କାମରେ ଅବହେଳା ଯୋଗୁଁ ୫ ପୋଲିସ ଅଧିକାରୀଙ୍କୁ ହାଜତରେ ଭର୍ତ୍ତି କଲେ ଏସପି

ପାଟନା : (ସଂକେତ୍ ଟିଭି) କାମରେ ଅବହେଳା ଯୋଗୁଁ ଏସପି ୫ ଜଣ ପୋଲିସ ଅଧିକାରୀଙ୍କୁ ବିହାରର ନୱାଦା ଥାନାର ହାଜତ ଭିତରେ ୨ ଘଣ୍ଟା ପାଇଁ ବନ୍ଦ କରି ଦେଇଥିଲେ । ଏହି ଘଟଣା ଏବେ ଚାରିଆଡେ ଚର୍ଚ୍ଚାର ବିଷୟବସ୍ତୁ ପାଲଟିଛି ।

ସୂଚନା ଅନୁସାରେ, ଗତ ଗୁରୁବାର ରାତି ପ୍ରାୟ ୧୦ଟା ସମୟରେ ଏହି ଘଟଣା ଘଟିଥିଲା । ନାଓ୍ବାଦା ଏସପି ଗୌରବ ମାଙ୍ଗଲା ଡ୍ୟୁଟି ସମୟରେ ନୱାଦା ଥାନାରେ ପହଞ୍ଚିଥିଲେ । ଥାନାରେ ପହଞ୍ଚି ସେ ଷ୍ଟେସନ ଡାଏରୀ ଯାଞ୍ଚ କରିବାକୁ ମାଗିଥିଲେ । କିନ୍ତୁ ଏହି ଡାଏରୀଟି ଅପଡେଟ୍ ହୋଇ ନଥିଲା । ଯେଉଁ କାରଣରୁ ଏସପିଙ୍କୁ ଖୁବ୍ ଜୋରରେ ରାଗ ଆସିଥିଲା ଏବଂ ସେ ଏସଆଇ ଶତ୍ରୁଘ୍ନ ପାସୱାନ, ଏସଆଇ ରାମପରେଖା ସିଂହ, ଏଏସଆଇ ସନ୍ତୋଷ ପାସୱାନ, ଏଏସଆଇ ସଞ୍ଜୟ ସିଂହ ଏବଂ ରାମେଶ୍ବର ଉରାଂବଙ୍କ ଉପରେ ବର୍ଷିଥିଲେ । ଏହାପରେ ୫ ଜଣଙ୍କୁ ପ୍ରାୟ ଦୁଇ ଘଣ୍ଟା ଯାଏଁ ଥାନା ହାଜତରେ ବନ୍ଦ କରିଦେଇଥିଲେ । ଏହି ଘଟଣାର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଘୁରି ବୁଲୁଛି । ଯାହାକୁ ନେଇ ଏବେ ବିବାଦ ମୁଣ୍ଡ ଟେକିଛି ।

ଏସପିଙ୍କ ଏପରି କାର୍ଯ୍ୟାନୁଷ୍ଠାନକୁ ବିହାର ପୋଲିସ ଆସୋସିଏସନ ନିନ୍ଦା କରିଛି । ଆସୋସିଏସନର ଅଧ୍ୟକ୍ଷ ମୃତ୍ୟୁଞ୍ଜୟ ସିଂହ କହିଛନ୍ତି, ”ଏସପି ପୀଡିତ ପୋଲିସ କର୍ମୀଙ୍କ ଉପରେ ଚାପ ପକାଇ ମାମଲା ଦବାଇବାକୁ ଚେଷ୍ଟା କରୁଛନ୍ତି । ଭାରତର ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶାନୁସାରେ ପ୍ରତ୍ୟେକ ଥାନାରେ ସିସିଟିଭି ଲାଗିଛି । ଏହି ସିସିଟିଭି ଯାଞ୍ଚ କଲେ ପ୍ରକୃତ ସତ ଘଟଣା ପଦାକୁ ଆସିବ ।” ତେବେ ଏସପି ସିସିଟିଭ ଫୁଟେଜ ନଷ୍ଟ କରିପାରନ୍ତି ବୋଲି ସନ୍ଦେହ କରିଛନ୍ତି ମୃତ୍ୟୁଞ୍ଜୟ ସିଂହ । ଆସୋସିଏସନ ଏହି ଘଟଣାର ନ୍ୟାୟିକ ତଦନ୍ତ ଦାବି କରିଛି ।

ପୋଲିସ ହାଜତରେ ବନ୍ଦ ରହିବା ଘଟଣା ବିହାର ଇତିହାସରେ ପ୍ରଥମ ଅଟେ । ଏହା ଜନମାନସରେ ପୋଲିସ ଛବି ମଳିନ କରିଛି ଏବଂ ସମସ୍ତ ପୋଲିସ ଅଧିକାରୀମାନେ ଏଥିରେ ମର୍ମାହତ ହୋଇଛନ୍ତି । ଏହି ଘଟଣା ବ୍ରିଟିଶ ଶାସନ ସମୟକୁ ମନେ ପକାଇ ଦେଇଥିବା ମୃତ୍ୟୁଞ୍ଜୟ ସିଂହ କହିଛନ୍ତି ।