ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ ନେତୃତ୍ୱ ନେବେ ଶିଖର ଧାୱନ

ନୂଆଦିଲ୍ଲୀ : (ସଂକେତ୍ ଟିଭି) ଦକ୍ଷିଣ ଆଫ୍ରିକା ବିପକ୍ଷ ଘରୋଇ ଦିନିକିଆ କ୍ରିକେଟ୍ ସିରିଜ ପାଇଁ ଓପନର ଶିଖର ଧାୱନ୍ ଭାରତୀୟ ଦଳର ଅଧିନାୟକ ନିଯୁକ୍ତ ହୋଇଛନ୍ତି । ଆସନ୍ତା ମାସରେ ଅଷ୍ଟ୍ରେଲିଆରେ ଅନୁଷ୍ଠିତ ହେବାକୁ ଥିବା ଟି-୨୦ ବିଶ୍ୱକପ୍ ପାଇଁ ମନୋନୀତ ଖେଳାଳିଙ୍କୁ ବିଶ୍ରାମ ଦେବା ଲକ୍ଷ୍ୟ ନେଇ ବିସିସିଆଇ ଶିଖର ଧାୱନ୍‌ଙ୍କୁ ଦଳର ନେତୃତ୍ୱ ଦାୟିତ୍ୱ ଦେବାପାଇଁ ନିଷ୍ପତ୍ତି ନେଇଛନ୍ତି । ତେବେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ରୋହିତ ଶର୍ମାଙ୍କ ନେତୃତ୍ୱାଧିନ ଭାରତୀୟ ଦଳ ଟି-୨୦ ସିରିଜ ଖେଳିବ ।

ସୂଚନାଯୋଗ୍ୟ ଯେ, ଚଳିତ ସେପ୍ଟେମ୍ବର ମାସ ୨୮ରୁ ଆରମ୍ଭ ହେବ ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ସିରିଜ । ପ୍ରଥମ ମ୍ୟାଚ୍ ତିରୁବନ୍ତପୁରମ୍‌ରେ ଅନୁଷ୍ଠିତ ହେବା ପାଇଁ ଥିବାରୁ ପରବର୍ତ୍ତୀ ୨ ମ୍ୟାଚ୍ ଅକ୍ଟୋବର ୨ରେ ଗୌହାଟୀ ଓ ୪ ତାରିଖ ଦିନ ମଧ୍ୟପ୍ରଦେଶର ଇନ୍ଦୋର୍‌ରେ ଅନୁଷ୍ଠିତ ହେବ ।

ସେହିପରି ଭାରତ-ଦକ୍ଷିଣ ଆଫ୍ରିକା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ମ୍ୟାଚ୍ ଅକ୍ଟୋବର ୬ (ଲକ୍ଷ୍ନୌ), ଅକ୍ଟୋବର ୯ (ରାଞ୍ଚି) ଓ ୧୧ ତାରିଖ ଦିନ (ଦିଲ୍ଲୀ)ରେ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି । ଶିଖର ଧାୱନ୍‌ ଏକାଧିକ ଦିନିକିଆ ସିରିଜରେ ଭାରତକୁ ବିଜୟୀ କରାଇ ଆସୁଥିବାରୁ ତାଙ୍କୁ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ ପାଇଁ ଅଧିନାୟକ କରାଯାଇଛି ।

ସୂଚନାଯୋଗ୍ୟ ଯେ, ଶିଖର ଧାୱନ୍‌ ବର୍ତ୍ତମାନ କେବଳ ଦିନିକିଆ ଫର୍ମାଟ ଖେଳୁଛନ୍ତି । ତେଣୁ ଆଗାମୀ ଟି-୨୦ ବିଶ୍ୱକପ୍ ପାଇଁ ସେ ଭାରତୀୟ ଦଳରେ ସ୍ଥାନ ପାଇନାହାନ୍ତି ।