ଆର୍‌ଏସ୍‌ଏସ୍ ପ୍ୟାଣ୍ଟରେ ନିଆଁ ଲଗାଇବା ଫଟୋ ପୋଷ୍ଟ କଲା କଂଗ୍ରେସ

ନୂଆଦିଲ୍ଳୀ : (ସଂକେତ୍ ଟିଭି) ଆର୍‌ଏସ୍‌ଏସ୍‌ର ଡ୍ରେସ୍‌ କୋଡ ଗେରୁଆ ପ୍ୟାଣ୍ଟରେ ନିଆଁ ଲଗାଇଲା କଂଗ୍ରେସ । ଆଉ ଟ୍ୱିଟ୍ କରି ସେଆର କଲା ଫଟୋ । ଏଭଳି କିଛି କରି ‘ଭାରତ ଯୋଡୋ’ ଯାତ୍ରା ଭିତରେ କଂଗ୍ରେସ ପୁଣି ଥରେ ବିଜେପିକୁ ଉସୁକାଇଛି । ଆଉ ବିଜେପି ମଧ୍ୟ ଏହାର ମୁହଁତୋଡ ଜବାବ ଦେଇଛି । କଂଗ୍ରେସ ଶେଆର କରିଥିବା ଫଟୋକୁ ନେଇ ନୂଆ ବିବାଦ ମୁଣ୍ଡ ଟେକିଛି । ବିରୋଧୀ ଶାସକ ପୁଣି ଥରେ ମୁହାଁମୁହିଁ ହୋଇଛନ୍ତି ।

ସୋମବାର କଂଗ୍ରେସ ନିଜ ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରେ ଏକ ଫଟୋ ଶେଆର କରିଛି । ଏହି ଫଟୋରେ ଆର୍‌ଏସ୍‌ଏସ୍‌ର ପ୍ୟାଣ୍ଟରେ ନିଆଁ ଲାଗିଥିବା ଦେଖିବାକୁ ମିଳିଛି । ଏଥିରୁ ଧୂଆଁ ମଧ୍ୟ ବାହାରୁଛି । ଏହି ଫଟୋ ଜରିଆରେ ଆର୍‌ଏସ୍‌ଏସ୍ ଓ ବିଜେପିକୁ ଟାର୍ଗେଟ୍ କରିଛି କଂଗ୍ରେସ । ଆଉ ମାତ୍ର ୧୪୫ଦିନ ମଧ୍ୟରେ ଦେଶ ବିଜେପି- ଆରଏସଏସ ମୁକ୍ତ ହେବ ବୋଲି କହିଛି କଂଗ୍ରେସ ।

ଫଟୋ ଶେଆର କରି କଂଗ୍ରେସ ଲେଖିଛି, ‘ଦେଶକୁ ଘୃଣା ମୁକ୍ତ କରିବା ତଥା ଆରଏସ୍‌ଏସ୍‌-ବିଜେପି ଦ୍ୱାରା ହୋଇଥିବା କ୍ଷତିକୁ ପୂରଣ କରିବା ପାଇଁ ଆମେ ଗୋଟିଏ ପରେ ଗୋଟିଏ ପାଦ ଆଗକୁ ବଢ଼ାଉଛୁ । ଆମେ ଆମର ଲକ୍ଷ୍ୟ ଆଡକୁ ଗତି କରୁଛୁ ।

ଏହି ଫଟୋ ପୋଷ୍ଟ ହେବା ପରେ ପରେ ଚିହିଁକି ଉଠିଛନ୍ତି ବିଜେପିର ସମସ୍ତ ନେତା । କଂଗ୍ରେସର ଭାରତ ଯୋଡୋ ଯାତ୍ରାକୁ ଭାରତ ଜଳାଓ ଯାତ୍ରା ବୋଲି କହିଛି ବିଜେପି । ନିଆଁ ଲଗାଇବା ହେଉଛି କଂଗ୍ରେସର ପୁରୁଣା ଅଭ୍ୟାସ ବୋଲି କହିଛନ୍ତି ବିଜେପି ମୁଖପାତ୍ର ଶହଜାଦ ପୁନାୱାଲା ।

କେନ୍ଦ୍ର ମନ୍ତ୍ରୀ ଗିରିରାଜ କହିଛନ୍ତି, ‘କଂଗ୍ରେସର ଏହା ହେଉଛି ପାରିବାରିକ ବୃତ୍ତି । ସେମାନେ ଦେଶ ଭାଙ୍ଗିବେ ନଚେତ ଦେଶ ଜାଳିଦେବେ ।’ ୧୯୮୪ ଦଙ୍ଗା ହେଉ ଅବା ଜାଲଗାଓଁ, ମୁମ୍ବାଇ, ହାସିମପୁରା, ଭାଗଲପୁର କିମ୍ବା ମେରଟ । ଏହି ତାଲିକା ବେଶ୍ ଲମ୍ବା । ୧୯୮୪ ଦଙ୍ଗାକୁ କିଭଳି ରାଜୀବ ଗାନ୍ଧୀ ସଠିକ୍ ବୋଲି କହିଥିଲେ, ତାହା ମଧ୍ୟ ମେନ ରଖିବା ଉଚିତ । କଂଗ୍ରେସ କେବଳ ଦେଶକୁ ଜଳାଇବା ପାଇଁ ଚିନ୍ତା କରୁଥିବା ସେ କହିଛନ୍ତି ।

ବିଜେପି ମୁଖପାତ୍ର ସମ୍ବିତ ପାତ୍ର ମଧ୍ୟ କଂଗ୍ରେସକୁ ଟାର୍ଗଟ୍ କରି କହିଛନ୍ତି, ‘ଲୋକଙ୍କୁ ଉସୁକାଇବା ପାଇଁ କଂଗ୍ରେସ ଏଭଳି ଟ୍ୱିଟ୍ କରିଛି । ଏମାନେ ଭାରତ ଯୋଡୋ ଯାତ୍ରା ନୁହେଁ ନିଆଁ ଲଗାଇବା ଯାତ୍ରା କରୁଛନ୍ତି ।