ସିମବକ୍ସ ସାଇବର୍ ଠକେଇ ରାକେଟର ପର୍ଦାଫାଶ : ବିଶାଲ ଖଣ୍ଡେଲଓ୍ବାଲ ମାଷ୍ଟରମାଇଣ୍ଡ

ଭୁବନେଶ୍ବର : (ସଂକେତ୍ ଟିଭି) ସିମବକ୍ସ ମେସିନ୍ ମାଧ୍ୟମରେ ପ୍ରି-ଆକ୍ଟିଭ୍ ସିମ୍ ବ୍ୟବହାର କରି ସାଇବର୍ ଠକେଇ କରୁଥିବା ଏକ ରାକେଟ୍‌ର ପର୍ଦ୍ଦାଫାସ ହୋଇଛି । କ୍ରାଇମ ବ୍ରାଞ୍ଚ ଏହି ଘଟଣାର ମାଷ୍ଟର ମାଇଣ୍ଡ ବିଶାଲ ଖଣ୍ଡେଲଓ୍ୱାଲଙ୍କ ସମେତ ୬ ଅଭିଯୁକ୍ତଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିଛି । ଏହି ରାକେଟ କେଓ୍ୱାଇସି ମାଗିବା ନାଁରେ ଫେକ୍ ମେସେଜ୍ ପଠାଇ ସାଇବର୍ ଠକେଇ କରିଆସୁଥିଲା ।

କ୍ରାଇମବ୍ରାଞ୍ଚ ଆଇଜି ଅମିତେନ୍ଦ୍ର ନାଥ ସିହ୍ନା ଏ ନେଇ ସୂଚନା ଦେଇ କହିଛନ୍ତି, ମୟୁରଭଞ୍ଜ ଖୁଣ୍ଟା ନିକଟସ୍ଥ ଏକ ଜଙ୍ଗଲ ମଧ୍ୟରେ ପରିଚାଳିତ ହେଉଥିବା ଏହି ଗ୍ୟାଙ୍ଗର ସଦସ୍ୟମାନେ କେୱାଇସି ଅପଡେଟ କରିବା ଆଳରେ ଦେଶର ବିଭିନ୍ନ ପ୍ରାନ୍ତର ଲୋକଙ୍କୁ ମେସେଜ ପଠାଇବାର ସହ ସେମାନଙ୍କୁ ଠକେଇ କରୁଥିଲେ। ଏହି ଗ୍ୟାଙ୍ଗର ମୋଟ ୬ ଜଣ ସାଇବର ଠକଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତମାନେ ହେଲେ ବିଶାଲ ଖଣ୍ଡେଲଓ୍ବାଲ, ତାପସ ପାତ୍ର, ନିଗମ ପାତ୍ର, ସୁଧାଶୁଂ ଦାସ,ଅଜୁ ପାତ୍ର ଓ ଅଜୟ ପାତ୍ର। ସମସ୍ତ ଅଭିଯୁକ୍ତଙ୍କ ଘର ମୟୁରଭଞ୍ଜ ବେତନଟୀ ଅଞ୍ଚଳରେ। ସେମାନଙ୍କୁ ଠାରୁ ୩ ହଜାର ପ୍ରିଆକ୍ଟିଭେଟେଡ୍ ସିମ ଜବତ କରାଯାଇଛି।

ଏହି ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ ବିଶାଲ ଖଣ୍ଡେଲଓ୍ବାଲ ଥିବା ବେଳେ ଗ୍ୟାଙ୍ଗର ଅନ୍ୟ ସଦସ୍ୟମାନଙ୍କ ପାଖରେ ସାଇବର ସମ୍ପର୍କିତ ଗଭୀର ଜ୍ଞାନ ଥିଲା ଏବଂ ସେହି ଜ୍ଞାନକୁ ବ୍ୟବହାର କରି ଏହି ଗ୍ୟାଙ୍ଗ କେୱାଇସି ଅପଡେଟ କରିବା ଆଳରେ ଲୋକଙ୍କୁ ମେସେଜ କରୁଥିଲା ଏବଂ ଠକେଇ ମଧ୍ୟ କରୁଥିଲେ । ବଡ଼ କଥା ହେଉଛି ଏହି ସାଇବର ଠକମାନେ ମେସେଜ ପଠାଇବା ପାଇଁ ସିମ୍ ବକ୍ଟର ବ୍ୟବହାର କରୁଥିଲେ।

ସିମ୍ ବକ୍ସ କ’ଣ
ସିମ ବକ୍ସ ହେଉଛି ଶହଶହ ସିମକୁ ଆସେମ୍ଲ କରି ପ୍ରସ୍ତୁତ ହୋଇଥିବା ଏମିତି ଏକ ଡିଭାଇସ୍ ଯାହା ଜରିଆରେ ଅପେକ୍ଷାକୃତ କମ ସମୟ ମଧ୍ୟରେ ଅଧିକ ଲୋକଙ୍କୁ ମେସେଜ ପଠାଯାଇପାରିବ। ଏମାନଙ୍କ ପାଖରୁ ଦୁଇଟି ସିମ ବକ୍ସ ଜବତ ହୋଇଛି ଏବଂ ପ୍ରତି ସିମ୍ ବକ୍ସରେ ୫୧୨ଟି ଲେଖାଏଁ ସିମ ଖଞ୍ଜା ଯାଇଥିଲା। ଏହି ସିମ ବକ୍ସ ଏକ ଘଣ୍ଟାରେ ୫୫ ହଜାର ୬୦୦ଟି ମେସେଜରେ ପୁସ କରୁଥିଲା । ଏହି ଗ୍ୟାଙ୍ଗ ଦିନକୁ ସାଢେ ୬ ଲକ୍ଷ କରି ପାଖରେ ଥିବା ଦୁଇଟି ସିମ ବକ୍ସ ଜରିଆରେ ଦୈନିକ ପ୍ରାୟ ୧୩ ଲକ୍ଷ ମୋବାଇଲକୁ ଫେକ ମେସେଜ ପୁସ କରୁଥିଲେ ଏବଂ ଯେଉଁମାନେ ଏହି ଫେକ ମେସେଜର ଉତ୍ତର ଦେଉଥିଲେ, ସେମାନଙ୍କ ଠାରୁ ବିଭିନ୍ନ ସେବା ପ୍ରଦାନ କରିବା ଆଳରେ ଅର୍ଥ ଠକୁଥିଲେ ଏହି ଅଭିଯୁକ୍ତ ।

