ଅମିତ ଶାହାଙ୍କ ମଫଲରର ଦାମ୍ ୮୦ହଜାର: ଅଶୋକ ଗେହଲଟ

ନୂଆଦିଲ୍ଲୀ : (ସଂକେତ୍ ଟିଭି) ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଟାର୍ଗେଟ କରି ତାଙ୍କ ମଫଲରର ମୂଲ୍ୟ କହିଛନ୍ତି। ସେ କହିଛନ୍ତି ଯେ ଅମିତ ଶାହାଙ୍କ ମଫଲରର ମୂଲ୍ୟ ୮୦,୦୦୦ ଟଙ୍କା। ଖାଲି ସେତିକି ନୁହେଁ ବିଜେପି ନେତାମାନେ ମଧ୍ୟ କିଛି କମ ନୁହନ୍ତି। ସେମାନେ ୨.୫ ଲକ୍ଷ ମୂଲ୍ୟର ଚଷମା ପିନ୍ଧନ୍ତି।

ଭାରତ ଯୋଡା ଯାତ୍ରା ସମୟରେ ରାହୁଲ ଗାନ୍ଧୀ ପିନ୍ଧିଥିବା ଟି-ସାର୍ଟର ମୂଲ୍ୟକୁ ନେଇ ଭାରତୀୟ ଜନତା ପାର୍ଟି ତାଙ୍କୁ ଟାର୍ଗେଟ କରିଥିଲା। ରାହୁଲଙ୍କ ଟି-ସାର୍ଟର ମୂଲ୍ୟ ୪୧,୦୦୦ ଟଙ୍କା ବୋଲି ଦର୍ଶାଇ ଟ୍ୱିଟରରେ ବିଜେପି ତାଙ୍କ ଫଟୋ ସେୟାର କରିଥିଲା। ବିଜେପିର ଏଭଳି ଦାବି ଉପରେ ପ୍ରତିକ୍ରିୟା ରଖି କଂଗ୍ରେସ, ବିଜେପିକୁ ଟାର୍ଗେଟ କରିବା ସହ ପ୍ରଧାନମନ୍ତ୍ରୀ ୧୦ଲକ୍ଷ ମୂଲ୍ୟର ସୁଟ୍ ପିନ୍ଧୁଥିବା ଦାବି କରିଥିଲା। ଆଜି ଗେହଲଟ ବିଜେପିକୁ ଟାର୍ଗେଟ କରିଛନ୍ତି ।

ଗେହଲଟ୍ କହିଛନ୍ତି ଯେ, ଭାରତ ଯୋଡୋ ଯାତ୍ରାର ଲୋକପ୍ରିୟତା ଦେଖି ବିଜେପି ନେତାମାନେ ଚିନ୍ତିତ ଅଛନ୍ତି। ସହିପାରୁ ନାହାନ୍ତି । ତାଙ୍କ ପାଖରେ କହିବାକୁ କିଛି ନାହିଁ ବୋଲି ସେମାନେ ରାହୁଲ ଗାନ୍ଧୀଙ୍କ ଟି-ସାର୍ଟ ବିଷୟରେ କହିବା ଆରମ୍ଭ କରିଛନ୍ତି। ରାହୁଲଙ୍କୁ କହିବା ପୂର୍ବରୁ ପ୍ରଥମେ ନିଜକୁ ଦେଖିବା ଉଚିତ୍। ବିଜେପି ନେତାମାନେ ନିଜେ ୨.୫ ଲକ୍ଷ ମୂଲ୍ୟର ଚଷମା ପିନ୍ଧନ୍ତି। ଭାରତର ଗୃହମନ୍ତ୍ରୀ ଅମିତ ଶାହାଙ୍କ ମଫଲରର ମୂଲ୍ୟ ୮୦,୦୦୦ ଟଙ୍କା।