ଏସିଆ କପ୍ ପାଇଁ ସାମିଙ୍କୁ ଉପେକ୍ଷା, ଶାସ୍ତ୍ରୀଙ୍କ ପ୍ରଶ୍ନ

ନୂଆଦିଲ୍ଲୀ : (ସଂକେତ୍ ଟିଭି) ସଂଯୁକ୍ତ ଆରବ ଏମିରେଟ୍ସ୍‌ରେ ସମ୍ପ୍ରତି ଚାଲିଥିବା ଏସିଆ କପ୍ କ୍ରିକେଟ୍‌ରେ ଭାରତୀୟ ଦଳ ଅତି ନିମ୍ନମାନ ପ୍ରଦର୍ଶନ କରି ଫାଇନାଲ୍ ଖେଳିବାରୁ ବଞ୍ଚିତ ହୋଇଛି । ତେବେ ଏସିଆ କପ୍ ପାଇଁ ବିସିସିଆଇ ପକ୍ଷରୁ ଗଠନ କରାଯାଇଥିବା ଦଳ ଚୟନ ନେଇ ଭାରତର ଏକାଧିକ ପୁରୁଖା କ୍ରିକେଟର୍ ପ୍ରଶ୍ନବାଚୀ ଉଠାଇଛନ୍ତି । ଗତକାଲି ଅବସରପ୍ରାପ୍ତ ଭେଟେରାନ ସ୍ପିନର୍ ହରଭଜନ ସିଂ ଦଳ ଗଠନ ନେଇ ପ୍ରଶ୍ନ କରିଥିବା ବେଳେ
ଗୁରୁବାର ପୂର୍ବତନ ଭାରତୀୟ ଦଳର ମୁଖ୍ୟ କୋଚ ରବି ଶାସ୍ତ୍ରୀ ମଧ୍ୟ ଅନୁରୂପ ଆରୋପ କରିଛନ୍ତି ।

ପ୍ରମୁଖ ପେସ୍‌ ବୋଲର୍ ଯଶପ୍ରୀତ ବୁମ୍‌ରାଙ୍କ ଅନୁପସ୍ଥିତିରେ ଏସିଆ କପ୍ ପାଇଁ ମନୋନୀତ କରାଯାଇଥିବା ପେସ୍‌ ବୋଲର୍‌ମାନେ ପ୍ରତିକ୍ଷ ଦଳ ଉପରେ କୌଣସି ପ୍ରଭାବ ପକାଇପାରିଲେ ନାହିଁ । ଏପରିକି ଭୁବନେଶ୍ୱର କୁମାରଙ୍କ ପରି ଅଭିଜ୍ଞ ପେସ୍ ବୋଲର୍ ମଧ୍ୟ ସମ୍ପୂର୍ଣ୍ଣ ଫେଲ୍ ମାରିଲେ । ସେହିରି ଦଳରେ ସ୍ଥାନ ପାଇଥିବା ଅନ୍ୟ ଦୁଇ ପେସର୍‌ ଅର୍ଶଦୀପ ସିଂ ଓ ଅଭେସ ଖାନ ମଧ୍ୟ ଆଶାନୁରୂ ପ୍ରଦର୍ଶନ କରିପାରିଲେ ନାହିଁ । ଯାହା ଫଳରେ ଭାରତ ସୁପର-
୪ ପର୍ଯ୍ୟାୟର ପାକିସ୍ତାନ ଓ ଶ୍ରୀଲଙ୍କା ବିପକ୍ଷ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ଫେଲ୍‌ ମାରିଲା ।

ତେଣୁ ପୂର୍ବତନ କୋଚ ରବି ଶାସ୍ତ୍ରୀ କହିଛନ୍ତି ଯେ, ମହମ୍ମଦ ସାମିଙ୍କ ପରି ଅଭିଜ୍ଞ ଓ ପ୍ରଭାବୀ ପେସ୍‌ ବୋଲର୍‌ଙ୍କୁ ଦଳରେ ସାମିଲ ନକରିବା ମସ୍ତବଡ଼ ଭୁଲ୍ । ଚୟନକର୍ତ୍ତାମାନେ ତାଙ୍କୁ ଉପେକ୍ଷା କରିବା ଦ୍ୱାରା ଆଜି ବଡ଼ କ୍ଷତିର ସମ୍ମୁଖୀନ ହୋଇଛନ୍ତି । କାରଣ ସାମି ସବୁବେଳେ ଭାରତୀୟ କ୍ରିକେଟ୍‌ ପାଇଁ ମହତ ସେବା କରି ଆସୁଥିବା ବେଳେ ପ୍ରତିପକ୍ଷ ଦଳ ଉପରେ ଜୋର୍‌ଦାର ପ୍ରଭାବ ପକାଇ ପାରନ୍ତି । ବର୍ତ୍ତମାନ ସାମି ଘରେ ବସିଛନ୍ତି । ମାତ୍ର ତାଙ୍କୁ ଏସିଆ କପ୍ ପାଇଁ ଦଳରେ ସାମିଲ କରାଗଲା ନାହିଁ ।

ଚଳିତ ବର୍ଷ ଆଇପିଏଲ୍‌ରେ ସାମି ଗୁଜରାଟ ଟାଇଟନ୍ସ ପକ୍ଷରୁ ଖେଳି ୨୦ ୱିକେଟ୍‌ ଅକ୍ତିଆର କରିଥିଲେ । ଯାହା ଫଳରେ ପ୍ରଥମ ଥର ପାଇଁ ଆଇପିଏଲ୍‌ରେ ସାମିଲ ହୋଇଥିବା ଗୁଜରାଟ ଟାଇଟନ୍ସ ଚାମ୍ପିଅନ୍ ହେବା ଦିଗରେ ସାମିଙ୍କ ଭୂମିକା ଉଲ୍ଲେଖନୀୟ ଥିଲା । ସବୁଠାରୁ ବଡ଼କଥା ହେଲା ଯେ, ସେ ସମ୍ପୂର୍ଣ୍ଣ ଫିଟ୍‌ନେସ୍ ବଜାୟ ରଖି ଆଇପିଏଲ୍‌ର ୧୬ ମ୍ୟାଚ୍ ଖେଳିପାରିଥିଲେ । ସେହିପରି ସୀମିତ ଓଭର ମ୍ୟାଚ୍‌ରେ ସାମିଙ୍କ ପାୱାର ପ୍ଲେ’ ପର୍ଯ୍ୟାୟ ପ୍ରଦର୍ଶନ ଅତି ଚମତ୍କାର । ସେହିପରି ଭଲ ଫର୍ମରେ ଥିବା ଦୀପକ ଚହରଙ୍କୁ ମଧ୍ୟ ଏସିଆ କପ୍‌ରେ କୌଣସି ସୁଯୋଗ ମିଳିଲା ନାହିଁ ।