ମୁଁ କେନ୍ଦ୍ର ସରକାରର ଚାକର ନୁହଁ : ବର୍ଷିଲେ ମମତା ବାନାର୍ଜୀ

କୋଲକାତା : (ସଂକେତ୍ ଟିଭି) ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦିଲ୍ଲୀରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କାର୍ଯ୍ୟକ୍ରମରେ ଯୋଗ ଦେବେ ନାହିଁ । ଠିକ ଭାବେ ନିମନ୍ତ୍ରଣ କରାଯାଇ ନଥିବାରୁ ଏହି କାର୍ଯ୍ୟକ୍ରମରେ ଯୋଗ ଦେବେ ନାହିଁ ବୋଲି ସେ କହିଛନ୍ତି। ଏହା ସହିତ ସେ କେନ୍ଦ୍ର ସରକାରକୁ ଟାର୍ଗେଟ କରିଛନ୍ତି ।

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି, କାର୍ଯ୍ୟକ୍ରମ ବାବଦରେ ବୁଧବାର ସଂଧ୍ୟାରେ ଜଣେ ଅଧିକାରୀ ଚିଠି ପଠାଇଥିଲେ। କୋଲକାତାର ଏକ ରାଲିରେ ମମତା କହିଛନ୍ତି, ‘ଗତକାଲି ସଂଧାରେ ଜଣେ ଅଣ୍ଡର ସେକ୍ରେଟାରୀଙ୍କ ଚିଠି ଆସିଥଲା। ଏଥିରେ କୁହାଯାଇଥିଲା ଆସନ୍ତାକାଲି ସଂଧ୍ୟା ୭ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନେତାଜୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିବେ। ସଂଧ୍ୟା ୬ଟାରେ ଆପଣଙ୍କୁ ଏଠାରେ ଉପସ୍ଥିତ ରହିବାକୁ ପଡିବ। ସତେ ଯେପରି ମୁଁ ତାଙ୍କର ଚାକର। କିପରି ଜଣେ ଅଣ୍ଡର ସେକ୍ରେଟାରୀ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ପାରିବ ? ସଂସ୍କୃତି ମନ୍ତ୍ରୀ କାହିକିଁ ଏତେ ବଡ଼ ହୋଇଯାଉଛନ୍ତି?’

ଏହି କାରଣରୁ ଆଜି ଅପରାହ୍ଣରେ ନେତାଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ତାଙ୍କୁ ସମ୍ମାନ ଜଣାଇଛି ବୋଲି ସେ କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ସଂଧ୍ୟାରେ ଇଣ୍ଡିଆ ଗେଟ୍ ନିକଟରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତି ଲୋକାର୍ପଣ କରିବେ।