ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କ କାର ଦୁର୍ଘଟଣାଗ୍ରସ୍ତ

କିଭ୍ : (ସଂକେତ୍ ଟିଭି) ୟୁକ୍ରେନ ରାଷ୍ଟ୍ରପତି ଭୋଲଦମିର ଜେଲେନସ୍କି କାର୍ ଦୁର୍ଘଟଣାର ଶିକାର ହୋଇଛନ୍ତି । ଆଜି ସକାଳେ କିଭ୍‌ରେ ଏକ ଯାତ୍ରୀବାହୀ କାର୍ ରାଷ୍ଟ୍ରପତିଙ୍କୁ କାର୍‌କୁ ଧକ୍କା ଦେଇଛି । ଏହି ଦୁର୍ଘଟଣାରେ ଜେଲେନସ୍କି ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଏଥିରେ ସେ ସାମାନ୍ୟ ଆହତ ହୋଇଥିବା ତାଙ୍କର ମୁଖପାତ୍ର ମର୍ଗେଇ ନିକିଫୋରଭଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।

ମର୍ଗେଇ କହିଛନ୍ତି ଯେ, ଜେଲେନସ୍କି ଖାରକିଭ୍‌ର ଇଜିୟମ ସହରରୁ କିଭ୍ ଫେରୁଥିବା ବାଟରେ ତାଙ୍କର ମୋଟରକେଡ୍ ସହ ଅନ୍ୟ ଏକ ଗାଡି ଧକ୍କା ହୋଇଛି । ଦୁର୍ଘଟଣା ପରେ ଡାକ୍ତର ରାଷ୍ଟ୍ରପତିଙ୍କ ସ୍ବାସ୍ଥ୍ୟବସ୍ଥା ଯାଞ୍ଚ କରିଛନ୍ତି । ତେବେ ସେ ଗୁରୁତର ନଥିବା ଜଣାପଡିଛି । ହେଲେ ଏହି ଦୁର୍ଘଟଣାରେ ଯାତ୍ରାବାହୀ କାର୍ ଚାଳକ ଗୁରୁତର ଆହତ ହୋଇଛନ୍ତି । ଜେଲେନସ୍କିଙ୍କ ସହ ଥିବା ଡାକ୍ତର ଚାଳକଙ୍କ ପ୍ରାଥମିକ ଚିକିତ୍ସା କରିବା ପରେ ଆମ୍ବୁଲାନ୍ସ ଯୋଗେ ହସ୍ପିଟାଲକୁ ପଠାଇଥିବା ସୂଚନା ମିଳିଛି । ତେବେ କେଉଁ ପରିସ୍ଥିତିରେ ଏହି ଦୁର୍ଘଟଣା ଘଟିଲା ସେନେଇ କିଭ୍ ପୋଲିସ ତଦନ୍ତ ଆରମ୍ଭ କରିଛି ।

ଋଷ ଅକ୍ତିଆରରୁ ଇଜିୟମ ମୁକ୍ତ ହେବା ପରେ ଜେଲେନସ୍କି ସେଠାକୁ ପରିଦର୍ଶନ ପାଇଁ ଯାଇଥିଲେ । ରାଜଧାନୀ କିଭ୍ ଫେରୁଥିବା ସମୟରେ ତାଙ୍କ କାର୍ ଅନ୍ୟ ଏକ କାର୍ ସହ ଧକ୍କା ହୋଇଛି ।