ଡିଲ୍ ବଦଳରେ ବିଜେପି ଠାରୁ ଏକନାଥ ସିନ୍ଦେଙ୍କୁ ମିଳିଛି ମୁଖ୍ୟମନ୍ତ୍ରୀ ଗାଦି

ମୁମ୍ବାଇ : (ସଂକେତ୍ ଟିଭି) : ବେଦାନ୍ତ-ଫକ୍ସକନ୍ ଡିଲକୁ ମହାରାଷ୍ଟ୍ରରୁ ଗୁଜୁରାଟକୁ ଅତି ସରଳ ଢଙ୍ଗରେ ପଠାଯିବା ପାଇଁ ବିଜେପି ଏକନାଥ ସିନ୍ଦେଙ୍କୁ ମୁଖ୍ୟମନ୍ତ୍ରୀ ପଦ ଦେଇଛନ୍ତି । ଶିବସେନା ନିଜର ମୁଖପତ୍ର ସାମନା ର ଏକ ସମ୍ପାଦକୀୟରେ ଏହା କହିଛି ।

ଶିବସେନା କହିଛି ଯେ, “ଏହା ଆମର ଅଭିଯୋଗ ନୁହେଁ ବରଂ ଆମର ବିଶ୍ୱାସ । ଠିକ୍ ଯେପରି ଅନ୍ତର୍ଜାତୀୟ ଅର୍ଥ କେନ୍ଦ୍ରକୁ ଫଡନାଭିସ୍ ମୁମ୍ବାଇରୁ ଗୁଜୁରାଟକୁ ପଠାଇଛନ୍ତି, ଠିକ୍ ସେହିପରି ଏକନାଥ ସିନ୍ଦେ ଫକ୍ସକନ୍-ବେଦାନ୍ତ ଡିଲ୍ ଗୁଜୁରାଟକୁ ଯିବାକୁ ଅନୁମତି ଦେଇଛନ୍ତି । ଆଗାମୀ ଦିନରେ ସେ ମୁମ୍ବାଇକୁ ମଧ୍ୟ ବିକ୍ରି କରିଦେବେ । ଫକ୍ସକନ୍ ଆରମ୍ଭ ମାତ୍ର । ଫକ୍ସକନ୍ ଡିଲ୍ ଅତି ସରଳ ଭାବରେ ହୋଇଥିଲା । ଏଥିରୁ ସ୍ପଷ୍ଟ ଯେ ବିଜେପି ଏକନାଥ ସିନ୍ଦେଙ୍କୁ କହିଛି ଯେ ତାଙ୍କୁ ସେମାନେ ମୁଖ୍ୟମନ୍ତ୍ରୀ କରିଛନ୍ତି । ସେମାନଙ୍କର ବିଧାୟକଙ୍କୁ କୋଟି କୋଟି ଟଙ୍କା ଦେଇଛନ୍ତି । ବର୍ତ୍ତମାନ ମହାରାଷ୍ଟ୍ର ରାଜକୋଷର ଚାବି ଆମକୁ ଦେଇଦିଅନ୍ତୁ ।”

ରାଜ ଠାକରେଙ୍କ ଦାବିକୁ ଉଲ୍ଲେଖ କରି ଶିବସେନା କହିଛି ଯେ, “ଏହା ଭଲ ଯେ ସେ ଉଦବେଗ ପ୍ରକାଶ କରିଛନ୍ତି, କିନ୍ତୁ ଅପରାଧୀ ହେଉଛି ତାଙ୍କର ବନ୍ଧୁ ବିଜେପି । ମହାରାଷ୍ଟ୍ରର ବିକାଶର ସମସ୍ତ ଇଞ୍ଜିନ୍ ବର୍ତ୍ତମାନ ଗୁଜୁରାଟ ଆଡକୁ ମୁହାଁଇବ ।” ଏଠାରେ କହି ରଖୁଛୁ ଯେ, ଗୁଜରାଟକୁ ଯାଉଥିବା ଡିଲର ଯାଞ୍ଚ ପାଇଁ ରାଜ ଠାକରେ ଦାବି କରିଛନ୍ତି ।

ଶିବସେନା ଆହୁରି କହିଛି ଯେ, “ସିନ୍ଦେ ସୁରଟ ଓ ଗୁଆହାଟୀରେ ନିଜର ବିଧାୟକମାନଙ୍କୁ ଆଶ୍ୱାସନା ଦେଉଥିଲେ ଯେ ଭୟ କରିବାର କିଛି ନାହିଁ । ବର୍ତ୍ତମାନ ଆମ ପାଖରେ ଏକ ବଡ଼ ଶକ୍ତି ଅଛି ଯାହା ଆମକୁ ସମର୍ଥନ କରୁଛି । ଆମେ ଯାହା ଚାହିଁବୁ ତାହା ପାଇବୁ । ଶାବାସ୍ ସିନ୍ଦେ! ଆପଣ ଯାହା ଚାହୁଁଥିଲେ ତାହା ପାଇଛନ୍ତି, କିନ୍ତୁ ମହାରାଷ୍ଟ୍ରର ଯୁବକମାନଙ୍କ ଠାରୁ ସେମାନଙ୍କ ରୋଜଗାରର ସୁଯୋଗକୁ ଛଡ଼େଇ ନିଆଯାଇଛି ।”