ଏମିତିକି ଅନ୍ୟ ଦେଶରୁ ଆସୁଥିବା ମୋବାଇଲ କଲ୍ କିମ୍ବା ମ୍ୟାସେଜକୁ ଲୋକାଲ କଲ୍‌ରେ ଏହି ସିମ୍‌ବକ୍ସ ମାଧ୍ୟମରେ ପରିଣତ କରିଦିଆଯାଏ । ଫଳରେ ପ୍ରକୃତ କଲ୍ କିମ୍ବା ମେସେଜ ଆସୁଥିବା ଦେଶ ବିଷୟରେ ଅବଗତ ହୋଇପାରନ୍ତିନି କଲ୍ ରିସିଭ କରୁଥିବା ବ୍ୟକ୍ତି ।

ଏମିତିକି ସେଲ୍ୟୁଲାର ଅପରେଟର ଏନେଇ ମଧ୍ୟ ଅବଗତ ହୋଇପାରନ୍ତି ନାହିଁ । ଯେହେତୁ ଏହା ଇଣ୍ଟରନେଟରେ ପରିଚାଳିତ ହୁଏ, ତେଣୁ ସେଲ୍ୟୁଲାର ଅପରେଟର ମଧ୍ୟ ଏନେଇ ଟେର୍ ପାଇନଥାନ୍ତି । ଏମିତିକି ସିମ୍ ବକ୍ସ ମାଧ୍ୟମରେ ଆସୁଥିବା ଇଣ୍ଟରନ୍ୟାଶନାଲ କଲ୍ ପାଇଁ ଅଲଗା ରେଟ୍ ନୁହେଁ ବରଂ ଲୋକାଲ କଲ୍ ରେଟ୍ ନେଇଥାନ୍ତି ଟେଲିକମ୍ ଅପରେଟର ।

ବିଶାଲ ଖଣ୍ଡେଲଓ୍ବାଲ ପ୍ରଥମେ ଏହି ସିମ ବକ୍ସଟିକୁ କିଣିଥିଲା ଏବଂ ଏହାପରେ ମେସେଜ ପଠାଇବା ପାଇଁ ସେ ତାର ବନ୍ଧୁ ତାପସକୁ ନିୟୋଜିତ କରିଥିଲା । ଏହି ଗ୍ୟାଙ୍ଗର ଦୁଇ ପ୍ରମୁଖ ସଦସ୍ୟ ସୁଧାଶୁଂ ପାତ୍ର ଓ ନିଗମ ପାତ୍ର ପ୍ରି-ଆକ୍ଟିଭେଟ୍ ସିମ୍ ଯୋଗାଉଥିଲେ ଏବଂ କିଛି ମାସ ପରେ ତାପସ ଆଉ ଦୁଇ ଜଣ ଯୁବକ ଅଜୟ ପାତ୍ର ଓ ଅଜୁ ପାତ୍ରଙ୍କୁ ଏହି କାର୍ଯ୍ୟରେ ନିୟୋଜିତ କରିଥିଲା।

କେୱାଇସି ଅପଡେଟ କରିବା ଆଳରେ ଓଡ଼ିଶାରୁ ଦେଶର ବିଭିନ୍ନ ସ୍ଥାନର ଲୋକଙ୍କ ପାଖକୁ ଆସୁଥିବା ସନ୍ଦିଗ୍ଧ ମେସେଜ ଆସୁଥିବା ଜାଣିବା ପରେ କେନ୍ଦ୍ରୀୟ ଟେଲିକମ୍ୟୁନିକେସନ ମନ୍ତ୍ରଣାଳୟ ଏହି ମାମଲା ତଦନ୍ତ କରିବା ପାଇଁ ଓଡ଼ିଶା କ୍ରାଇମବାଞ୍ଚକୁ ନିର୍ଦ୍ଦେଶ ଦେଇଥିଲା। ଏହି ମାମଲାର ତଦନ୍ତ ଆରମ୍ଭ କରିବାକୁ ଯାଇ କ୍ରାଇମବ୍ରାଞ୍ଚ ଏହି ଗ୍ୟାଙ୍ଗର ମାଷ୍ଟର ମାଇଣ୍ଡ କୁହାଯାଉଥିବା ବେତନଟୀ ବାସିନ୍ଦା ବିଶାଲ ଖଣ୍ଡେଲଓ୍ବାଲ ପାଖରେ ପହଁଚିଥିଲା। ବିଶାଳକୁ ଜେରା କରିବା ପରେ ସେ କ୍ରାଇମବ୍ରାଞ୍ଚ ଆଗରେ ଅପରାଧର ପୁରା କଳାଚିଠା ଖୋଲି କରି ରଖିଥିଲା ।