ଏସିଆ କପ୍ : ଦ୍ରାବିଡ଼ଙ୍କ ଅଧିକ ପରୀକ୍ଷାନିରୀକ୍ଷାକୁ ପ୍ରଶ୍ନ

ନୂଆଦିଲ୍ଲୀ : (ସଂକେତ୍ ଟିଭି) ୟୁନାଇଟେଡ୍ ଆରବ ଏମିରେଟ୍ସ୍‌ରେ ଚାଲିଥିବା ଚଳିତ ଏସିଆ କପ୍ କ୍ରିକେଟ୍‌ର ସୁପର-୪ ପର୍ଯ୍ୟାୟରେ ଭାରତର ବିଫଳତା ନେଇ ଦେଶର ବହୁ ପୁରୁଖା କ୍ରିକେଟର ମୁଖ୍ୟ କୋଚ ରାହୁଲ ଦ୍ରାବିଡ଼ଙ୍କୁ ଦାୟୀ କରିଛନ୍ତି । କାରଣ ଚଳିତ ବର୍ଷ ବିଭିନ୍ନ ଟୁର୍ଣ୍ଣାମେଣ୍ଟ୍ ପାଇଁ ଦ୍ରାବିଡ଼ ୭ ଜଣ ଅଧିନାୟକଙ୍କୁ ନିଯୁକ୍ତି କରିବା ସହ ଏସିଆ କପ୍‌ରେ ବାରମ୍ବାର ଖେଳାଳି ପରିବର୍ତ୍ତନ କରିବା ଯୋଗୁ ଭାରତୀୟ ଦଳର ପ୍ରଦର୍ଶନ ଉପରେ ବିଶେଷ ପ୍ରଭାବ ପକାଇଲା ବୋଲି ସମସ୍ତେ ଅନୁଭବ କରୁଛନ୍ତି ।

ଏକାଧିକ ଅଧିନାୟକ ନିଯୁକ୍ତି ଦ୍ୱାରା ପୃଥକ ସିରିଜରେ ଖେଳାଳିଙ୍କର ପ୍ରକୃତ ସ୍ଥାନ ନିରୂପଣ ସଠିକ୍ ହୋଇପାରିଲା ନାହିଁ । ସେହିପରି ଏସିଆ କପ୍‌ର ପ୍ରତି ମ୍ୟାଚ୍ ପରେ ଖେଳାଳି ପରିବର୍ତ୍ତନ ଦ୍ୱାରା ଭାରତ ଶୋଚନୀୟ ପରାଜୟ ସ୍ୱୀକାର କରିଛି । ଏସିଆ କପ୍‌ରେ ଭାରତ ସବୁଠାରୁ ସଫଳ ଦଳ ଭାବେ ସର୍ବାଧିକ ବାର ଚାମ୍ପିଅନ୍ ହୋଇଥିବା ବେଳେ ଗତ ସଂସ୍କରଣରେ ମଧ୍ୟ ଟାଇଟଲ ହାସଲ କରିଥିଲା । ସଞ୍ଜୁ ସାମ୍‌ସନ୍‌, ଶୁଭମନ ଗିଲ୍ ଓ ଦୀପକ ଚହରଙ୍କ ପରି ଇନ୍‌ଫର୍ମ ଖେଳାଳିଙ୍କୁ ସୁଯୋଗ ନ ଦିଆଯିବା ମହଙ୍ଗା ସାବ୍ୟସ୍ତ ହୋଇଛି ।

ଚଳିତ ବର୍ଷ ଆଇପିଏଲ୍‌ରେ ଭଲ ପ୍ରଦର୍ଶନ କରିଥିବା ଦୀନେଶ କାର୍ତ୍ତିକଙ୍କ ସ୍ଥାନରେ ଋଷଭ ପନ୍ତଙ୍କୁ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ସୁଯୋଗ ଦେବା ଦ୍ରାବିଡ଼ଙ୍କ ନିଷ୍ପତ୍ତିକୁ ପ୍ରଶ୍ନ କରିଛନ୍ତି ପୂର୍ବତନ କ୍ରିକେଟର ହରଭଜନ ସିଂ । ସେହିପରି ପାକିସ୍ତାନ ବିପକ୍ଷ ସୁପର-୪ ମ୍ୟାଚ୍‌ରେ ରବି ବିଷ୍ଣୋଇ ଭଲ ପ୍ରଦର୍ଶନ କରିଥିବା ବେଳେ ଶ୍ରୀଲଙ୍କା ବିକ୍ଷ ମ୍ୟାଚ୍ ପାଇଁ ତାଙ୍କୁ ଉପେକ୍ଷା କରି ଅଶ୍ୱିନୀଙ୍କୁ ଦଳରେ ସାମିଲ କରାଗଲା । ଏକାଧିକ ପରିବର୍ତ୍ତନ ଭାରତର ପରାଜୟ ପାଇଁ ମୁଖ୍ୟ କାରଣ ହୋଇଛି ।