ନାମିବ୍ୟାରୁ ଅଣାଯାଇଥିବା ୮ ଚିତାଙ୍କୁ କୁନୋ ଜାତୀୟ ଉଦ୍ୟାନରେ ଛାଡିଲେ ପ୍ରଧାନମନ୍ତ୍ରୀ

ଭୋପାଳ : (ସଂକେତ୍ ଟିଭି) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ତାଙ୍କ ଜନ୍ମ ଦିବସ ଅବସରରେ ନାମିବ୍ୟାରୁ ଆସିଥିବା ୮ ଆଫ୍ରିକୀୟ ଚିତାଙ୍କୁ ମଧ୍ୟପ୍ରଦେଶ କୁନୋ ଜାତୀୟ ଉଦ୍ୟାନରେ ଛାଡିଛନ୍ତି । ନିଜର ଜନ୍ମଦିନ ଅବସରରେ ସେ ଦେଶକୁ ଚିତାବାଘ ସମର୍ପିତ କରିଛନ୍ତି । ଏହି ଚିତବାଘମାନେ ଆଜି ସକାଳେ ନାମିବ୍ୟାରୁ ଆସି ଭାରତରେ ପହଞ୍ଚି ଥିଲେ । ଏକ ସ୍ବତନ୍ତ୍ର ବିମାନ ଯୋଗେ ସେମାନଙ୍କୁ ଅଣାଯାଇଥିଲା । ସେମାନଙ୍କ ମଧ୍ୟରେ ୫ଟି ମାଈ ଓ ୩ଟି ଅଣ୍ଡିରା ରହିଛନ୍ତି ।

ଶୁକ୍ରବାର ରାତି ପ୍ରାୟ ସାଢେ ୮ଟା(ଭାରତୀୟ ସମୟ)ରେ ନାମିବ୍ୟାର ରାଜଧାନୀରୁ ୮ ଚିତାଙ୍କୁ ନେଇ ସ୍ବତନ୍ତ୍ର ବିମାନ ଭାରତ ଅଭିମୁଖେ ଉଡାଣ ଭରିଥିଲା । ଆଜି ସକାଳେ ୬ଟା ସୁଦ୍ଧା ଏହା ଗ୍ବାଲିୟରରେ ପହଞ୍ଚିଥିଲା । ଆଜି ଦିନ ପ୍ରାୟ ୧୦ଟା ୪୫ ମିନିଟ୍ ବେଳେ ପ୍ରଧାନମନ୍ତ୍ରୀ ଚିତାକୁ କୁନୋ ଜାତୀୟ ଉଦ୍ୟାନ ଭିତରକୁ ଛାଡିଛନ୍ତି ।

୧୯୫୨ ମସିହାରେ ଭାରତରୁ ଚିତା ଲୋପ ପାଇଯାଇଥିବା ଘୋଷଣା କରାଯାଇଥିଲା । ଛଡାଯିବାକୁ ଥିବା ଚିତାଗୁଡିକୁ ଚଳିତ ବର୍ଷ ପ୍ରାରମ୍ଭରେ ସ୍ବାକ୍ଷରିତ ଏକ ବୁଝାମଣାପତ୍ର ଆଧାରରେ ନାମିବ୍ୟାରୁ ଅଣାଯାଇଛି । ଚିତା ପ୍ରକଳ୍ପ ଅଧୀନରେ ଭାରତରେ ଚିତାଙ୍କୁ ପୁଣି ଛଡାଯାଉଛି । ପ୍ରଥମ ପର୍ଯ୍ୟାୟରେ ୮ଟି ଚିତା ଆସିଥିବା ବେଳେ ଆସନ୍ତା ୫ ବର୍ଷରେ ମୋଟ ୫୦ ବାଘ ଭାରତ ଆଣିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି । ଚିତା ଛଡାଯିବା ଦ୍ବାରା ଏହା ଭାରତର ଉନ୍ମୁକ୍ତ ଜଙ୍ଗଲ ଓ ତୃଣଭୂମି ବାତାବରଣ ପୁନରୁଦ୍ଧାରରେ ସହାୟକ ହେବ । ଏହା ଜୈବ ବିବିଧତାର ସଂରକ୍ଷଣ କରିବା ସହ ବାତାବରଣରେ ଜଳ ସୁରକ୍ଷା, ଅଙ୍ଗାରକାମ୍ଳ ବର୍ଜନ ଓ ମାଟିର ଆର୍ଦ୍ରତା ସଂରକ୍ଷଣ କରି ସମାଜ ପାଇଁ ହିତକାରକ ହେବ ।