ଆଇଏଏସ୍ ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର

ଭୁବନେଶ୍ବର : (ସଂକେତ୍ ଟିଭି)ରାଜ୍ୟ ସରକାର ଆଜି ଆଇଏଏସ ଅଫିସରସ୍ତରରେ ଅଦଳବଦଳ କରିଛନ୍ତି । ୧୯୯୬ ବ୍ୟାଚ୍ ଆଇଏଏସ୍ ତଥା କୃଷି ବିଭାଗର ପ୍ରମୁଖ ସଚିବ ଅରବିନ୍ଦ ପାଢ଼ୀଙ୍କଠୁ ମତ୍ସ୍ୟ ଓ ପଶୁସମ୍ପଦ ବିଭାଗ କାଢ଼ି ନିଆଯାଇ ତାଙ୍କୁ ହସ୍ତତନ୍ତ ଓ ବୟନଶିଳ୍ପ ବିଭାଗର ଅତିରିକ୍ତ ଦାୟିତ୍ୱ ନ୍ୟସ୍ତ ହୋଇଥିବା ଜଣାପଡ଼ିଛି । ୧୯୯୮ ବ୍ୟାଚ୍ ଆଇଏଏସ୍ ସୁରେଶ କୁମାର ବଶିଷ୍ଠଙ୍କୁ ମତ୍ସ୍ୟ ଓ ପଶୁସମ୍ପଦ ବିଭାଗର ସଚିବ ଭାବେ ଅବସ୍ଥାପିତ କରାଯାଇଛି । ସେ ମଧ୍ୟ ରାଜ୍ୟ ବିଜ୍ଞାନ ଓ ବୈଷୟିକ ବିଭାଗର ସଚିବ ଭାବେ କାର୍ଯ୍ୟ କରିବେ ।

ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ଏନଏଚଆରଏମ୍ ନିର୍ଦ୍ଦେଶିକା ତଥା ୨୦୦୧ ବ୍ୟାଚ୍ ଆଇଏଏସ୍ ଶାଳିନୀ ପଣ୍ଡିତଙ୍କୁ ରାଜ୍ୟ ସରକାର ସ୍ୱାସ୍ଥ୍ୟ ବିଭାଗର ସଚିବ ତଥା କମିଶନର ଭାବେ ନିଯୁକ୍ତି ଦିଆଯାଇଛି । ଆଜି ଆଇଏଏସ୍ ଆରକେ ଶର୍ମା ଦୀର୍ଘଦିନ ଧରି ଛୁଟିରେ ଥିବା ତାଙ୍କ ସ୍ଥାନରେ ଅସ୍ଥାୟୀ ଭାବେ ଶକ୍ତି ବିଭାଗର ପ୍ରମୁଖ ସଚିବ ନିକୁଞ୍ଜ କିଶୋର ଧଳ ସ୍ୱାସ୍ଥ୍ୟ ବିଭାଗର ଦାୟିତ୍ୱରେ ରହିଥିଲେ । କିନ୍ତୁ ଆଜି ପ୍ରକାଶିତ ବିଜ୍ଞପ୍ତି ଅନୁସାରେ ଶ୍ରୀ ଧଳଙ୍କଠୁ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ଦାୟିତ୍ୱ କାଢ଼ି ନିଆଯାଇଛି ଓ ଏଣିକି ସ୍ୱାସ୍ଥ୍ୟ ବିଭାଗର ସଚିବ ଦାୟିତ୍ୱ ଶ୍ରୀମତୀ ପଣ୍ଡିତ ତୁଲାଇବେ ।

ସେହିପରି ୧୯୯୯ ବ୍ୟାଚ୍ ଆଇଏଏସ୍ ଭାସ୍କରଜ୍ୟୋତି ଶର୍ମାଙ୍କୁ ମହିଳା ଓ ଶିଶୁ ବିକାଶ ବିଭାଗର ସଚିବ ପଦରୁ ହଟାଇ ଦିଆଯାଇଛି । ସେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ସଚିବ ଭାବେ କାର୍ଯ୍ୟ କରିବେ । ଶ୍ରୀ ଶର୍ମାଙ୍କ ସ୍ଥାନରେ ୧୯୯୯ ବ୍ୟାଚ୍ ଆଇଏଏସ୍ ଶୁଭା ଶର୍ମା ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗର ସଚିବ ଭାବେ କାର୍ଯ୍ୟ କରିବେ ।