ରମାଦେବୀ କଲେଜ ଛାତ୍ରୀଙ୍କ ଅଶ୍ଳୀଳ ଫଟୋ ଭାଇରାଲ କରି ଭଣ୍ଡବାବା ଗିରଫ

ଭୁବନେଶ୍ୱର : (ସଂକେତ୍ ଟିଭି): ରମାଦେବୀ କଲେଜରେ ପଢୁଥିବା ଛାତ୍ରୀ ଅଶ୍ଳୀଳ ଫଟୋ ଭାଇରାଲ କରି ବ୍ଲାକମେଲ କରୁଥିବା ଅଭିଯୋଗରେ ଜଣେ ୩୫ ବର୍ଷିୟ ଭଣ୍ଡବାବାକୁ ଭୁବନେଶ୍ୱର ସାଇବର ପୋଲିସ ଗିରଫ କରିଛି । ଗିରଫ ବାବା ଜଣକ ହେଲେ ଢେଙ୍କାନାଳର ପରୀକ୍ଷିତ ନାୟକ ଓରଫ କାଳିଆ ।

ସୂଚନା ଅନୁସାରେ, ଢେଙ୍କାନାଳର ଝାଡବନ୍ଧ ଅଞ୍ଚଳର ପରୀକ୍ଷିତ ନାୟକ ନିଜକୁ ଇସ୍କନ ମନ୍ଦିରର ଦୀକ୍ଷିତ କହି ଦିନବେଳା ଚିତା ଚୈତନ୍ୟ ମାରି ବୁଲୁଥିଲା, ଆଉ ରାତିରେ ଯୌନ ଶୋଷଣ କରୁଥିଲା। ଚିତା ଚୈତନ୍ୟ କାଟି ନିଜକୁ ଇସ୍କନ ସଦସ୍ୟ ବୋଲି ପରିଚୟ ଦେଇ ମହିଳା ହଷ୍ଟେଲରେ କାର୍ଯ୍ୟ କରି ସେ ଏଭଳି କାଣ୍ଡ ଭିଆଇଥିବା ଅଭିଯୋଗ ହୋଇଛି।

ଗତ ଜୁଲାଇ ୨୪ ତାରିଖରେ ଭୁବନେଶ୍ୱର ସାଇବର ଥାନାରେ ପରୀକ୍ଷିତ ନାୟକ ନାମରେ ଏକ ଅଭିଯୋଗ ହୋଇଥିଲା। ପରୀକ୍ଷିତ ଏକ ହଷ୍ଟେଲରେ ରୋଷେୟା ଭାବେ କାମ କରୁଥିଲା। ସେଠାରେ ରମାଦେବୀ କଲେଜରେ ପଢୁଥିବା ଛାତ୍ରୀମାନେ ରହୁଥିଲେ। ସେହି ସମୟରେ କାଳିଆ ଝିଅଙ୍କୁ ପ୍ରେମ ନିବେଦନ କରିଥିଲା। ରାଜି ନ ହେଲେ ଅନ୍ତେବାସୀଙ୍କୁ ହଇରାଣ ହରକତ କରୁଥିଲା। ପରୀକ୍ଷିତର ଆଚରଣ ପାଇଁ ଅଭିଯୋଗକାରିଣୀ ଦୁଇ ଭଉଣୀ ହଷ୍ଟେଲ ଛାଡିଥିଲେ। ଏଥିରେ ରାଗିଯାଇ ପରୀକ୍ଷିତ ସେମାନଙ୍କ ଫଟୋ ଏଡିଟ କରି ସୋସଆଲ ମିଡିଆରେ ଭାଇରାଲ କରିଥିଲା। ଏପରିକି ନାବାଳିକାଙ୍କ ଘର ଲୋକଙ୍କୁ ମଧ୍ୟ ପଠାଇଥିଲା।

ଥାନାରେ ଅଭିଯୋଗ ପରଠୁ ପରୀକ୍ଷିତ ଫେରାର ଥିଲା। ଗୁରୁବାର ସାଇବର ପୋଲିସ ତାକୁ ଅନୁଗୁଳରୁ ଗିରଫ କରିଛି। ପରୀକ୍ଷିତ ନିକଟରୁ ଏକ ମୋବାଇଲ ମଧ୍ୟ ଜବତ କରାଯାଇଛି। ଗିରଫ ପରେ କୋର୍ଟ ଚାଲାଣ କରାଯାଇଥିଲା। କୋର୍ଟରେ ଜାମିନ ନାମଞ୍ଜୁର ହେବା ପରେ ତାକୁ ଝରପଡା ଜେଲ ପଠାଇ ଦିଆଯାଇଥିବା ସୂଚନା ମିଳିଛି।

ସେପଟେ ଅଭିଯୋଗକାରିଣୀ ଜଣେ ଯୁବତୀଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଥିବା ଅଭିଯୁକ୍ତ କହିଛି। ତାର କହିବାନୁସାରେ ଉଭୟ ପରସ୍ପରଙ୍କୁ ପ୍ରେମ କରୁଥିଲେ। କିନ୍ତୁ ସେ କୌଣସି ଅଶ୍ଳୀଳ ଫଟୋ ପଠାଇ ନାହିଁ ବୋଲି କହିଛି। ଅଭିଯୁକ୍ତ ପରୀକ୍ଷିତ ନାୟକ ବିବାହିତ ହୋଇଥିବା ବେଳେ ତାର ୪ ବର୍ଷର ଗୋଟିଏ ଝିଅ ଅଛି।