୫-ଟି ସ୍କୁଲର ରକ୍ଷଣାବେକ୍ଷଣ କରିବେ ଏସ୍‌ଏଚଜି

ଭୁବନେଶ୍ବର : (ସଂକେତ୍ ଟିଭି) ରାଜ୍ୟ ସରକାରଙ୍କ ସଫଳ ଯୋଜନା ଭିତରେ ୫-ଟି ସ୍କୁଲ ରୂାନ୍ତରଣ ଅନ୍ୟତମ । ଏହା ରାଜ୍ୟ ସରକାରଙ୍କ ଏକ ଆଦର୍ଶ ଯୋଜନା । ୫ଟି-ରେ ରୂପାନ୍ତରିତ ସ୍କୁଲ ଗୁଡିକ ଘରୋଇ ସ୍କୁଲ ଗୁଡିକ ସମକକ୍ଷ ହୋଇପାରିଛି ବୋଲି କୁହାଯାଉଛି । ତେଣୁ ଏହି ସ୍କୁଲ ଗୁଡିକର ରକ୍ଷଣାବେକ୍ଷଣ ପାଇଁ ଏବେ ପଞ୍ଚାୟତିରାଜ ବିଭାଗ, ମିଶନ ଶକ୍ତି ଓ ସ୍କୁଲ ଏବଂ ଗଣଶିକ୍ଷା ବିଭାଗର ମିଳିତ ସହଭାଗିତାରେ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରାଯାଇଛି ।

ଏଣିକି ରାଜ୍ୟ ସରକାରଙ୍କ ୫ଟି ଉପକ୍ରମରେ ରୂାନ୍ତରିତ ସରକାରୀ ସ୍କୁଲଗୁଡିକର ଦାୟିତ୍ୱ ଏସଏଚଜିର ମହିଳାଙ୍କ ହାତରେ ରହିବ । ଏଥିପାଇଁ ପଦକ୍ଷେପ ନେବାକୁ ଓସେପା ପକ୍ଷରୁ ଜାରି କରାଯାଇଛି । ନିର୍ଦ୍ଦେଶନାମା ଓସେପା ପକ୍ଷରୁ ମୋ ସ୍କୁଲ ଅଧ୍ୟକ୍ଷା ଓ ସମସ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଜାରି କରାଯାଇଥିବା ଚିଠିରେ ୫-ଟି ସ୍କୁଲର ରକ୍ଷଣାବେକ୍ଷଣ ପାଇଁ ଏସଏଚଜି ମହିଳାମାନଙ୍କୁ ଦାୟିତ୍ୱ ଦେବାକୁ ସ୍ପଷ୍ଟ ଭାବରେ ନିର୍ଦ୍ଦେଶ ଦିଆଯାଇଥିବା ଚିଠିରେ ଉଲ୍ଲେଖ ରହିଛି ।

ଏସଏଚଜି ମହିଳାମାନଙ୍କୁ ପାରିଶ୍ରମିକ ବାବଦରେ ପଞ୍ଚାୟତିରାଜ ବିଭାଗର ମନରେଗା ଯୋଜନାର ଧାର୍ଯ୍ୟ ନିୟମ ଅନୁସାରେ ଦୈନିକ ୨୧୫ଟଙ୍କା ହିସାବରେ ଦରମା ଦିଆଯିବ । ମୋ-ସ୍କୁଲ ପାଣ୍ଠିରୁ ଟଙ୍କା ଖର୍ଚ୍ଚ କରିବାକୁ ଚିଠିରେ କୁହାଯାଇଛି । ସ୍କୁଲ ହତାକୁ ସୁରକ୍ଷା ଦେବେ, ଆସବାବପତ୍ରର ଯତ୍ନ ନେବେ, ପରିଷ୍କାର ପରିଛନ୍ନ ରଖିବେ । ମାସିକ ଅତିକମରେ ୧୦ରୁ ୧୫ ଦିନ କାମ ଦିଆଯିବ । ହେଲେ କେତେ ଟଙ୍କା ଖର୍ଚ୍ଚ କରାଯିବ ତାହା ସ୍ପଷ୍ଟ କରାଯାଇନାହିଁ । ସ୍କୁଲ
ପିଛା କେତେ ଜଣ ଏସଏଚଜି ମହିଳାଙ୍କୁ ନିଯୁକ୍ତି ଦିଆଯିବ ତାହା ମଧ୍ୟ ସ୍ପଷ୍ଟ କରାଯାଇ ନାହିଁ । କିନ୍ତୁ ଆବଶ୍ୟକତା ଅନୁସାରେ ସ୍କୁଲର ପ୍ରଧାନଶିକ୍ଷକ ଓ ଜିଲ୍ଲାପ୍ରଶାସନ ନିଷ୍ପତ୍ତି ନେବେ ବୋଲି କହିଛନ୍ତି ଓସେପାର ବରିଷ୍ଠ ଅଧିକାରୀ । ପଞ୍ଚାୟତିରାଜ ବିଭାଗ, ମିଶନ ଶକ୍ତି ଓ ସ୍କୁଲ ଏବଂ ଗଣଶିକ୍ଷା ବିଭାଗର ମିଳିତ ସହଭାଗିତାରେ ପ୍ରକ୍ରିୟା ତ୍ୱରାନ୍ୱିତ କରିବା ପାଇଁ ଯୋଜନା ପ୍ରସ୍ତୁତ ହୋଇଛି ।

୫-ଟି ଅଧୀନରେ ଦୁଇଟି ପର୍ଯ୍ୟାୟରେ ରାଜ୍ୟର ପ୍ରାୟ ୪ ହଜାରରୁ ଅଧିକ ସ୍କୁଲର ରୂାନ୍ତରଣ କରାଯାଇଛି । ତେଣୁ ଏବେ ପ୍ରଶ୍ନ ଉଠୁଛି ରାଜ୍ୟରେ ପ୍ରାୟ ୭୦ଲକ୍ଷ ମହିଳା ଏସଏଚଜି ସହ ଜଡିତ ଥିବାରୁ ଏତେ କମ୍‌ ସ୍କୁଲରେ ସେମାନଙ୍କୁ କେମିତି କାମ ଦିଆଯିବ । ଏହି ଯୋଜନାରେ କେତେ ଜଣଙ୍କୁ କାମ ଦିଆଯିବ ତାହା ସ୍ପଷ୍ଟ ହୋଇନାହିଁ ।