ଏସିଆ କପ୍ ମ୍ୟାଚ୍ ବେଳେ ମାର୍‌ପିଟ୍‌, କ୍ରିକେଟ୍‌ରେ ଗୁଣ୍ଡାଗିରି ଚାଲିବ ନାହିଁ : ରାଜା

ସାରଜା : (ସଂକେତ୍ ଟିଭି) ଚଳିତ ଏସିଆ କପ୍‌ କ୍ରିକେଟ୍‌ର ସୁପର-୪ ମ୍ୟାଚ୍‌ରେ ଆଫଗାନିସ୍ତାନକୁ ୧ ୱିକେଟ୍‌ରେ ହରାଇ ପାକିସ୍ତାନ ଫାଇନାଲ୍ ଖେଳିବା ପାଇଁ ଯୋଗ୍ୟତା ହାସଲ କରିଥିଲା । ତେବେ ଏ ମ୍ୟାଚ୍‌ରେ ଆଫଗାନିସ୍ତାନ ହାରିଯିବା ପରେ ଷ୍ଟାଡିୟମ୍‌ରେ ଉପସ୍ଥିତ ଦୁଇ ଦେଶର ସମର୍ଥକଙ୍କ ମଧ୍ୟରେ ମାର୍ ପିଟ୍ ଦେଖିବାକୁ ମିଳିଥିଲା । ଏପରିକି ଆଫଗାନିସ୍ତାନ ଦର୍ଶକମାନେ ଦଳର ପରାଜୟ ନେଇ ଅତ୍ୟଧିକ କ୍ରୋଧାନ୍ୱିତ ହୋଇ ଚେୟାର୍ ଫିଙ୍ଗା ଫୋପଡ଼ା କରିବା ନେଇ ଅଭିଯୋଗ ହୋଇଛି ।

ସେହିପରି ମ୍ୟାଚ୍‌ର ଶେଷ ପର୍ଯ୍ୟାୟରେ ବୋଲିଂ କରୁଥିବା ଆଫଗାନିସ୍ତାନ ଦଳର ବୋଲର୍ ଫରିଦ ଅହମ୍ମଦ ଓ ପାକିସ୍ତାନ ବ୍ୟାଟ୍ସମ୍ୟାନ୍ ଅସିଫ ଅଲ୍ଲୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ହୋଇଥିଲା । ତେବେ ଏହି ଘଟଣାକୁ ନେଇ ପାକିସ୍ତାନର ପୂର୍ବତନ ପ୍ରେସ୍‌ ବୋଲର୍ ସୋଏବ ଅଖତାର ଓ ଆଫଗାନିସ୍ତାନ କ୍ରିକେଟର ପୂର୍ବତନ ମୁଖ୍ୟ କାର୍ଯ୍ୟନିର୍ବାହୀ ସଫିକ୍ ଷ୍ଟାନିଜିଙ୍କ ମଧ୍ୟରେ ସୋସିଆଲ୍ ମିଡିଆରେ ମଧ୍ୟ କଥା କଟାକଟି ହୋଇଥିଲା ।

ପାକିସ୍ତାନ କ୍ରିକେଟ୍ ବୋର୍ଡ ମୁଖ୍ୟ ରମିଜ ରାଜା କହିଛନ୍ତି ଯେ, କ୍ରିକେଟ୍ ପରି ଭଦ୍ର କ୍ରୀଡ଼ାରେ ଗୁଣ୍ଡାଗିରି ବରଦାସ୍ତ କରାଯିବ ନାହିଁ । ଆଫଗାନିସ୍ତାନ ଦଳ ସଞ୍ଜମତା ରକ୍ଷା କରି ଖେଳିବା ଉଚିତ । ୨୦୨୧ ଟି-୨୦ ବିଶ୍ୱକପ୍ ଓ ୨୦୧୯ ଦିନିକିଆ ବିଶ୍ୱକପ୍ ବେଳେ ଆଫଗାନିସ୍ତାନ ଦର୍ଶକମାନେ ମଧ୍ୟ ଅନୁରୂପ ପରିସ୍ଥିତି ସୃଷ୍ଟି କରିଥିଲେ । ଚଳିତ ଏସିଆ କପ୍‌ରେ ମଧ୍ୟ ଏହାର ପୁନରାବୃତ୍ତି କଲେ । କ୍ରିକେଟ୍‌ରେ ହାରଜିତ୍ ଲାଗି ରହିଛି । ତେଣୁ ଦଳର ପରାଜୟ ନେଇ ଆଫଗାନିସ୍ତାନ ଦର୍ଶକମାନେ ଅତ୍ୟଧିକ ପ୍ରତିକ୍ରିୟାଶୀଳ ହେବା ଅନୁଚିତ । ତେବେ ଏହି ଘଟଣା ନେଇ ଆମେ ଆଇସିସି, ଏସିଆ କ୍ରିକେଟ୍ କାଉନ୍‌ସିଲ୍‌ ଓ ୟୁଏଇ କ୍ରିକେଟ୍‌ବୋର୍ଡ ନିକଟରେ
ନିଶ୍ଚିତ ଅଭିଯୋଗ କରିବୁ ।