିମୟରେ ପିପିପି ବ୍ୟବସ୍ଥାରେ ସ୍କୁଲ ଓ ସ୍ୱାସ୍ଥ୍ୟସେବା ଖୋଲିବା ପାଇଁ ଜମି ଯୋଗାଇ ଦିଆଯିବ । ଜମି ଲିଜ୍‌ ନୀତିରେ ଜମି ବ୍ୟବହାରକାରୀମାନଙ୍କୁ ମଧ୍ୟ ଲାଭ ମିଳିବ । ଯେଉଁମାନେ ବର୍ତ୍ତମାନ ଏହି ଜମିକୁ ବ୍ୟବହାର କରୁଛନ୍ତି, ସେମାନେ ବିଡିଂ ପ୍ରକ୍ରିୟାରେ ଭାଗ ନେଇପାରିବେ । ୨୦୧୯ରେ ସରକାରୀ ଉଦ୍ୟୋଗ ଗୁଡିକୁ ଘରୋଇକରଣ କରିବା ଲାଗି ଅନୁମୋଦନ ହୋଇଥିଲା । ସରକାରୀ ଉଦ୍ୟୋଗର ୩୦.୮% ଘରୋଇକରଣ ଲାଗି ନିଷ୍ପତ୍ତି ହୋଇଥିଲା ।