ଖଣି ଦୁର୍ନୀତି ନେଇ ରାଜ୍ୟ ସରକାରଙ୍କୁ ଘେରିଲେ ଅପରାଜିତା ଷଡ଼ଙ୍ଗୀ

ଭୁବନେଶ୍ୱର : (ସଂକେତ୍ ଟିଭି) ଓଡିଶା ସରକାରଙ୍କ ଖଣି ମହାଦୁର୍ନୀତିର ଖୁବ ଶିଘ୍ର ପର୍ଦାଫାସ ହେବ । ଏହା କହିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ଖଣିର ମାନକୁ କମାଇଦେଇ ସରକାର କୋଟି କୋଟି ଟଙ୍କା ଠକୁଥିବା ସେ ଅଭିଯୋଗ କରିଛନ୍ତି।

ଅପରାଜିତା କହିଛନ୍ତି, ଖଣିର ମାନକୁ କମାଇଦେଇ ସରକାର କୋଟି କୋଟି ଟଙ୍କା ଠକୁଛନ୍ତି। ଖଣିର ଯଦି ଅନିୟମିତତା ହେଉନଥାନ୍ତା ଆଜି ଓଡିଶା ଦେଶରେ ଧନୀ ରାଜ୍ୟରେ ପରିଗଣିତ ହୋଇଥାନ୍ତା। ରାଜ୍ୟର ଖଣି କ୍ଷେତ୍ରରେ ହେଉଥିବା ଦୁର୍ନୀତିକୁ ଲୋକମାନେ ଜାଣିଛନ୍ତି। ଏହି ଦୁର୍ନୀତି ରୋକିବାକୁ କେନ୍ଦ୍ର ସରକାର ସାହା କମିଶନ ଗଠନ କରିଥିଲେ।

ଶାହ କମିଶନ ଖଣି ଦୁର୍ନୀତିକୁ ନେଇ ବିସ୍ଫୋରକ ତଥ୍ୟ ଦେଇଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଶୂନ ରହିଛି। ସରକାର ଯଦି ସେଇ ରିପୋର୍ଟର ଅନୁସାରେ କାର୍ଯ୍ୟାନୁଷ୍ଠାନ ନେଇଥାନ୍ତେ ଆଜି ଓଡିଶା ଦେଶରେ ଅଗ୍ରଣୀ ରାଜ୍ୟ ହୋଇଥାନ୍ତା। କିନ୍ତୁ ସରକାର ଏହାକୁ କରିପାରୁନାହାନ୍ତି, ଯେଉଁଥିପାଇଁ ଆଜି ଆମେ ଗରିବ ହେଇ ରହିଯାଇଛୁ।’ ଯେତେ ଘରୋଇ ଖଣିରେ ଆଇରନ ବାହାରୁଛି ତାକୁ ଜାଣିଶୁଣି ନିମ୍ନମାନର କରିଦିଆଯାଉଥିବା ସାଂସଦ ଅପରାଜିତା ଷଡ଼ଙ୍ଗୀ ଅଭିଯୋଗ କରିଛନ୍ତି।

ସେ କହିଛନ୍ତି, ‘୧୯୫୭ର ଧାରା ୮କ(୬) ଅନୁଯାୟୀ କେନ୍ଦ୍ର ସରକାର ଏ ବିଷୟରେ ରାଜ୍ୟ ସରକାରଙ୍କୁ ଜଣାଇଛନ୍ତି। ୩୧ ମାର୍ଚ୍ଚ ୨୦୨୦ରେ ୨୦ଟି ଘରୋଇ ଖଣିକୁ ନିଲାମ କରାଯାଇଥିଲା। ୯୧%-୧୫୪% ଆଭରେଜ ସେଲ ପ୍ରାଇସରେ ଏହି ୨୦ ମୁଖ୍ୟ ମାଇନ୍ସର ନିଲାମ ହୋଇଛି। ୨୦୨୧-୨୨ରେ ହଠାତ ଉଚ୍ଚମାନର ଆଇରନ କମିଯାଇ ନିମ୍ନମାନର ହୋଇଗଲା। ଏହି ଅନିୟମିତତା ପାଇଁ ଉଚ୍ଚମାନର ଆଇରନ ଓର କମିବାରୁ ଏକ ଲକ୍ଷ ଟନ ପିଛା ୪୧ କୋଟିର କ୍ଷତି ହୋଇଛି। ଫଳରେ ରାଜ୍ୟ ସରକାରଙ୍କୁ ଯାଉଥିବା ରେଭେନ୍ୟୁ କମିଗଲା। ଯାହା ଲୋକଙ୍କ କାମରେ ଆସିଥାନ୍ତା ଆଜି ତାହା କିଛି ଲୋକଙ୍କୁ ପକେଟରେ ରହିଗଲା। ୨୦୧୯-୨୦ରୁ ୨୦୨୧-୨୨ ଭିତରେ ୯୨୭୪ କୋଟି ଟଙ୍କା ଖଣିରୁ ଆଦାୟ ହୋଇଥିବାବେଳେ ୫୭୩୭ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ତେବେ ଆଉ ୩୫୩୭ କୋଟି ଟଙ୍କାର ହିସାବ କୁଆଡେ ଗଲା?’ ବୋଲି ସେ ପ୍ରଶ୍ନ କରିଛନ୍ତି ।