ରାହୁଲ ଗାନ୍ଧୀଙ୍କ ଭୁରି ଭୁରି ପ୍ରଶଂସା କଲେ ବାବା ରାମଦେବ

ନୂଆଦିଲ୍ଲୀ : (ସଂକେତ୍ ଟିଭି) : ଯୋଗ ଗୁରୁ ତଥା ପତଞ୍ଜଳି କମ୍ପାନୀର ମାଲିକ ବାବା ରାମଦେବ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ତାଙ୍କର ଭାରତ ଯୋଡ଼ ଯାତ୍ରାକୁ ପ୍ରଶଂସା କରିଛନ୍ତି । କଂଗ୍ରେସର ଦୁର୍ବଳ ସଂଗଠନ ଓ ଦଳର ସ୍ଥିତିକୁ ମଜବୁତ କରିବା ପାଇଁ ରାହୁଲ ଗାନ୍ଧୀ ଦୀର୍ଘ ୧୫୦ ଦିନର ଭାରତ ଯୋଡ଼ ଯାତ୍ରାରେ ଅଛନ୍ତି । ତେବେ କଂଗ୍ରେସର ଏହି ଭାରତ ଯୋଡ଼ ଯାତ୍ରାକୁ ନେଇ ବିଭିନ୍ନ ବ୍ୟକ୍ତି ଓ ରାଜନୈତିକ ଦଳ ବୟାନ ମଧ୍ୟ ଦେଉଛନ୍ତି । ଏହି କ୍ରମରେ ଗୋଟିଏ ସମୟରେ କଂଗ୍ରେସ ଓ ଗାନ୍ଧୀ ପରିବାରକୁ ଟାର୍ଗେଟ କରୁଥିବା ବେଳେ ବାବା ରାମଦେବ ଏହାର ପ୍ରଶଂସା କରିବା ଚର୍ଚ୍ଚାର ବିଷୟ ହୋଇଛି ।

ବାବା ରାମଦେବ ଏକ ଜାତୀୟ ଗଣମାଧ୍ୟମରେ ସାକ୍ଷାତ ଦେବା ସମୟରେ କହିଛନ୍ତି ଯେ, ” ନେହେରୁ ଜୀ ଯୋଗ କରୁଥିଲେ, ଇନ୍ଦିରା ଜୀ ଯୋଗ କରୁଥିଲେ, ସୋନିଆ ଜୀ ଯୋଗ କରନ୍ତି ଏବଂ ଆମର ରାହୁଲ ଭାଇ ବି ଯୋଗ କରନ୍ତି । ବର୍ତ୍ତମାନ ତାଙ୍କର ପରିଶ୍ରମର ଫଳ ମଧ୍ୟ ସାମ୍ନାକୁ ଆସୁଛି । ଭାରତ ଯୋଡ଼ ଯାତ୍ରାରେ ଚାଲୁଛନ୍ତି । କେତେବେଳେ ଟି-ଶାର୍ଟରେ ତ କେତେବେଳେ କୁର୍ତ୍ତା ପାଇଜାମାରେ… ପ୍ରତିଦିନ ତାଙ୍କର ଚର୍ଚ୍ଚା ହେଉଛି । ପ୍ରତିଦିନ ଖବରରେ ହେଡଲାଇନ୍ ସୃଷ୍ଟି କରୁଛନ୍ତି । ଯେଉଁ ବ୍ୟକ୍ତିଙ୍କୁ ଜାତୀୟ ଗଣମାଧ୍ୟମରେ ବହୁତ କମ୍ ସ୍ଥାନ ମିଳୁଥିଲା, ବର୍ତ୍ତମାନ ତାଙ୍କ ନାମର ଚର୍ଚ୍ଚା ହେଉଛି । ଏହା ହେଉଛି ତାଙ୍କର ବିଜୟ ଯାତ୍ରା ।”