କଂଗ୍ରେସ ଛାଡି ବିଜେପିରେ ମିଶିଲେ ଗୋଆର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସମେତ ୮ ବିଧାୟକ

ପାନାଜୀ : (ସଂକେତ୍ ଟିଭି) ଗୋଆର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗମ୍ବର କାମାତଙ୍କ ସେମେତ ୮ ବିଧାୟକ ବିଜେପିରେ ସାମିଲ ହୋଇଛନ୍ତି । ଏହି ବିଧାୟକମାନେ ହେଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗମ୍ବର କାମାତ, ବରିଷ୍ଠ ନେତା ମାଇକେଲ ଲୋବୋ, ଦେଲିଲାହ ଲୋବୋ, ରାଜେଶ ଫଲଦେଶାଇ, ରୋଡୋଲ୍ଫ ଫର୍ଣ୍ଣାଡିଜ୍, କେଦାର ନାଇକ, ଆଲେକ୍ସୋ ସିକେରା ଏବଂ ସଂକଳ୍ପ ଅମୋନକର।

ଗୋଟିଏ ପଟେ ରାହୁଲ ଗାନ୍ଧୀଙ୍କ ନେତୃତ୍ବରେ ସମସ୍ତ ଦଳୀୟ କର୍ମୀଙ୍କୁ ଯୋଡିବା ପାଇଁ କଂଗ୍ରେସ ଭାରତ ଯୋଡୋ ଯାତ୍ରା କରୁଥିବା ବେଳେ ଅନ୍ୟପଟେ ଗୋଆରେ ମୋଟ ୧୧ ବିଧାୟକଙ୍କ ମଧ୍ୟରୁ ଏକାସାଙ୍ଗେ ୮ ଜଣ ବିଧାୟକ ଦଳକୁ ବାଏ ବାଏ କରିଛନ୍ତି ।

ସେମାନେ ଆଜି ବିଜେପିରେ ଯୋଗ ଦେବାକୁ ବିଧାନସଭା ଅଭିମୁଖେ ଯାତ୍ରା କରିଥିଲେ । ଏହାକୁ ଦୃଷ୍ଟିରେ ରଖି ଗୋଆ ବିଧାନସଭା ଅଞ୍ଚଳରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି । ଆଜି ପୂର୍ବାହ୍ନ ସମୟରେ ଗୋଆର କଂଗ୍ରେସ ବିଧାୟକମାନେ ପଦ୍ମ ଧରିଛନ୍ତି ।

ଏହି ଅସନ୍ତୁଷ୍ଟ କଂଗ୍ରେସ ବିଧାୟକମାନେ ଦୀର୍ଘ ଦିନ ହେଲା ବିଜେପିର କେନ୍ଦ୍ରୀୟ ନେତୃବୃନ୍ଦଙ୍କ ସହ ଯୋଗାଯୋଗରେ ରହିଥିଲେ । ଏଠାରେ ଉଲ୍ଲେଖଯୋଗ୍ୟ, ୪୦ ଆସନ ବିଶିଷ୍ଟ ଗୋଆ ବିଧାନସଭାରେ କଂଗ୍ରେସର ୧୧ ଜଣ ବିଧାୟକ ଥିଲେ । ସେହିପରି ୨୦ ଜଣ ଶାସକ ବିଜେପି ଦଳର ବିଧାୟକ ରହିଥିବା ବେଳେ ୨ ଏମଜିପି ଏବଂ ୩ ଜଣ ସ୍ବାଧୀନ ବିଧାୟକଙ୍କ ସମର୍ଥନରେ ବିଜେପି ଦଳ ସରକାରରେ ରହିଛି ।