ଆସନ୍ତା ସପ୍ତାହରେ ବିଜେପିରେ ମିଶିବେ କ୍ୟାପଟେନ୍ ଅମରିନ୍ଦର ସିଂ

ନୂଆଦିଲ୍ଲୀ : (ସଂକେତ୍ ଟିଭି) ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପଞ୍ଜାବ ଲୋକ କଂଗ୍ରେସର ମୁଖ୍ୟ କ୍ୟାପ୍ଟେନ ଅମରିନ୍ଦର ସିଂଙ୍କ ଭାଜପାରେ ଯୋଗଦେବେ। ସେପ୍ଟେମ୍ବର ୧୯ରେ ଦିଲ୍ଲୀରେ ଅମରିନ୍ଦର ଭାଜପାର ସଦସ୍ୟତା ଗ୍ରହଣ କରିବେ ବୋଲି ଜଣାପଡ଼ିଛି। ଏନେଇ ଦଳର ମୁଖପାତ୍ର ପ୍ରୀତପାଲ ସିଂ ବଲିଓ୍ବାଲ ସୂଚନା ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଉପସ୍ଥିତ ରହିବେ।

୮୦ ବର୍ଷୀୟ ଅମରିନ୍ଦର ଗତ ବର୍ଷ ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ କଂଗ୍ରେସରୁ ଇସ୍ତଫା ଦେଇଥିଲେ । ପରେ ସେ ପଞ୍ଜାବ ଲୋକ କଂଗ୍ରେସ ଦଳ(ପିଏଲ୍‌ସି) ଗଠନ କରିଥିଲେ। ହେଲେ ଗତ ବିଧାନସଭା ନିର୍ବାଚନରେ ଅମରିନ୍ଦରଙ୍କ ଦଳ ଶୋଚନୀୟ ପରାଜୟ ହୋଇଥିଲା। ବର୍ତ୍ତମାନ ସେ ଭାଜପାରେ ମିଶିବା ନେଇ ସ୍ଥିର ହୋଇଛି। ଏପରିକି ଦଳର ୭ ପୂର୍ବତନ ବିଧାୟକ ଏବଂ ଜଣେ ପୂର୍ବତନ ଏମ୍‌ପି ମଧ୍ୟଭାଜପାରେ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି। ଏପରି କି ଅମରିନ୍ଦରଙ୍କ ପୁଅ ରଣୀନ୍ଦର ସିଂ, ଝିଅ ଜୟୀଇନ୍ଦର କୌର, ନାତି ନିର୍ବାଣ ସିଂ ମଧ୍ୟ ଭାଜପାରେ ଯୋଗଦେବେ ବୋଲି ଆଶା କରାଯାଉଛି। ଅମରିନ୍ଦର ବର୍ତ୍ତମାନ ଲଣ୍ଡନରେ ଅଛନ୍ତି। ସେ ସେଠାରେ ମେରୁଦଣ୍ଡ ଅସ୍ତ୍ରୋପଚାର ପରେ ସୁସ୍ଥ ଅଛନ୍ତି।