ଖୁବ୍ ଶୀଘ୍ର କମ୍ ହେବ ଗ୍ୟାସ ସିଲିଣ୍ଡରର ଦାମ୍ !

ନୂଆଦିଲ୍ଲୀ : (ସଂକେତ୍ ଟିଭି) ଗ୍ୟାସର ମୂଲ୍ୟ ସ୍ଥିର କରିବାର ସୂତ୍ରର ସମୀକ୍ଷା ପାଇଁ କେନ୍ଦ୍ର ସରକାର ଏକ କମିଟି ଗଠନ କରିଛନ୍ତି । ଓଏନଜିସି ଓ ରିଲାଏନ୍ସ ଭଳି ପ୍ରମୁଖ ତୈଳ ଉତ୍ପାଦନକାରୀ କମ୍ପାନୀ ଦ୍ୱାରା ଉତ୍ପାଦିତ ଗ୍ୟାସର ମୂଲ୍ୟ ଏହି କମିଟି ସ୍ଥିର କରିବ । ଯୋଜନା ଆୟୋଗର ପୂର୍ବତନ ସଦସ୍ୟ କିରିଟ୍ ଏସ ପାରିକଙ୍କ ନେତୃତ୍ୱରେ ଏହି ସମୀକ୍ଷା କମିଟି ଗଠନ କରିଛନ୍ତି ।

ଏହି କମିଟି ଗ୍ୟାସ ଉପଭୋକ୍ତାଙ୍କୁ ଗ୍ୟାସର ଉଚିତ ମୂଲ୍ୟ ବିଷୟରେ ପରାମର୍ଶ ଦେବ । ଏହି ସମିତିରେ ସହରୀ ଗ୍ୟାସ ବିତରଣରେ ଜଡିତ ବେସରକାରୀ ବା ଘରୋଇ କମ୍ପାନୀ, ସରକାରୀ ଗ୍ୟାସ କମ୍ପାନୀ ଗେଲ୍ ଇଣ୍ଡିଆ ଲିମିଟେଡ, ଇଣ୍ଡିଆନ ଅଏଲ କର୍ପୋରେସନ ଏବଂ ଉର୍ବରକ ମନ୍ତ୍ରଣାଳୟର ଜଣେ ଜଣେ ପ୍ରତିନିଧିଙ୍କୁ ସାମିଲ କରାଯାଇଛି । ସରକାର ୨୦୧୪ରେ ଗ୍ୟାସ ଅଧିକ ଥିବା ଦେଶଗୁଡ଼ିକର ଗ୍ୟାସ ମୂଲ୍ୟର ବ୍ୟବହାର ଘରୋଇ ସ୍ତରରେ ଉତ୍ପାଦିତ ଗ୍ୟାସର ମୂଲ୍ୟ ନିର୍ଣ୍ଣୟ କରିବା ପାଇଁ ଏକ ସୂତ୍ର ଖୋଜିବାରେ କରିଥିଲେ ।

ଏହି ଫର୍ମୂଲା ଅନୁଯାୟୀ, ମାର୍ଚ୍ଚ ୨୦୨୨ ପର୍ଯ୍ୟନ୍ତ ଉତ୍ପାଦନ ମୂଲ୍ୟଠାରୁ ଗ୍ୟାସର ମୂଲ୍ୟ ଅନେକ ଗୁଣ କମ୍ ଥିଲା । କିନ୍ତୁ ୟୁକ୍ରେନ ଯୁଦ୍ଧ ଆରମ୍ଭ ହେବାର ଗତ କିଛି ମାସ ମଧ୍ୟରେ ଏହି ହାର ଦ୍ରୁତ ଗତିରେ ବୃଦ୍ଧି ପାଇଛି । ପୁରୁଣା ଗ୍ୟାସ କ୍ଷେତ୍ରରୁ ବାହାରୁ ଥିବା ଗ୍ୟାସର ମୂଲ୍ୟ ଏପ୍ରିଲରୁ ଦୁଇଗୁଣ ବୃଦ୍ଧି ହୋଇ ୟୁନିଟ୍ ପିଛା ୬.୧ ଡଲାର ହୋଇସାରିଛି ଓ ଆସନ୍ତା ମାସ ସୁଦ୍ଧା ୟୁନିଟ୍ ପିଛା ୯ ଡଲାର ଅତିକ୍ରମ କରିବ ବୋଲି ଆଶା କରାଯାଉଛି ।

ମନ୍ତ୍ରଣାଳୟ ଏହି ସମିତିକୁ କହିଛି ଯେ ଉପଭୋକ୍ତାଙ୍କୁ ଯୋଗାଇ ଦିଆଯାଉଥିବା ଗ୍ୟାସର ଉଚିତ ମୂଲ୍ୟର ପରାମର୍ଶ ଦିଆଯାଉ । ଗ୍ୟାସର ବ୍ୟବହାର ସାର ତିଆରି ବ୍ୟତୀତ ବିଦ୍ୟୁତ୍ ଉତ୍ପାଦନ ଓ ସିଏନଜି ଏବଂ ଏଲପିଜି ରୋଷେଇ ଗ୍ୟାସ ଭାବରେ ମଧ୍ୟ ବ୍ୟବହୃତ ହୁଏ ।