ସେପ୍ଟେମ୍ବର ୧୮ରେ ଘୂର୍ଣ୍ଣିବଳୟ: ପ୍ରବଳ ବର୍ଷା ଆଶଙ୍କା

ଭୁବନେଶ୍ବର : (ସଂକେତ୍ ଟିଭି) ଆସନ୍ତା ରବିବାର ବେଳକୁ ଉତ୍ତର ବଙ୍ଗୋପସାଗର ଓ ଏହାର ପାର୍ଶ୍ୱବର୍ତ୍ତୀ ସମୁଦ୍ର ମଧ୍ୟରେ ଉତ୍ତର ଓଡିଶା- ପଶ୍ଚିମବଙ୍ଗ ଉପକୂଳ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ରାଜ୍ୟରେ ୧୮ ତାରିଖରୁ ବର୍ଷାର ବିସ୍ତୃତି ଓ ପରିମାଣରେ ବୃଦ୍ଧି ହେବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗର ଭୁବନେଶ୍ୱରସ୍ଥିତ ଆଞ୍ଚଳିକ କେନ୍ଦ୍ର ପକ୍ଷରୁ କୁହାଯାଇଛି।

ଅନ୍ୟପକ୍ଷରେ ମୌସୁମୀ ନିମ୍ନ-ଚାପ ରେଖା ଆଜି (ବୁଧବାର) ନିଜର ସାଧାରଣ ଅବସ୍ଥାନ ଠାରୁ ସାମାନ୍ୟ ଦକ୍ଷିଣରେ ରହିବା ସହ ରାଜସ୍ଥାନର ଜସେଲମେରରୁ ବାହାରି କୋଟା, ଉତ୍ତର-ପଶ୍ଚିମ ମଧ୍ୟପ୍ରଦେଶ ଅଞ୍ଚଳରେ ସୁଦୃଶଃ ଲଘୁଚାପ କ୍ଷେତ୍ରର କେନ୍ଦ୍ର ଦେଇ ସତନା, ଚୁର୍କ, ରାଞ୍ଚି ଏବଂ ଦିଘା ଠାରୁ ପୂର୍ବ-ଦକ୍ଷିଣପୂର୍ବ ଦିଗରେ ଉତ୍ତର-ପୂର୍ବ ବଙ୍ଗୋପସାଗର ଯାଏଁ ଲମ୍ବିଛି।

୧୩ ଜିଲ୍ଲାକୁ ୟେଲୋଓ୍ଵାର୍ଣ୍ଣିଂ
ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଅର୍ଥାତ ଗୁରୁବାର ମଧ୍ୟାହ୍ନ ସୁଦ୍ଧା ରାଜ୍ୟର ଉପକୂଳ ଓ ଆଭ୍ୟନ୍ତରର ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଯାଜପୁର, ଢ଼େଙ୍କାନାଳ, ଅନୁଗୁଳ, ମୟୂରଭଞ୍ଜ, ସୁନ୍ଦରଗଡ଼, କେନ୍ଦୁଝର, ବୌଦ୍ଧ ଓ କଳାହାଣ୍ଡି ପ୍ରଭୃତି ୧୩ଟି ଜିଲ୍ଲାରେ ବଜ୍ରପାତ ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ଏହି ୧୩ଟି ଜିଲ୍ଲାକୁ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ କେନ୍ଦ୍ର ହଳଦିଆ ଚେତାବନୀ ବା ୟେଲୋଓ୍ଵାର୍ଣ୍ଣିଂ ଜାରି କରିଛି ।